ଭବାନୀପାଟଣା, ଜାନୁଆରୀ ୨ (ଲୋକାଲ ୱାୟାର): ଦାନ ମାଝିଙ୍କ ଘଟଣା ମନରୁ ନଲିଭୁଣୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ପୁଣି ଥରେ କାନ୍ଧରେ ମୃତଦେହ ବୁହାହେବା ଘଟଣାକୁ ନେଇ ଗୁରୁବାର ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବରାପାଲି ଗାଁର କୁନି ନାଏକଙ୍କୁ ଜର ହେବାରୁ ବୁଧବାର ପରିବାରଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା।
ମୃତଦେହ ଗାଁକୁ ନେବା ଲାଗି ମହାପ୍ରୟାଣ ଗାଡ଼ି ପାଇଁ ଅନୁରୋଧ କରିବା ସତ୍ତ୍ବେ ଚିକିତ୍ସାଳୟର କର୍ମଚାରୀ ବିଭିନ୍ନ ବାହାନା କରି କଥାକୁ ଆଡେଇ ଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି।
ଶେଷରେ ସେମାନେ ବାଧ୍ୟ ହୋଇ ମୃତଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରି ଥିଲେ।
ପରିବାରଲୋକେ ୮ କିଲୋମିଟର ବାଟ ମୃତଦେହକୁ ବୋହି ନେବା ପରେ ସେମାନଙ୍କ ପାଖରେ ମହାପ୍ରୟାଣ ଗାଡି ପହଞ୍ଚିଥିଲା।
ତେବେ ଗାଁଲୋକେ ନିଜସ୍ୱ ଖର୍ଚ୍ଚରେ ଏକ ଗାଡିରେ କୁନିଙ୍କ ମୃତଦେହ ଗାଁକୁ ନେଇଥିଲେ।
ତେବେ ଏହି ଖବର ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ଥିବାବେଳେ ଏଭଳି ଅଭିଯୋଗକୁ କଳାହାଣ୍ଡି ଜିଲ୍ଲାପାଳ ଟ୍ବିଟର୍ ଯୋଗେ ଖଣ୍ଡନ କରିଛନ୍ତି।
ଲୋକାଲ ୱାୟାର
Leave a Reply