ଭୁବନେଶ୍ୱର,ଜୁଲାଇ ୧୧ (ଲୋକାଲ ୱାୟାର):ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମୋ_କଳାରେ_କାଳିଆ ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଯୋଗ ଦେଇ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ ସହ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

ମନ୍ତ୍ରୀ ବକ୍ତବ୍ୟରେ କହିଥିଲେ, ଶ୍ରୀଜଗନ୍ନାଥ ସଂସ୍କୃତି ହେଉଛି ଏ ଉତ୍କଳ ମାଟିର ପରିଚୟ ।

ତେଣୁ ଯେତେବେଳେ ବି କୌଣସି କଳାକାର ତାର କଳା ନୈପୁଣ୍ୟତା ପ୍ରତିପାଦନ କରେ ନିଶ୍ଚିତ ଭାବରେ ସେଥିରେ ଜଗନ୍ନାଥ ସଂସ୍କୃତିର ଛାପ ରହିଥାଏ।

ତେଣୁ ମୋର ବିଶ୍ୱାସ *“ମୋ କଳାରେ କାଳିଆ* ” କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ସମସ୍ତ କଳାପ୍ରେମୀଙ୍କୁ ଭଲ ଲାଗିବ ।

ଏଥିପାଇଁ ଓଡିଶା ସଂଗୀତ ନାଟକ ଏକାଡେମୀର ଉଦ୍ୟମ ପ୍ରଶଂସନୀୟ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ, ନିର୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ଥିଲେ ।

ଏକାଡେମୀ ସଚିବ ପ୍ରବୋଧ ରଥ ସମସ୍ତଙ୍କୁ ସ୍ୱାଗତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲେ ।

ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ନିଜ ଅନୁଭୂତି ବଖାଣିଥିଲେ ।

ଏହି ଆଲୋଚନାରେ ସଙ୍ଗୀତଜ୍ଞ ଲଷ୍ମୀକାନ୍ତ ପାଲିତ, ଧନେଶ୍ୱର ସ୍ୱାଇଁ, ଓଡିଶୀ ନୃତ୍ୟ ଶିଳ୍ପୀ ଗଜେନ୍ଦ୍ର ପଣ୍ଡା, ମୀରା ଦାସ, ବିଜନ କୁମାର ପଳାଇ, ଲୋକ ନୃତ୍ୟ ଶିଳ୍ପୀ ଆଲୋକ ବିଶୋଇ, ମାହାରୀ ଶିଳ୍ପୀ ରୂପଶ୍ରୀ ମହାପାତ୍ର, ନାଟ୍ୟକାର ଶଙ୍କର ତ୍ରିପାଠୀ ପ୍ରମୁଖ ସାମିଲ ହୋଇଥିଲେ ।