ଭୁବନେଶ୍ୱର, ଫେବ୍ରୁଆରୀ ୮(ଲୋକାଲ ୱାୟାର): ସ୍ଥାନୀୟ ୟୁନିଟ୍-୧ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଆଦିବାସୀ ମେଳା ମଙ୍ଗଳବାର ଶେଷ ହେବ । ରାଜଧାନୀର ଗୃହିଣୀମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ।
ଆଜି ଥିଲା ଆଦିବାସୀ ମେଳାର ଚତୁର୍ଦ୍ଦଶ ଦିବସରେ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼ ।
ମଧ୍ୟାହ୍ନ ପରେ ବିଭିନ୍ନ ଫାଟକ ଦେଈ ମେଳାକୁ ଦର୍ଶକଙ୍କ ଲମ୍ବା ଲାଇନ୍ ଛୁଟିଥିଲା । ରାଜ୍ୟର କୋଣ ଅନୁକୋଣରୁ ବିଭିନ୍ନ ଉତ୍ପାଦିତ ସାମଗ୍ରୀକୁ ମେଳା ପରିସରରେ ବିକ୍ରି ଓ ପ୍ରଦର୍ଶନ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ।
ଏଥର ମେଳାରେ ଅଧିକାଂଶ ଷ୍ଟଲରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧିନସ୍ଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବେଶ୍ ଚାହିଦା ରହିଛି ।
ଆଦୀବାସୀଙ୍କ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ହଳଦୀ, ମାଣ୍ଡିଆ, କାନ୍ଦୁଲ, ବିରି, କୋଳଥ, ସୋରିଷ, ଅଦା, ଖଣ୍ଡ ହଳଦୀ, ବଡ଼ି, ଫୁଲଝାଡୁ ଆଦି ଅଧିକ ପରିମାଣରେ ବିକ୍ରି ହେଉଛି ।
ଜନଜାତି ବର୍ଗଙ୍କ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ସହ ସେମାନଙ୍କ ମଧ୍ୟରେ ସମବାୟର ଭାବନା ଜାଗ୍ରତ କରିବା ଉଦେ୍ଦଶ୍ୟରେ ଓଡ଼ିଶା ଆଦିବାସୀ ଉନ୍ନୟନ ସମବାୟ ନିଗମ ପକ୍ଷରୁ ମେଳାରେ ଖୋଲାଯାଇଥିବା ମଣ୍ଡପରେ ଅପେକ୍ଷାକୃତ ଅଧିକ ଗହଳି ହୋଇଥିଲା ।
ନିଗମ ପକ୍ଷରୁ ମେଳାରେ ଖୋଲିଥିବା ଏକ ସ୍ୱତନ୍ତ୍ର ମଣ୍ଡପରେ ଆଦିବାସୀ ସମ୍ପ୍ରଦାୟଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି ।
ଏହି ସବୁ ସାମଗ୍ରୀର ମୌଳିକତା ଓ ଗୁଣବତ୍ତା ଅଧିକ ଥିବାରୁ ଏବଂ ଅପମିଶ୍ରଣର ସମ୍ଭାବନା ଆଦୌ ନଥିବାରୁ ମଣ୍ଡପରେ ଅଧିକାଂଶ ସମୟରେ ଭିଡ଼ ହେଉଛି ।
ଲୋକାଲ ୱାୟାର
Leave a Reply