ଭୁବନେଶ୍ୱର, ନଭେମ୍ବର ୨୩(ଲୋକାଲ ୱାୟାର): କରୋନା ଲଢ଼େଇ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ମାସ୍କ ଓ ପିପିଇ କ୍ରୟରେ ଦୁର୍ନୀତି ହେଇଥିବା ନେଇ ଏକ ମାମଲାର ଶୁଣାଣି ଅବସରରେ ସୋମବାର ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି ।
ଏହି ମାମଲାରେ ପୂର୍ବରୁ ଗତ ୫ତାରିଖରେ କେତେକ ତଥ୍ୟ ପ୍ରଦାନ ସକାଶେ ଲୋକାୟୁକ୍ତଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ନୋଟିସ କରାଯାଇଥିଲା ।
କିନ୍ତୁ ଏହାର ଉତ୍ତର ଦାଖଲ ହୋଇ ନଥିବାରୁ ଆଜି ଶୁଣାଣି ଅବସରରେ ଲୋକାୟୁକ୍ତ ଅସନ୍ତୋଷ ପ୍ରକାଶ କରିଥିଲେ ।
ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୭ ତାରିଖରେ ହେବ ବୋଲି ଲୋକାୟୁକ୍ତ ଧାର୍ଯ୍ୟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଉପରୋକ୍ତ ଦୁଇ ଅଧିକାରୀ ତୃତୀୟ ଥର ପାଇଁ ଏହି ମାମଲାରେ ଲୋକାୟୁକ୍ତଙ୍କ ସମ୍ମୁଖରେ ହାଜର ହୋଇଛନ୍ତି ।
ପ୍ରଥମେ ଅଗଷ୍ଟ ୧୧ ତାରିଖରେ ସେମାନଙ୍କୁ ହାଜର ହେବାକୁ ନୋଟିସ ହୋଇଥିଲେ ମଧ୍ୟ ହାଜର ହୋଇ ନଥିଲେ ।
ତେବେ ତଦନ୍ତ ନିର୍ଦ୍ଦେଶ ଦେବାକୁ ଲୋକାୟୁକ୍ତ ଚେତାବନୀ ଦେବା ପରେ ଦୁଇ ଅଧିକାରୀ ସେପ୍ଟେମ୍ବର ୧୪ ତାରିଖରେ ହାଜର ହୋଇଥିଲେ ।
ପୁନର୍ବାର ସେମାନେ ନଭେମ୍ବର ୪ ତାରିଖରେ ମଧ୍ୟ ହାଜର ହୋଇଥିଲେ ।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ମାସ୍କ ଓ ପିପିଇ କିଟ୍ କ୍ରୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ରାଜ୍ୟ ଓଡ଼ିଶା ବିକାଶ ପରିଷଦ ଏବଂ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତିରେ ଅନେକ ଆଇଏଏସ ଅଧିକାରୀ ସଂପୃକ୍ତ ଥିବା ଅଭିଯୋଗରେ ଦର୍ଶାଯାଇଛି ।
ଲୋକାଲ ୱାୟାର
Leave a Reply