ଭୁବନେଶ୍ୱର, ଜାନୁଆରୀ ୧୬(ଲୋକାଲ ୱାୟାର): ବରିଷ୍ଠ ମଞ୍ଚ ଓ ସିନେମା ଅଭିନେତ୍ରୀ ସୌଦାମିନୀ ପତିଙ୍କର ଶନିବାର ଅପରାହ୍ନ ୨ଟା ୩୦ ମିନିଟରେ ପରଲୋକ ହୋଇଯାଇଛି ।
ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଭିଏସଏସ୍ ନଗର ବାସଭବନରୁ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ପରେ ମଞ୍ଚ ଓ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
ବାଲ୍ୟାବସ୍ଥାରୁ ଏଯାବତ୍ ଦୀର୍ଘ ଅର୍ଦ୍ଧଶତାଦ୍ଦୀରୁ ଅଧିକ କାଳ ଧରି ଓଡ଼ିଶା ରଙ୍ଗମଞ୍ଚକୁ ଅଭିନୟ ମାଧ୍ୟମରେ ଚଳଚଞ୍ଚଳ କରି ରଖିଥିଲେ ସେ ।
“ଯୌତୁକ’, “ଅଶୋକସ୍ତମ୍ଭ’, “ଏମିତି ବି ହୁଏ’ ଭଳି ଶତାଧିକ ମଞ୍ଚ ନାଟକରେ ଅଭିନୟ ସହିତ ଓଡ଼ିଆ ଚଳଚ୍ଚିତ୍ର “ଅମର ପ୍ରେମ’, “ମହାସତୀ ସାବିତ୍ରୀ’, “ନିଝୁମ ରାତିର ସାଥୀ’ ଓ ହିନ୍ଦୀ ଚଳଚ୍ଚିତ୍ର “ଶୋଧ’ରେ ତାଙ୍କ ଅଭିନୟ ଅଭୁଲା ହୋଇରହିବ ।
ଏତଦବ୍ୟତିତ ଆକାଶବାଣୀ, ଦୂରଦର୍ଶନ ଓ ଭାରତ ସରକାରଙ୍କ ସଙ୍ଗ୍ ଆଣ୍ଡ ଡ୍ରାମା ଡିଭିଜନର ଅସଂଖ୍ୟ ନାଟକରେ ଅଂଶଗ୍ରହଣ କରିଛନ୍ତି । ଓଡ଼ିଆ ନାଟକ ଜଗତକୁ ତାଙ୍କର ଅବଦାନ ଅତୁଳନୀୟ ।
ଏମିତି ଥିଲେ ସୌଦାମିନୀ ପତି
ନାମ: ସୌଦାମିନୀ ପତି
ପିତା: ବାଞ୍ଛାାନିଧି ପତି
ମାତା: ସୁନାମଣୀ ଦେବୀ
ସ୍ୱାମୀ: ନିରଞ୍ଜନ ଶତପଥୀ
ଜନ୍ମ: ସେପ୍ଟେମ୍ବର, ୧୯୪୭, ରମ୍ଭା
ଗାଁ ଓ ପରିବାରର ସମସ୍ତ ସଦସ୍ୟ କଳାପ୍ରେମୀ ଥିଲେ । ବାପାଙ୍କଠାରୁ ଆରମ୍ଭ କରି ବଡ଼ ଭଉଣୀ ଓ ପିଉସୀଙ୍କ ପର୍ଯ୍ୟନ୍ତ ସମସ୍ତେ କଳାକୁ ଭଲପାଉଥିଲେ ।
ବଡ଼ ଭଉଣୀ ବିନୋଦିନୀ ଦେବୀ ବାଳକୃଷ୍ଣ ଦାଶଙ୍କ ଶିଷ୍ୟଥିଲେ ଓ ପିଉସୀ ମଧ୍ୟ ଓଡ଼ିଶୀ ସଙ୍ଗୀତ ପରିବେଷଣ କରୁଥିଲେ ।
