ଭୁବନେଶ୍ୱର, ଡିସେମ୍ବର ୨୦(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଆଖଡ଼ାଶାଳିରେ ମହାନଦୀରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦରରେ ପ୍ରାୟ ୪ ହଜାର ୬୨ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହାଦ୍ୱାରା ୬ ହଜାର ଲୋକଙ୍କୁ ନିଯୁକ୍ତି ମିଳିପାରିବ ବୋଲି ରବିବାର ବରିଷ୍ଠ ଅଧିକାରୀ କହିଛନ୍ତି ।
ପ୍ରସ୍ତାବିତ ବନ୍ଦର ପାରାଦୀପର ମହାନଦୀ ମୁହାଣରୁ ୧୩ କିଲୋମିଟର ଦୂରରେ ଗଢ଼ିଉଠିବ ।
ପିପିପି ମୋଡ୍ ରେ ହେଉଥିବା ଏହି ବନ୍ଦରର ବାର୍ଷିକ ପରିବହନ କ୍ଷମତା ରହିବ ୫୪ ମିଲିଅନ ଟନ୍ ।
ପ୍ରଥମ ପର୍ଯ୍ୟାୟରେ ପ୍ରସ୍ତାବିତ ବନ୍ଦରରେ ୨୫୬୨ କୋଟି ଟଙ୍କା ଖର୍ଚ୍ଚରେ ବାର୍ଷିକ ୨୨ ମିଲିଅନ ଟନ୍ କ୍ଷମତାର ସୁବିଧା ପ୍ରସ୍ତୁତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
ପ୍ରଥମ ପର୍ଯ୍ୟାୟରେ ୪ ହଜାର ଲୋକଙ୍କୁ ଏବଂ ପରେ ୧୭ଶହ ଲୋକଙ୍କୁ ଏଠାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ନିଯୁକ୍ତିର ସୁଯୋଗ ମିଳିପାରିବ ।
ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୩ ଶହ ହେକ୍ଟର ଜମି ଚିହ୍ନଟ କରିଛନ୍ତି । ୨୦୧୮ରେ ଏହି ବନ୍ଦର ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଆଗେଇଥିଲେ ମଧ୍ୟ ପ୍ରକଳ୍ପକୁ ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଥିବା କମ୍ପାନିମାନେ ଅନାଗ୍ରହ ଦେଖାଇଥିଲେ ।
ପରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଏଥିପାଇଁ ଆଗ୍ରହ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ମଧ୍ୟ ଏହି ପ୍ରସ୍ତାବରେ ସହମତି ଦେଇଛି, ଯାହାର କି ବିକାଶ ଦାୟିତ୍ୱ ନେଇଛି ପାରାଦୀପ ବନ୍ଦର ଟ୍ରଷ୍ଟ ।
ଋବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ. ପାଣ୍ଡିଆନ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ପାରାଦୀପ ବନ୍ଦର ଟ୍ରଷ୍ଟ ଅଧ୍ୟକ୍ଷ ରିଙ୍କେଶ ରାୟ ପ୍ରମୁଖ ପାରାଦୀପ ବନ୍ଦରାଞ୍ଚଳର ବିକାଶ ସମ୍ପର୍କେରେ ଆଲୋଚନା କରିବା ସହ ବୋଟ୍ ଯୋଗେ ପ୍ରସ୍ତାବିତ ବନ୍ଦର ସ୍ଥାନକୁ ଯାଇ ସ୍ଥିତିର ସମୀକ୍ଷା କରିଥିଲେ ।
ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନରେ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଉପସ୍ଥିତ ଥିଲେ ।
ପ୍ରସ୍ତାବିତ ବନ୍ଦର, ହରିଦାସପୁର-ପାରାଦୀପ ରେଳ ଲାଇନ ଆଦି ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ଆର୍ଥିକ ବିକାଶ ହୋଇପାରିବ ବୋଲି ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ।
ମହାକାଳପଡ଼ା ବନ୍ଦର ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାୟନକୁୁ ପ୍ରୋତ୍ସାହନ ମିଳିପାରିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାର ତଦାରଖ କରୁଛନ୍ତି ବୋଲି ଅଧିକାରୀ କହିଥିଲେ ।
ଲୋକାଲ ୱାୟାର
Leave a Reply