ଯାଜପୁର, ଅଗଷ୍ଟ ୮(ଲୋକାଲ ୱାୟାର): ଯାଜପୁର ଜିଲ୍ଲା ରାଧାନଗର ଅଞ୍ଚଳର ଚାଷୀ ବେଣୁଧର ନାୟକଙ୍କ କ୍ଷେତରୁ ପ୍ରଥମ ଶତାବ୍ଦୀ ତଥା କୁଶାଣ ସମୟର ଏକ ସୂର୍ଣ୍ଣ ମୁଦ୍ରା ମିଳିଛି । ଯାହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।
ଏ ବାବଦରେ ଗବେଷକ ତଥା ଓଡିଶା ଇନଷ୍ଟିଚ୍ୟୁଟ୍ ଅଫ୍ ମାରିଟାଇମ୍ ଏବଂ ଦକ୍ଷିଣ ପୂର୍ବ ଏସୀୟ ଷ୍ଟଡିଜର ସଚିବ ପ୍ରତ୍ନତତ୍ତ୍ୱବିତ୍ ସୁନିଲ କୁମାର ପଟ୍ଟନାୟକ କହିଛନ୍ତି, ଏହା ରାଧାନଗର ଅଞ୍ଚଳରୁ ଏକ ବଡ଼ ଆବିଷ୍କାର ବୋଲି କହି ହେବ ।
ଆମେ ଘଟଣା ସମ୍ପର୍କରେ ଶୁଣିବା ପରେ ଶୁକ୍ରବାର ବେଣୁଧରଙ୍କ ଘରକୁ ଯାଇ ତାଙ୍କଠାରୁ ସୁନା ମୁଦ୍ରା ସଂଗ୍ରହ କରିଛୁ । ଏହି ସୁନା ଟଙ୍କା ୭ ଗ୍ରାମ ଓଜନର ହୋଇଥିବା ବେଳେ ଏହା କୁଶାଣ ସମୟର ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି ।
ପ୍ରତ୍ନତତ୍ତ୍ୱବିତ୍ ସୁନୀଲ କୁମାର ପଟ୍ଟନାୟକ କହିଛନ୍ତି, କୁଶାଣମାନେ ଉତ୍ତର ଭାରତ ଏବଂ ମଧ୍ୟ-ଏସିଆ ଆଦିରେ ରହୁଥିବା ବେଳେ ଏମାନେ ବୌଦ୍ଧ ଧର୍ମର ପୃଷ୍ଠପୋଷକତା କରିବା ସହ ବାଣିଜ୍ୟ କାରବାର କରୁଥିଲେ ।
ମିଳିଥିବା ସୁନା ମୁଦ୍ରାରେ ବ୍ରାହ୍ମୀ ଓ ଗ୍ରୀକ୍ ଲିପି ପାଇଛୁ । ଏଥିରୁ ଜଣାଯାଉଛି, ଏହି ମୁଦ୍ରାର ବ୍ୟବହାରକାରୀମାନଙ୍କର ଇଣ୍ଡୋ ଗ୍ରୀକ୍ ଓ ଇଣ୍ଡୋ ସ୍କିଥୋ ଶାସକମାନଙ୍କ ସହ ସମ୍ପର୍କ ଥିଲା ।
ବୌଦ୍ଧ ପର୍ଯ୍ୟଟନ ସ୍ଥଳୀ ରାଧାନଗର ଅଞ୍ଚଳରୁ ସୁନା ମୁଦ୍ରା ବାହାରିବାର ଅର୍ଥ ହେଉଛି ମୟୂର, ସୁଆଙ୍ଗ ଓ କୁଶାଣମାନଙ୍କ ସମୟରେ ରାଧାନଗର ଏକ ବିକଶିତ ସହର ଥିଲା ।
ଯାହାକି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ତୃତୀୟ ଶତାବ୍ଦୀ ଯାଏଁ ବିକାଶଲାଭ କରି ପାରିଥିଲା । ଆବିଷ୍କୃତ ଏହି ସୁନାମୁଦ୍ରା ବୌଦ୍ଧ ଇତିହାସକୁ ଆହୁରି ବଳିଷ୍ଠ କରିବ ।
ବର୍ତ୍ତମାନ ଯାଏଁ ଓଡ଼ିଶାରେ ଯେତେ ପୁରାତନ ମୁଦ୍ରା ଆବିଷ୍କୃତ ହୋଇଛି ତା ଭିତରେ ଏହା ସବୁଠାରୁ ବେଶୀ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ ସୁନୀଲ ପଟ୍ଟନାୟକ କହିଛନ୍ତି ।
ରାଧାନଗର ଏକ ପ୍ରମୁଖ ବୌଦ୍ଧ ପର୍ଯ୍ୟଟନ ସ୍ଥଳ । ବୌଦ୍ଧ ଧର୍ମର ପ୍ରାଥମିକ ପର୍ଯ୍ୟାୟରେ ଏଠାରେ ସହରୀ ସଭ୍ୟତା ବିକାଶ ଲାଭ କରିଥିଲା ।
ଯାହାକି ରାଧାନଗରରେ ଖନନ ହୋଇଥିବା ସାଂସ୍କୃତିକ କମ୍ପ୍ଲେକ୍ସରୁ ଜଣାଯାଏ । ରାଧାନଗର ପାହାଡ଼ ମଝିରେ ରହିଥିବା ବେଳେ ଏହାର ଡାହାଣ ପଟେ ବ୍ରହ୍ମଣୀର ଶାଖା ନଦୀ କେଳୁଆ ରହିଛି ।
ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଆଜିକୁ ୧୨ ବର୍ଷ ପୂର୍ବେ ଆମ ଦ୍ୱାରା ରାଧାନଗର ଖନନ କାମ କରାଯାଇଥିଲା ।
ସେଠାରୁ ଆମକୁ ପାଖାପାଖି ୧୭୯୦ ଟି ପୁରାତନ ସାମଗ୍ରୀ ମିଳିଛି । ତାଭିତରେ ଲୁହାରୁ ଆରମ୍ଭ କରି ସୁନା ଆଣ୍ଟିକ୍ୟୁଟି ଥିବା ବେଳେ ଅନେକ ଟେରାକୋଟା ମୂର୍ତ୍ତି ବି ମିଳିଥିଲା ।
ତେବେ ଏନେଇ ଜିଲ୍ଲାର ଜଣେ ଓକିଲ ସୁବାଷ ଦାଶ କହିଛନ୍ତି ଟ୍ରେଜର ଟ୍ରୋଭ ଅଧୀନିୟମ ୧୮୭୮ ସେକ୍ସନ୍ ୩ ଅନୁସାରେ ଯଦି କୌଣସି ପୁରାତନ ସାମଗ୍ରୀର ଦାମ୍ ୧୦ଟଙ୍କାରୁ ବେଶୀ ହୁଏ ଓ ଏହାକୁ କେହି ଖୋଜି ପାଆନ୍ତି ତେବେ ଏନେଇ ସେ ମିଳିଥିବା ସାମଗ୍ରୀର ଆକଳନ କରି ଏକ ଲିଖିତ ଦରଖାସ୍ତ ଜିଲ୍ଲାପାଳଙ୍କୁ ଦେବେ ।
ଏହି ସମୟରେ ସଂପୃକ୍ତ ବ୍ୟକ୍ତି ଜଣକ କେଉଁ ସ୍ଥାନରୁ ଏହି ସାମଗ୍ରୀ ମିଳିଛି, କେଉଁ ପରିସ୍ଥିତିରେ ସେ ଏହା ପାଇଲେ, ପୁରାତନ ସାମଗ୍ରୀକୁ ଖୋଜି ପାଇଥିବାର ତାରିଖ ଆଦି ବାବଦରେ ଉଲ୍ଲେଖ କରି ଏହି ସମାଗ୍ରୀକୁ ହସ୍ତାନ୍ତର କରିବାର ନିୟମ ରହିଛି ।
ଲୋକାଲ ୱାୟାର
Leave a Reply