ଭୁବନେଶ୍ୱର, ନଭେମ୍ବର ୨୫(ଲୋକାଲ ୱାୟାର): ଆଜି ଭୁବନେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ଆକାଶରେ ଚନ୍ଦ୍ର ଚାରିପାଖେ ଏକ ବଳୟ ଥିବାର ଦେଖିବାକୁ ମିଳିଛି । ଯାହାକି ଇନ୍ଦ୍ରଧନୁ ରଙ୍ଗ ଭଳି ହୋଇଥିଲ ।
ଦୂର ଚାରିପାଖେ ହୋଇଥିବା ଏହି ବଳୟ ଏକ ବିରଳ ଦୃଶ୍ୟ । ଏ ବାବଦରେ ପଠାଣି ସାମନ୍ତ ପ୍ଲାନେଟାରିୟମ ଉପ-ନିଦେ୍ର୍ଦଶକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ସଂଘଟିତ ଏକ ଅସାଧାରଣ ଦୃଶ୍ୟ ।
ଯାହାକି ଆମ ଆଖିର ଏକ ଦୃଷ୍ଟିଭ୍ରମରୁ ସୃଷ୍ଟି ହୁଏ ବୋଲି କହିପାରିବା । ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ଏପରିକି ବେଳେ ବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଚାରିପଟେ ଏପରି ବଳୟ ସୃଷ୍ଟି ହୋଇଥାଏ ।
ଆମ ବାୟୁମଣ୍ଡଳରେ ଥିବା ମେଘଗୁଡ଼ିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି । ବରଫ ସ୍ଫଟିକଗୁଡ଼ିକ ଖୁବ ପତଳା ଓ ଷଡ଼ଭୂଜ ଆକାରର ।
ଏହି ଷଡ଼ଭୂଜ ସ୍ଫଟିକଗୁଡ଼ିକ ଯୋଡ଼ି ହୋଇ ରହିଥିବା ଦୁଇଟି ପ୍ରିଜିମ ଭଳି କାର୍ଯ୍ୟକରେ ।
ଫଳରେ ଏହି ବରଫ ସ୍ଫଟିକଗୁଡ଼ିକ ଯୋଡ଼ି ଯୋଡ଼ି ହୋଇ ରହିଥିବା ବେଳେ ପ୍ରତିଶରିତ ହୋଇ୨୨ ଡିଗ୍ରୀ କୋଣରେ ବାଙ୍କି ଯାଇଥାଏ । ଏଥିସହିତ ଆଲୋକ ୭ ରଙ୍ଗରେ ବିଭାଜିତ ହୋଇଥାଏ ।
ଯଦି କେତେବେଳେ ଆମଠାରୁ ୨୦ ହଜାର ଫୁଟ କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ପତଳା ମେଘ ରହେ ତେବେ ଦିନରେ ସୂର୍ଯ୍ୟ ଚାରିପାଖରେ ଓ ରାତିରେ ଚନ୍ଦ୍ର ଚାରିପାଖରେ ଏହିପରି ଏକ ବଳୟ ଦେଖାଯାଇଥାଏ ।
ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼େ ନାହିଁ । କିନ୍ତୁ ସାଧରଣତଃ ବାୟୁମଣ୍ଡଳରେ ଝଡ଼ ପୂର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ ।
ତେଣୁ ସାଧାରଣତଃ ସୂର୍ଯ୍ୟ ବା ଚନ୍ଦ୍ର ଚାରିପାଖରେ ଏକ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ।
ଲୋକାଲ ୱାୟାର
Leave a Reply