ଭୁବନେଶ୍ୱର,ଏପ୍ରିଲ ୨୫(ଲୋକାଲ ୱାୟାର): କରୋନା ସଂକ୍ରମଣ ସ୍ଥିତିରେ ଆସନ୍ତା ରଥଯାତ୍ରା ହେବ କି ନାହିଁ ସେ ସମ୍ପର୍କରେ ଲକ୍ ଡାଉନ ଉଠିବା (ସମ୍ଭବତଃ ମେ ୩ ତାରିଖ) ପରେ ନିଷ୍ପତ୍ତି ହେବ ବୋଲି ଶୁକ୍ରବାର ରାତି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।
ରଥଯାତ୍ରା ଏବଂ ଆସନ୍ତା ଦିନରେ ଶ୍ରୀମନ୍ଦିର ବାହାରେ ହେବାକୁ ଥିବା ମହାପ୍ରଭୁଙ୍କ ବିଭିନ୍ନ ନୀତି କିପରି ପାଳନ ହେବ ସେ ନେଇ ଶୁକ୍ରବାର ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ମହାରାଜା, ଜିଲ୍ଲାପାଳ ବଲୱନ୍ତ ସିଂହ, ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସନ କ୍ରିଷନ୍ କୁମାର ପ୍ରମୁଖ ଦୀର୍ଘ ସମୟ ଆଲୋଚନା କରିଥିଲେ ।
ବୈଠକ ପରେ ଗଜପତି କହିଥିଲେ, ମହାପ୍ରଭୁ ଜଗନ୍ନାଥଙ୍କ କୌଣସି ପର୍ବ କିମ୍ବା ଶ୍ରୀମନ୍ଦିରର କୌଣସି ନୀତି ବନ୍ଦ ହେଉ ବୋଲି ସେ ଚାହାନ୍ତି ନାହିଁ ।
କିନ୍ତୁ କରୋନା ଜନିତ ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ପକ୍ଷରୁ ଜାରି ହୋଇଥିବା କଟକଣା ଶ୍ରୀମନ୍ଦିର ପ୍ରଶାସନ ମାନିବାକୁ ବାଧ୍ୟ ।
ଲକ୍ ଡାଉନ ଗାଇଡଲାଇନ ଅନୁଯାୟୀ ମନ୍ଦିର ବାହାରେ କୌଣସି ପରମ୍ପରା ପାଳନ କରାଯାଇପାରିବନି ।
ରଥ କିପରି ନିର୍ମାଣ ହେବ ସେ ନେଇ ଶଙ୍କରାଚାର୍ଯ୍ୟ ମାର୍ଗଦର୍ଶନ ଦେବେ ।
ଭକ୍ତଙ୍କ ସୁରକ୍ଷା ନିମନ୍ତେ ଓ ଦେବନୀତିକୁ କିପରି ବ୍ୟାହତ କରା ନଯିବ ଏଥିପ୍ରତି ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା ଗ୍ରହଣ ସପକ୍ଷରେ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି ।
ତେଣୁ ଶ୍ରୀମନ୍ଦିର ଭିତରେ ରଥ ନିର୍ମାଣ ଅନୁକୂଳ, ଅକ୍ଷୟ ତୃତୀୟା ନୀତି ଏବଂ ଚନ୍ଦନଯାତ୍ରା ନୀତି କିପରି ଅନୁଷ୍ଠିତ ହେବ ସେ ନେଇ ନିଷ୍ପତ୍ତି ନିଆଯିବ ।
କିନ୍ତୁ ରଥଯାତ୍ରା ସମ୍ପର୍କରେ ମେ’ ୩ ତାରିଖରେ ପରେ ଆଲୋଚନା କରାଯିବ ବୋଲି ସେ କହିଛନ୍ତି ।
ଲୋକାଲ ୱାୟାର
Leave a Reply