ସେମାନଙ୍କ ପ୍ରେରଣାରେ ପ୍ରେରିତ ହୋଇ ସୌଦାମିନୀ ନାଟକ କରିବାକୁ ଇଚ୍ଛା କରି ଆଗେଇ ଆସିଥିଲେ ।
ଗାଁରେ ଆଠ ବର୍ଷ ବୟସରେ “ଜୟଦେବ’ ନାଟକରେ ପଦ୍ମା ଭୂମିକାରେ ଅଭିନୟ କରିଥିଲେ । ପରେ ଜନତା ରଙ୍ଗମଞ୍ଚରେ ନିଜକୁ ସାମିଲ କରିଥିଲେ ।
୧୯୬୩ ମସିହାରେ ରଙ୍ଗମଞ୍ଚକୁ ଆସିଥିଲେ । ଘରର ବୋଝ ଓ ଅଭାବୀ ତାଙ୍କୁ ଏହା କରିବାକୁ ବାଧ୍ୟ କରିଥିଲା । ମାସକୁ ୪୫ଟଙ୍କା ମିଳିଲା ।
ସେଥିରୁ ୨୦ ଟଙ୍କା ବୋଉ ପାଖକୁ ପଠାଇ ୨୫ଟଙ୍କାରେ ଘର ଭଡ଼ ସହ ନିଜେ ଚଳୁଥିଲେ । ଏହି ଜନତା ରଙ୍ଗମଞ୍ଚରେ ହିଁ ନିଦେ୍ର୍ଦଶକ ନିରଞ୍ଜନ ଶତପଥୀଙ୍କ ସହ ଦେଖାହୋଇଥିଲା ।
ଅଭିନୟ କରିବାର ୨ମାସ ପରେ ତାଙ୍କ ସହିତ ବିବାହ ହୋଇଥିଲା । ଶ୍ରୀ ଶତପଥୀ ଜଣେ ଭଲ ନିଦେ୍ର୍ଦଶକ ଥିଲେ । ତାଙ୍କ ସହିତ ସେ ବହୁତ କାମ କରିଥିଲେ ।
ତାଙ୍କ ନିଦେ୍ର୍ଦଶନା ଓ ରଚନାରେ “ମଲାଜହ୍ନ’, “ନଷ୍ଟ ଉର୍ବଶୀ’, “ଝଞ୍ଜା’, “ପରକଲମ’, “ମଣିଷ’ ଭଳି ଅନେକ ନାଟକରେ ଅଭିନୟ କରିଥିଲେ ସୌଦାମିନୀ ।
ସୌଦାମିନୀଙ୍କ ଜୀବନ ଏକ ଅଭୁଲା ସ୍ମୃତି । ଅନେକ ସ୍ମୃତି ତ ଅଛି ହେଲେ ତାଙ୍କୁ ଗଭୀର ଭାବେ ଗୋଟିଏ ସ୍ମୃତି ପ୍ରଭାବିତ କରିଥିଲା ।
ତାହା ହେଲା ଦିନେ ମେସରେ ରୋଷେଇ ପାଇଁ କିଛି ନଥିଲା । ପାଖରେ ଟଙ୍କାଟିଏ ବି ନଥିଲା । ୧୯୬୬ ମସିହା କଥା, ଜନତା ରଙ୍ଗମଞ୍ଚରେ ନାଟକ କରୁଥାନ୍ତି “କାହାର ଛାଇ’ ।
ସେଥିରେ ଜମିଦାର ଘରର ଝିଅ ରୋଲ୍ ମିଳିଥାଏ । ଏପଟେ ଖାଇବାକୁ କିଛି ନ ଥାଏ । ସେଦିନ ସୌଦାମିନୀଙ୍କ ପାଇଁ ଏକ ଅଭୁଲା ଦିନ ଥିଲା । ଯାହା ସେ କେବେ ଭୁଲି ପାରିନଥିଲେ ।
ତାଙ୍କର ଶେଷ ଇଚ୍ଛା ଥିଲା ଈଶ୍ୱରଙ୍କ ପାଦତଳେ ଜୀବନ ଯାଉ ।
ଲୋକାଲ ୱାୟାର
Leave a Reply