ଜଗତସିଂପୁର, ଡିସେମ୍ବର ୨ (ଲୋକାଲ ୱାୟାର): କରୋନା କଟକଣା ଯୋଗୁଁ ୨୬ ବର୍ଷ ପରେ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦେଖିବାରେ ଓଡ଼ିଶାବାସୀ ବିଫଳ ହୋଇଛନ୍ତି ।
ଏପରି ସ୍ଥଳେ ରଘୁନାଥପୁର ବ୍ଲକ୍ ନଳିବାର ଗାଁରେ ଜଣେ କଲେଜ ଛାତ୍ର ରଙ୍ଗୋଲି ଦ୍ୱାରା ନାଗାର୍ଜୁନ ବେଶ କରିବା ସହ ସାମାଜିକ ଦୂରତାର ଆବଶ୍ୟକତାକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି ।
କଲେଜ ଛାତ୍ର ଜଣକ ହେଲେ ସୌମ୍ୟ ପ୍ରକାଶ ନାୟକ । ସେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାୟୋ କେମେଷ୍ଟ୍ରିରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରୁଛନ୍ତି ।
ମାତ୍ର ତାଙ୍କ ଦ୍ୱାରା ରଙ୍ଗୋଲିରେ ପ୍ରସ୍ତୁତ ନାଗାର୍ଜୁନ ବେଶ ଧାର୍ମିକ ଚିନ୍ତାଧାରା, ପୁରାଣ, କରୋନା, ସାମାଜିକ ଭେଦଭାବ ସ୍ଥାନୀୟ ଲୋକଙ୍କୁ ପ୍ରଭାବିତ କରିଛି ।
ଏନେଇ ସୌମ୍ୟ ବିଧିବଦ୍ଧ ଭାବେ କାହାଠାରୁ ତାଲିମ ନେଇ ନାହାନ୍ତି । ମାତ୍ର ତାଙ୍କର ସୃଜନଶୀଳତା ତାଙ୍କୁ ଅନ୍ୟଠାରୁ ଭିନ୍ନ କରି ପାରିଛି ।
ସୌମ୍ୟ ନିଜ ଗାଁରେ ରଙ୍ଗୋଲି ଦ୍ୱାରା ମହାପ୍ରଭୁ ଓ ବଳଭଦ୍ର, ସୁଭଦ୍ରାଙ୍କ ଏହି ନାଗାର୍ଜୁନ ବେଶ କରିଥିବା ବେଳେ ଏହାର ଲମ୍ବ ୧୫ ଫୁଟ ଓ ଚଉଡ଼ା ୮ ଫୁଟ୍ ।
ପ୍ରସ୍ତୁତ ହୋଇଥିବା ରଙ୍ଗୋଲିରେ ସୌମ୍ୟ ଦେବୀ ସୁଭଦ୍ରାଙ୍କ ଚିତ୍ରକୁ ପଦ୍ମଫୁଲରେ ସଜାଇଥିଲେ ।
ଏ ବାବଦରେ ସୌମ୍ୟ କହିଛନ୍ତି ରଥଯାତ୍ରା ହେଉ କି ନାଗାର୍ଜୁନ ବେଶ; ଏହାକୁ ଦେଖିବା ପାଇଁ ସମସ୍ତେ ଦୀର୍ଘ ଦିନ ଧରି ଅପେକ୍ଷା କରି ରହିଥାନ୍ତି ।
ମାତ୍ର ଚଳିତ ବର୍ଷ କରୋନା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିନି । ତେଣୁ ରଙ୍ଗୋଲି ମାଧ୍ୟମରେ ମୁଁ ଭକ୍ତଠୁ ବେଶି ସହ ଭଗବାନଙ୍କ ସମ୍ପର୍କକୁ ଯୋଡ଼ିବାକୁ ଚେଷ୍ଟା କରିବା ସହ ସଂସାରରୁ କରୋନାକୁ ଦୂରେଇ ଦେବାକୁ ଗୁହାରି କରିଛି ।
ଏବେ ଆମେ ସମେସ୍ତ ମାନବିକତା ଦେଖାଇବା ଦରକାର । ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ଖାଦ୍ୟ ପ୍ରଦାନ କରିବା ଉଚିତ ।
ଲୋକାଲ ୱାୟାର
Leave a Reply