ଭୁବନେଶ୍ୱର, ଜାନୁଆରୀ ୧୫(ଲୋକାଲ ୱାୟାର): ରାଜ୍ୟ ସରକାରଙ୍କ ବହୁ ବିଭାଗ ‘ମୋ ସରକାର’ରେ ସାମିଲ ହୋଇ ସାରିଥିବା ବେଳେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ବିଭାଗ ଏବେ ସାମିଲ ହେଲା ବୋଲି ବୁଧବାର ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ଜନସଂଖ୍ୟାର ୭୦ ପ୍ରତିଶତ ଏସସି-ଏସଟି ଓ ପଛୁଆ । ସମଗ୍ର ରାଜ୍ୟର ଉନ୍ନତି ପାଇଁ ଏହି ବର୍ଗର ବିକାଶ ଆବଶ୍ୟକ ।
ତେଣୁ ଏସସି/ଏସଟି ବିଭାଗକୁ ‘ମୋ ସରକାର’ରେ ସାମିଲ କରାଯାଇଛି । ଏସଟି-ଏସସି ବିଭାଗ ଆବାସିକ ସୁବିଧା ସହ ଶିକ୍ଷା ପ୍ରଦାନ ଦିଗରେ ବହୁ ପଦକ୍ଷେପ ନେଇଛି ।
୬ ଲକ୍ଷରୁ ଅଧିକ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀ ପ୍ରାୟ ୬୫୦୦ ହଷ୍ଟେଲରେ ରହି ପଢ଼ୁଛନ୍ତି ।
୨୨ଟି ସମନ୍ୱିତ ଆଦିବାସୀ କଲ୍ୟାଣ ସଂସ୍ଥା ଓ ଆଦିମ ଜନଜାତିଙ୍କ ପାଇଁ ଥିବା ୧୭ଟି ମାଇକ୍ରୋ ପ୍ରକଳ୍ପରେ ବର୍ତ୍ତମାନ ‘ମୋ ସରକାର’ ଲାଗୁ ହୋଇଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଉପସ୍ଥଇତ ଥିବା ବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ ତୁମୁଡ଼ିବନ୍ଧ, ଫିରିଙ୍ଗିଆ, ଖରିଆରର ମଙ୍ଗଳ ସମ୍ପ୍ରସାରଣ ଅଫିସର, କରଞ୍ଜିଆ ଓ ପାନପୋଷର ସମନ୍ୱିତ ଆଦିବାସୀ କଲ୍ୟାଣ ସଂସ୍ଥା (ଆଇଟିଡିଏ)ର ପ୍ରକଳ୍ପ ଅଧିକାରୀ ଏବଂ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ସେ କଥା ହୋଇଥିଲେ ।
ଲୋକାଲ ୱାୟାର
Leave a Reply