ପୁରୀ, ସେପ୍ଟେମ୍ବର ୧୭ (ଲୋକାଲ ୱାୟାର) : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ, ବରିଷ୍ଠ ପ୍ରତିହାରୀ ସେବାୟତ ତଥା ଆରଏସ୍ଏସ୍ର ପୂର୍ବତନ ସଂଘ ଚାଳକ ରବୀନ୍ଦ୍ର ନାଥ ପ୍ରତିହାରୀଙ୍କ ଦେହାନ୍ତରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।
୭୯ ବର୍ଷ ବୟସରେ ବୁଧବାର ସନ୍ଧ୍ୟାରେ ତାଙ୍କ ପରଲୋକ ହୋଇଛି । ସେ କୋଭିଡ୍ ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ ।
ସେବାୟତ କୁଳର ଗର୍ବ ଓ ଗୌରବ ଭାବେ ପରିଚିତ ତଥା ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଶ୍ରୀ ପ୍ରତିହାରୀ ପେଷାରେ ଜଣେ ଆଇନଜୀବୀ ଥିଲେ ।
ମଣିକର୍ଣ୍ଣିକା ସାହି ନିବାସୀ ବୈକୁଣ୍ଠନାଥ ପ୍ରତିହାରୀଙ୍କ ସେ ଥିଲେ ବଡପୁଅ । ତେବେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜାତୀୟ ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳର ପ୍ରଭାରୀ ଦାୟିତ୍ୱରେ ଥିଲେ ।
୧୯୯୯ ମହାବାତ୍ୟା ସମୟରେ ଉତ୍କଳ ବିପନ୍ନ ସମିତିର ସମ୍ପାଦକ ଭାବେ ବହୁ କଠିନ କାର୍ଯ୍ୟ ତୁଲାଇଥିଲେ ।
ସେବାୟତ କୁଳର ଝିଅମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ସେ ହରଚଣ୍ଡି ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରତିଷ୍ଠା କରିଥିଲେ । ଶିକ୍ଷାବିକାଶ ସମିତିର ପ୍ରତିଷ୍ଠାତା ସଦସ୍ୟ ରହିଥିଲେ ।
ତେବେ ସେ ପରବର୍ତ୍ତୀ ସମୟରେ ଆରଏସଏସ ଠାରୁ ଦୂରେଇ ଯାଇ ଶ୍ରୀମନ୍ଦିର ସେବାୟମାନଙ୍କ ନୀତିକାନ୍ତି ଆଦିକୁ ଶୃଙ୍ଖଳିତ କରିବା ପାଇଁ ପ୍ରଚେଷ୍ଠା ଜାରି ରଖିଥିଲେ ।
ସେ ତିନି ତିନି ଥର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଥିଲେ । ଶ୍ରୀ ଜଗନ୍ନାଥ ଚେତନାର ପ୍ରଚାର ପ୍ରସାରର ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଲୋକାଲ ୱାୟାର
Leave a Reply