ବ୍ରହ୍ମପୁର, ନଭେମ୍ବର ୧୦ (ଲୋକାଲ ୱାୟାର): କରୋନା ଦ୍ୱିତୀୟ ଲହର ଆସୁଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚେତାବନୀ ପରେ ଅଧିକ କପଡା ମାସ୍କ ସିଲେଇ କରିବାକୁ ପ୍ରସ୍ତୁତ ଅଛନ୍ତି ଗଞ୍ଜାମ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ।

ମିଶନ ଶକ୍ତି ଅନ୍ତର୍ଗତ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ପ୍ରାୟ ୧୨ ଲକ୍ଷ ମାସ୍କ ପ୍ରସ୍ତୁତ କରି ସାରିଲେଣି ।

ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଜରିଆରେ ସମସ୍ତଙ୍କ ପାଖରେ ମାସ୍କ ପହଞ୍ଚାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି ।

ଏହି ଉଦ୍ୟମ କେବଳ ଲୋକଙ୍କୁ କରୋନାରୁ ସୁରକ୍ଷିତ ରଖୁନାହିଁ ବରଂ ଶହ ଶହ ମହିଳାଙ୍କୁ ଜୀବିକା ପ୍ରଦାନ କରିଛି ।

ମାସ୍କ ସିଲେଇ କରିବାର ଅଭିଜ୍ଞତା ରହିଛି । ବରାଦ ମିଳିଲେ ଅଧିକ ମାସ୍କ ତିଆରି କରିବାକୁ ପ୍ରସ୍ତୁତ ଅଛୁ ବୋଲି ହିଞ୍ଜିଳି ବ୍ଲକ ନନ୍ଦିକା ପଂଚାୟତର ମା ସିଂହବାହିନୀ ଏସଏଚଜି (ଟେଲରିଂ ୟୁନିଟ) ସଭାପତି ନନ୍ଦିନୀ ପ୍ରଧାନ କହିଛନ୍ତି ।

ମିଶନ ଶକ୍ତି ସହାୟତାରେ ପଞ୍ଚାୟତର ୧୦ଟି ଏସଏଚଜିର ପ୍ରାୟ ୩୭ ସଦସ୍ୟା ଉତ୍ପାଦକ ଗୋଷ୍ଠୀ ଗଢି ପ୍ରାୟ ୨.୪୪ ଲକ୍ଷ ମାସ୍କ ସିଲେଇ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ମାସ୍କ ତିଆରି ଓ ବିକ୍ରି କରି ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ୨୦ରୁ ୩୫ ହଜାର ଟଙ୍କା ରୋଜଗାର କରିଛନ୍ତି ।

କରୋନା ବିରୋଧୀ ଲଢ଼େଇ ପାଇଁ ନିଜ ଲାଭରୁ ପାଞ୍ଚ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛୁ । ମାସ୍କ ତିଆରି କରି ଗ୍ରୁପ ୧.୧୯ ଲକ୍ଷ ଟଙ୍କା ଲାଭ କରିଛି ।

ଜିଲ୍ଲା ପ୍ରଶାସନ ତଥା କିଛି ସଙ୍ଗଠନ ଆମ ଠାରୁ ମାସ୍କ କିଣି ନେଉଥିବାରୁ ବିକ୍ରିରେ କୌଣସି ଅସୁବିଧା ହୋଇନଥିଲା ବୋଲି ଗୋଷ୍ଠୀର ସମ୍ପାଦକ ଭାରତୀ ପ୍ରଧାନ କହିଛନ୍ତି ।

ମାସ୍କ ସିଲେଇ ବ୍ୟତୀତ ସେମାନେ ପ୍ରି-ସ୍କୁଲ ପିଲାଙ୍କ ୟୁନିଫର୍ମ ମଧ୍ୟ ସିଲେଇ କରନ୍ତି ।

ସିଲେଇ ଶିଖିବା ପରେ ଗୋଷ୍ଠୀ ବିନା ସୁଧରେ ୧.୫୦ ଲକ୍ଷ ଟଙ୍କା ଋଣ ଆଣି କଂଚାମାଲ ଓ ମେସିନ କିଣିଥିଲେ ବୋଲି ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାଶ୍ୱତ କୁମାର ସାହୁ କହିଛନ୍ତି ।

ଲୋକାଲ ୱାୟାର