ଜଗତସିଂହପୁର, ଡିସେମ୍ବର ୨୨ (ଲୋକାଲ ୱାୟାର): ପ୍ରେମିକ ବାହା ହେବାକୁ ମନା କରିବାରୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଜିଲ୍ଲାନାସୀ ପଂଚାୟତର ଜଣେ ଗର୍ଭବତୀ ନାବାଳିକା ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବା ପରେ ସେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ।
ନବମ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ପଡୋଶୀ ଘରକୁ ଟ୍ୟୁସନ ଯାଉଥିଲେ ।
ବିବାହର ପ୍ରଲୋଭନ ଦେଖାଇ ଟ୍ୟୁସନ ଶିକ୍ଷକ ରଞ୍ଜନ ରାଉତ ନାବାଳିକା ସହ ଅବୈଧ ସମ୍ପର୍କ ରଖିଥିଲେ ।
ତେବେ ନାବାଳିକା ଜଣକ ଗର୍ଭବତୀ ହେବା ପରେ ରଞ୍ଜନ ତାଙ୍କୁ ଗର୍ଭପାତ ପାଇଁ ପ୍ରବର୍ତାଉ ଥିଲେ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା ।
ଲୋକଲଜ୍ଜା ଭୟରେ ନାବାଳିକା ଗର୍ଭବତୀ ହେବା କଥା ଜଣାଇ ନଥିଲେ ।
ଗର୍ଭ ଯନ୍ତ୍ରଣା ହେବାରୁ ନାବାଳିକା ମହାନଦୀର ବଡଶଙ୍ଖ ଘାଟକୁ ଯାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଜଣେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ ।
ପୁଲିସ ଘଟଣାସ୍ଥଳରେ ପହଁଚି ଆମ୍ବୁଲାନ୍ସ ଯୋଗେ ନାବାଳିକାଙ୍କୁ କୁଜଙ୍ଗ ସିଏଚସି ସ୍ଥାନାନ୍ତର କରିଥିଲା ।
ପଚରାଉଚୁରା ବେଳେ ନାବାଳିକା ସମସ୍ତ ଘଟଣା କହିଥିଲେ । ପୁଲିସ ଟ୍ୟୁସନ ଶିକ୍ଷକଙ୍କୁ ଅଟକ ରଖିଛି ।
ଏଫଆଇଆର ଦେବା ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁଜଙ୍ଗ ଥାନା ଆଇଆଇସି ପାରୋ ଟୁଡୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply