ଭୁବନେଶ୍ୱର, ମେ ୬(ଲୋକାଲ ୱାୟାର): ରାଜ୍ୟରେ ବିଭିନ୍ନ ଡିଗ୍ରୀ କଲେଜ ଓ ସ୍ୱୟଂଶାସିତ କଲେଜ ଗୁଡ଼ିକରେ ଆସନ୍ତା ଜୁନ୍ ୨୦ ତାରିଖ ପରେ ଯୁକ୍ତ ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇ ଜୁଲାଇ ୨୪ ସୁଦ୍ଧା ଶେଷ ହେବ ଏବଂ ଅଗଷ୍ଟ ୩୧ ପୂର୍ବରୁ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବୁଧବାର ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି ।
ଲୋକସେବା ଭବନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ. ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ, ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ କୁଳପତି ଡ. ଶ୍ରୀକାନ୍ତ ମହାପାତ୍ର ଉପସ୍ଥିତ ଥିଲେ ।
ବୈଠକର ନିଷ୍ପତ୍ତି ଅନୁସାରେ, ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଶ୍ରେଣୀ(ପିଜି)ର ଚତୁର୍ଥ ସେମିଷ୍ଟର (ଫାଇନାଲ୍) ପରୀକ୍ଷା ଅଗଷ୍ଟ ୨୦ ସୁଦ୍ଧା ଶେଷ ହେବ ।
ପରୀକ୍ଷା ଫଳ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସ୍ନାତକୋତ୍ତର ନାମଲେଖା ନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା ଏବଂ ନାମଲେଖା ସେପ୍ଟେମ୍ୱରରୁ ଆରମ୍ଭ ହୋଇ ଅକ୍ଟୋବର ମଧ୍ୟରେ ଶେଷ ହେବ ।
ଲୋକାଲ ୱାୟାର
Leave a Reply