ଭୁବନେଶ୍ୱର, ସେପ୍ଟେମ୍ବର ୨୮(ଲୋକାଲ ୱାୟାର): ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କା ଲୁଟ୍ ନେଇ ସୋମବାର ଅଭିଯୋଗ ହୋଇଥିବା ସ୍ଥାନୀୟ ପୁଲିସ କହିଛି ।
ରାଜଧାନୀର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ବରିମୁଣ୍ଡ ନଦୀବନ୍ଧରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆରେ ଏହି ଲୁଟ୍ ହୋଇଛି ।
ଦ୍ୱିପ୍ରହର ୨ଟା ବେଳେ ଏକ ବାଇକରେ ଦୁଇ ଜଣ ଯୁବକ ବ୍ୟାଙ୍କ ସମ୍ମୁଖରେ ପହଞ୍ଚିଥିଲେ ।
ଜଣେ ବାଇକ ଷ୍ଟାର୍ଟରେ ରଖିଥିବା ବେଳେ ଅନ୍ୟ ଜଣେ ଯୁବକ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲା ।
ସେ ମାସ୍କ ପିନ୍ଧିବା ସହ ହେଲମେଟ ପିନ୍ଧିଥିଲା । ସେତେବେଳେ ବ୍ୟାଙ୍କରେ ଜଣେ ଦୁଇ ଜଣ ଗ୍ରାହକ ଓ ୪ ଜଣ କର୍ମଚାରୀ ଥିଲେ ।
ଯୁବକ ଜଣକ ବନ୍ଧୁକ ଦେଖାଇ ସିଧା କ୍ୟାସିଅରଙ୍କ ନିକଟକୁ ଯାଇଥିଲା ।
କ୍ୟାସ ବାକ୍ସରେ ଥିବା ସବୁତକ ଟଙ୍କା ନେଇ ବାହାରକୁ ଚାଲିଯିବା ପରେ ବାଇକରେ ଦୁଇ ଲୁଟେରା ଚମ୍ପଟ ମାରିଥିଲେ ।
କ୍ୟାସ୍ ବାକ୍ସରେ ପ୍ରାୟ ୧୦ ଲକ୍ଷ ଟଙ୍କା ଥିଲା ବୋଲି କର୍ମଚାରୀ କହିଛନ୍ତି ।
ଅଭିଯୋଗ ପାଇ ପୁଲିସ ଓ ସ୍ପେଶାଲ ସ୍କ୍ୱାଡ୍ ବ୍ୟାଙ୍କର ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛନ୍ତି ।
ସ୍ମରଣଯୋଗ୍ୟ, ଗତ ୭ ତାରିଖରେ ରାଜଧାନୀର ଇନଫୋସିଟି ଥାନାଞ୍ଚଳର ଏକ ବ୍ୟାଙ୍କରୁ ମଧ୍ୟ ଲୁଟ୍ ହୋଇଥିଲା ।
ଲୋକାଲ ୱାୟାର
Leave a Reply