ଭୁବନେଶ୍ୱର, ଅଗଷ୍ଟ ୧୦(ଲୋକାଲ ୱାୟାର): ନୂଆପଡ଼ା ଜିଲ୍ଲାର ବିଜୁ ପଟ୍ଟନାୟକ ମାନସିକ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ବିଶ୍ୱ ଭିନ୍ନକ୍ଷମ ଦିବସ ଡିସେମ୍ବର ୩,୨୦୨୦ରେ ୨୦ ବର୍ଷ ପୂରଣ କରିବାକୁ ଯାଉଛି ।
ଜାଣତ ହେଉ ଅବା ଅଜାଣତରେ ଅଭିଭାବକଙ୍କ ଦ୍ୱାରା ଅବହେଳିତ ହେଉଥିବା ମାନସିକ ଅନଗ୍ରସର ପିଲାଙ୍କ ପାଇଁ କିଛି କରିବା ଉଦେ୍ଦଶ୍ୟରେ ତକ୍ରାଳୀନ ଜିଲ୍ଲାପାଳ ବିଷ୍ଣୁପଦ ସେଠି ଆର୍ଥିକ ମଞ୍ଜୁରି ନଥିବା ସତ୍ୱେ ୨୦୦୦ ମସିହାରେ ସ୍କୁଲଟି ପ୍ରତିଷ୍ଠା କରିଥିଲେ ।
ଜିଲ୍ଲା ରେଡକ୍ରସ ସୋସାଇଟିର ଅଧ୍ୟକ୍ଷ ଥିବା ଜିଲ୍ଲାପାଳ ବିଷ୍ଣୁପଦ ସେଠିଙ୍କ ଉଦ୍ୟମ କ୍ରମେ ସୋସାଇଟି ଅଧିନରେ ସ୍କୁଲଟି ପ୍ରତିଷ୍ଠା ହୋଇଥିଲା ।
ଗ୍ରାମ ପଞ୍ଚାୟତରେ ଅଖା ବସ୍ତା ବିକ୍ରି ସମେତ ବିଭିନ୍ନ ସୂତ୍ରରୁ ୫ ଲକ୍ଷ ଟଙ୍କା ସଂଗ୍ରହ କରା ଯାଇଥିଲା ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଏହି ସ୍କୁଲ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ରହିଛନ୍ତି ।
ଯେତେବେଳେ ବି ସ୍କୁଲରେ କୌଣସି ଆର୍ଥିକ ସମସ୍ୟା ଉପୁଜେ ସେ ଅର୍ଥ ଯୋଗାଡ କରିବାରେ ସାହାଯ୍ୟ କରିଥାନ୍ତି ।
ବର୍ତ୍ତମାନର ଜିଲ୍ଲାପାଳ ମଧୁସ୍ମିତା ସାହୁ ନିୟମିତ ଭାବେ ସ୍କୁଲ ପରିଦର୍ଶନ କରନ୍ତି, ଯାହା ପିଲାଙ୍କ ମନୋବଳ ବୃଦ୍ଧି କରିଥାଏ । ୩୫ ଜଣ ପିଲାଙ୍କୁ ନେଇ ଏକ ଭଡ଼ା ଘରେ ସ୍କୁଲଟି ଆରମ୍ଭ ହୋଇଥିଲା ।
ଡିସେମ୍ବର ୧୮, ୨୦୨୦ରେ ଅଧ୍ୟକ୍ଷା ନିଯୁକ୍ତ ହୋଇଥିବା ରାଜେଶ୍ୱରୀ ସାମନ୍ତ ଏବେ ବି ଅଧ୍ୟକ୍ଷା ଭାବେ କାମ କରୁଛନ୍ତି ।
୨୦୦୩ରେ ଜିଲ୍ଲା ଗ୍ରାମୀଣ ବିକାଶ ଏଜେନ୍ସି (ଡିଆରଡିଏ) ୨.୮୪ ଏକର ଜମିରେ ସ୍କୁଲ ଘର ନିର୍ମାଣ କରିଥିଲା ।
ଏହି ସ୍କୁଲରେ ନାମ ଲେଖାଉଥିବା ପିଲାମାନେ ସାଧାରଣତଃ ଅଟିଜିମ୍, ମସ୍ତିଷ୍କ ପକ୍ଷାଘାତ, ମାନସିକ ଅନଗ୍ରସରତା, ଏକାଧିକ ଭିନ୍ନକ୍ଷମତା ଓ ଅନ୍ୟ ସାଧାରଣ ଭିନ୍ନକ୍ଷମତା ଭୋଗୁଥାନ୍ତି ।
ବ୍ୟାପକ ମୂଲ୍ୟାଙ୍କନ କରାଯାଇ ସେମାନଙ୍କୁ ସାମାନ୍ୟ, ମଧ୍ୟମ କିମ୍ବା ଗୁରୁତର ଭିନ୍ନକ୍ଷମ ବର୍ଗରେ ସାମିଲ କରାଯାଇ ସେହି ଅନୁଯାୟୀ ସେମାନଙ୍କ ଶିକ୍ଷାଦାନ କରା ଯାଇଥାଏ ।
