କେନ୍ଦ୍ରାପଡ଼ା, ଅଗଷ୍ଟ ୨୨(ଲୋକାଲ ୱାୟାର): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ବୃକ୍ଷରୋପଣ ନ କରି ନଅ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଶନିବାର ରାଜନଗର ଗ୍ରାମ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗ୍ରାମ ରୋଜଗାର ସାଥୀ (ଜିଆର୍ଏସ୍) ବିରୋଧରେ ମାମଲା ରୁଜୁ କରିଥିବା ସ୍ଥାନୀୟ ପ୍ରଶାସନ କହିଛି ।
ଅନୁସନ୍ଧାନରୁ ଜଣାଯାଇଛି, ମନରେଗା ଯୋଜନାରେ ବୃକ୍ଷରୋପଣ କାମ ପାଇଁ ରାଜନଗର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରଭାତ ଚନ୍ଦ୍ର ମିଶ୍ର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଭାତ ମଲ୍ଲିକ ଏବଂ ଜିଆରଏସ୍ ପ୍ରମୋଦ ସାହୁ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।
ଅଧିକାରୀମାନେ ଏହି ବୃକ୍ଷରୋପଣ କାମରେ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରି ୯ ଲକ୍ଷ ୧୯ ହଜାର ୯୮୪ ଟଙ୍କା ଖର୍ଚ୍ଚ କରିଥିବା କାଗଜ କଲମରେ ଦର୍ଶାଇଥିଲେ ।
ତେବେ କେବଳ ଶ୍ରମିକମାନଙ୍କ ମଜୁରି ବାବଦକୁ ୨ ଲକ୍ଷ ୭୧ ହଜାର ୨୧୬ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଇଥିଲା ।
ବୃକ୍ଷରୋପଣ କାମ ଜୁନ୍ ୨୨ ତାରିଖରେ ଆରମ୍ଭ ହୋଇଥିଲା । ମାତ୍ର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ।
ଶ୍ରମିକମାନଙ୍କୁ ଏହି ଅଧିକାରୀମାନେ କେବଳ କାଗଜ କଲମରେ ପଇସା ପୈଠ କରିଥିବା ବେଳେ ରାଜନଗର ବ୍ଲକର ଅଳ୍ପ କିଛି ସ୍ଥାନରେ ଗଛ ଲଗାଇଥିବା ଜଣାଯାଇଛି ।
ଏ ବାବଦରେ ରାଜନଗର ବିଡିଓ ମନ୍ଦାରଧର ମଲ୍ଲିକ କହିଛନ୍ତି ବନୀକରଣ ଅର୍ଥ ହଡ଼ପ କରିଥିବା ଖବର ପାଇ ଜିଲ୍ଲାପାଳ ଅଭିଯୁକ୍ତ ବିରୋଧରେ ମାମଲା ଦାୟର କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପାଇଁ ମୁଁ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଆରଏସଙ୍କ ବିରୋଧରେ ରାଜନଗର ଥାନାରେ ମାମଲା ଦାୟର କରିଛି ।
ଅଭିଯୋଗକୁ ଭିତ୍ତିକରି ଥାନାଧିକାରୀ ଅଭିଯୁକ୍ତଙ୍କ ବିରୋଧରେ ୪୨୦, ୪୦୯ ଓ ଆଇପିସିର ଧାରା ୩୪ ଅନୁସାରେ ମାମଲା ରୁଜୁ କରିଛନ୍ତି ।
ଏନେଇ ରାଜନଗର ଥାନାଧିକାରୀ ତପନ ନାୟକଙ୍କୁ ଯୋଗାଯୋଗ କରାଯିବାରେ ସେ ଘଟଣାର ତଦନ୍ତ କରାଯାଉଥିବା କହିଛନ୍ତି ।
ତେବେ ଜିଲ୍ଲା ପ୍ରଶାସନ ଏହି ମାମଲାରେ ଶନିବାର ପଞ୍ଚାୟତ କାର୍ଯ୍ୟନିବାହୀ ଅଧିକାରୀ ଓ ଜିଆରଏସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛି ।
ବୃକ୍ଷରୋପଣ ଦୁର୍ନୀତି ମାମଲାରେ ସଂପୃକ୍ତ ଥିବାରୁ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ପଞ୍ଚାୟତିରାଜ ବିଭାଗକୁ ସୁପାରିଶ କରିଛୁ ବୋଲି କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ (ଡିଆର୍ଡିଏ) ଦିଲ୍ଲୀପ ପରିଡ଼ା କହିଛନ୍ତି ।
ଜିଲ୍ଲାରେ ହୋଇଥିବା ଏହି ବୃକ୍ଷରୋପଣ ଦୁର୍ନୀତି ଏକ ଉଦାହରଣ ମାତ୍ର ।
କରୋନା ମହାମାରୀ ଯୋଗୁଁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଶ୍ରମିକଙ୍କୁ ସ୍ୱରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ଜିଲ୍ଲାରେ ମନରେଗା ଯୋଜନା ଅନ୍ତର୍ଗତ ବୃକ୍ଷରୋପଣ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟ କାର୍ଯ୍ୟ କରୁଛି ।
ମାତ୍ର ପଞ୍ଚାୟତ କର୍ମୀ ଓ ଅନ୍ୟ ଅଧିକାରୀମାନେ ମିଶି ଏହି ଟଙ୍କା ହରିଲୁଟ୍ କରି ନେଉଥିବା ଜିଲ୍ଲା କୃଷକ ସଭା ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।
ଗତବର୍ଷ ଏକ ଆରଟିଆଇରୁ ଜଣାଯାଇଛି ଯେ ଜିଲ୍ଲାରେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଭିତରକନିକା ଜାତୀୟ ଉଦ୍ୟାନରେ ହେନ୍ତାଳ ଜଙ୍ଗଲ ରୋପଣ ନ କରି ଇଣ୍ଟିଗ୍ରେଟେଡ କୋଷ୍ଟାଲ୍ ଜୋନ୍ ମ୍ୟାନେଜମେଣ୍ଟ ପାଣ୍ଠି (ଆଇସିଜେଡଏମପି) ଅଧୀନରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ସହ ମିଶି ୨୫ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ।
ଲୋକାଲ ୱାୟାର
Leave a Reply