ଭୁବନେଶ୍ୱର, ଅଗଷ୍ଟ ୨୪(ଲୋକାଲ ୱାୟାର): ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ଅଧୀନରେ ଫିଟନେସ୍, ପରମିଟ୍, ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଅନ୍ୟ ଡକ୍ଯୁମେଣ୍ଟର ବୈଧତାକୁ ୨୦୨୦ ଡିସେମ୍ବର ୩୧ ଯାଏଁ ସମ୍ପ୍ରସାରଣ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ନିଷ୍ପତ୍ତି ନେଇଥିବା ସୋମବାର ସରକାରୀ ଭାବେ କୁହାଯାଇଛି ।

ଏହାପୂର୍ବରୁ ମୋଟର ଯାନ ଆଇନ, ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଯାନ ନିୟମ, ୧୯୮୯ ସହ ଜଡ଼ିତ ଡକ୍ଯୁମେଣ୍ଟର ବୈଧତା ସମ୍ପ୍ରସାରଣ ନେଇ ମନ୍ତ୍ରାଳୟ ମାର୍ଚ୍ଚ ୩୦ ଓ ଜୁନ୍ ୯ରେ ଆଦେଶନାମା ଜାରି କରିଥିଲା ।

ଏଥିରେ କୁହାଯାଇଥିଲା ଫିଟନେସ୍, ପରମିଟ୍ (ସମସ୍ତ ପ୍ରକାର), ଲାଇସେନ୍ସ, ପଞ୍ଜୀକରଣ କିମ୍ବା ଏହାସହ ଜଡ଼ିତ ଅନ୍ୟ ଡକୁ୍ୟମେଣ୍ଟକୁ ୨୦୨୦ ସେପ୍ଟେମ୍ବର ୩୦ ଯାଏଁ ବୈଧ ଭାବେ ବିବେଚନା କରାଯିବ ।

ସାରା ଦେଶରେ କୋଭିଡ୍-୧୯ ସଂକ୍ରମଣ ଜାରି ରହିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ଯରେ ଉପରୋକ୍ତ ସମସ୍ତ ଡକ୍ଯୁମେଣ୍ଟର ବୈଧତାକୁ ପୁନଶ୍ଚ ସମ୍ପ୍ରସାରଣ ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏହା ଅଧୀନରେ ଲକଡାଉନ୍ କାରଣରୁ ଯେଉଁସବୁ ଡକୁ୍ୟମେଣ୍ଟର ବୈଧତା ସମ୍ପ୍ରସାରଣ ହୋଇପାରିନାହିଁ ଏବଂ ୨୦୨୦ ଫେବ୍ରୁଆରୀ ୧ ପରଠାରୁ ଏକ୍ସପାଏରୀ ହୋଇଯାଇଥିବା କିମ୍ବା ୨୦୨୦ ଡିସେମ୍ବର ୩୧ ସୁଦ୍ଧା ଏକ୍ସପାଏରୀ ହେବାକୁ ଯାଉଥିବା ସମସ୍ତ ଡକ୍ଯୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ଯାଏଁ ବୈଧ ଭାବେ ବିବେଚନା କରାଯିବ ।

ପ୍ରବର୍ତ୍ତନ କର୍ତ୍ତୃପକ୍ଷ ଏଭଳି ଡକ୍ଯୁମେଣ୍ଟକୁ ୨୦୨୦ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୈଧ ଭାବେ ବିଚାର କରିବେ ବୋଲି ପରାମର୍ଶ ଦିଆଯାଇଛି ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ଏହି ପଦକ୍ଷେପ ଦେଶର ନାଗରିକଙ୍କୁ ପରିବହନ ସମ୍ପର୍କିତ ସେବାରେ ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି ।

ଲୋକାଲ ୱାୟାର