ସାମାନ୍ୟ ଭିନ୍ନକ୍ଷମ ପ୍ରାୟ ୫ଟି ପିଲା ସୁସ୍ଥ ହେବା ପରେ ସେମାନଙ୍କୁ ସାଧାରଣ ସ୍କୁଲରେ ପଢ଼ିବାକୁ ପ୍ରୋତ୍ସାହିତ କରାଯାଇଥିଲା ।
ସମାଜରେ ଉପଯୋଗୀ ତଥା ପରିପୂର୍ଣ୍ଣ ଜୀବନ ଜୀଇଁବାକୁ ମଧ୍ୟମ ଭିନ୍ନକ୍ଷମ ପିଲାଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଧନ୍ଦାମୂଳକ ପ୍ରଶିକ୍ଷଣ ଓ ଶିକ୍ଷା ପ୍ରଦାନ କରାଯାଉଛି ।
ରବି ଶବର ଓ ରମନଲାଲ ପଟେଲଙ୍କ ଉଦାହରଣରୁ ଏହା ଭଲ ଭାବେ ଜାଣିହେବ । ମାନସିକ ପକ୍ଷାଘାତରେ ପୀଡିତ ରବି ଶବର ଏବେ ଜଣେ ସଫଳ ଯୁବକ ।
ସ୍କୁଲ ପରିବେଶ ଓ ପାଠ୍ୟକ୍ରମ ସହ ଅଭ୍ୟସ୍ତ ହେବା ପରେ ସେ ନିଜର ଅନେକ ଦକ୍ଷତା ଓ କୌଶଳ ପ୍ରଦର୍ଶନ କରିଥିଲେ । ପ୍ରତିଭା ପ୍ରଦର୍ଶନ ସୁଯୋଗ ପାଇବା ପରେ ତାଙ୍କ ଅନନ୍ୟ ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା ।
ସେ ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ସଫଳତା ପାଇଥିଲେ । ରାଜ୍ୟସ୍ତରୀୟ ଭିନ୍ନକ୍ଷମ ପିଲାଙ୍କ ପାଇଁ କୌତୁକ ପୋଷାକ ପ୍ରତିଯୋଗିତାରେ ସେ ପ୍ରଥମ ପୁରସ୍କାର ଜିତିଥିଲେ ।
ଭିନ୍ନକ୍ଷମ କଲ୍ୟାଣ ଜାତୀୟ ନ୍ୟାସ ପ୍ରାୟୋଜିତ ଘରୋନ୍ଦା ଯୋଜନାରେ ରବି ଏବେ ସ୍କୁଲରେ ସହାୟକ ଭାବେ ନିଯୁକ୍ତ ହୋଇଛନ୍ତି ।
ମାସକୁ ପାଉଥିବା ୫ ହଜାର ଟଙ୍କାରେ ସେ ନିଜ ଖର୍ଚ୍ଚ ତୁଲାଇବା ସହିତ ପରିବାରର ଖର୍ଚ୍ଚ ତୁଲାଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ।
ସେହିପରି ଆଉ ଜଣେ ମାନସିକ ପକ୍ଷାଘାତ ପୀଡ଼ିତ ରମନଲାଲ ପଟେଲ ସ୍କୁଲର ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ଉଲ୍ଲେଖନୀୟ ପ୍ରଦର୍ଶନ କରି ଆସୁଥିଲେ ।
ରମନଲାଲ କମ୍ପୁ୍ୟଟର ଶିକ୍ଷା ପ୍ରତି ଆଗ୍ରହୀ ଥିବାରୁ ତାଙ୍କୁ ସ୍କୁଲ ତରଫରୁ ସୁବିଧା ଯୋଗାଇ ଦିଆ ଯାଇଥିଲା ।
କ୍ରମେ ସମାଜର ମୁଖ୍ୟସ୍ରୋତକୁ ଫେରି ଆସି ସେ ବାପାଙ୍କ ତେଜରାତି ଦୋକାନରେ ସାହାଯ୍ୟ କରୁଛନ୍ତି । ସ୍କୁଲରେ ପିଲାଙ୍କ ଯତ୍ନ ନେବାରେ ମଧ୍ୟ ରମନଲାଲ ସାହାଯ୍ୟ କରୁଛନ୍ତି ।
ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କୁ ମାସକୁ ୪୫୦୦ ଟଙ୍କା ମିଳୁଛି । କୋଭିଡ-୧୯ ଯୋଗୁଁ ସ୍କୁଲ ଏବେ ବନ୍ଦ ଥିବାରୁ ପିଲାମାନେ ନିଜ ନିଜ ଘରେ ଅଛନ୍ତି ।
ଲୋକାଲ ୱାୟାର
Leave a Reply