ଭୁବନେଶ୍ୱର, ମାର୍ଚ୍ଚ ୧୨(ଲୋକାଲ ୱାୟାର): ୨ମାସ ତଳେ କମିଶନେରଟ ପୁଲିସ ଆରମ୍ଭ କରିଥିବା ଷ୍ଟୁଡେଣ୍ଟ ଟ୍ରାଫିକ୍ ଭଲ୍ୟୁଣ୍ଟିୟର ବ୍ୟବସ୍ଥାର ସଫଳତା ଯୋଗୁ ଏବେ ଆଉ ୨ଶହ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋବାକୁ ଯାଉଥିବା ଜଣେ ବରିଷ୍ଠ ପୁଲିସ ଅଫିସର ମଙ୍ଗଳବାର ପ୍ରକାଶ କରିଛନ୍ତି ।
ଏବେ ଟ୍ରାଫିକ୍ ବିଭାଗରେ ମୋଟ ୧୭୮ ଜଣ ଷ୍ଟୁଡେଣ୍ଟ ସ୍ୱେଚ୍ଛାସେବୀ ଅଛନ୍ତି । ଏହି ବ୍ୟବସ୍ଥାରେ ସାମିଲ ହେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ୧୮ ବର୍ଷ ହୋଇଥିବା ଆବଶ୍ୟକ ଏବଂ ସେମାନେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଶୁକ୍ରବାର ସୁଦ୍ଧା ନିଜ ଶିକ୍ଷାନୁଷ୍ଠାନର ସହମତି ପତ୍ର ଦାଖଲ କରିବା ଜରୁରି ।
ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥାରେ କର୍ମଚାରୀଙ୍କ ଅଭାବ ଥିବାରୁ ୨୦୧୭ ମସିହାରେ କମିଶନରେଟ ପୁଲିସ ଏହି ଯୋଜନା ଆରମ୍ଭ କରିଥିଲା ଏବଂ କ୍ରମେ ଏହା ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱର ସହରକୁ ସମ୍ପ୍ରସାରିତ ହୋଇଥିଲା ।
ଏହି ଯୋଜନାରେ ଛାତ୍ରଛାତ୍ରୀମାନେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା କିମ୍ବା ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରାଫିକରେ ଡ୍ୟୁଟି କରିଥାନ୍ତି । ତିନି ଘଣ୍ଟା ପାଇଁ ସେମାନଙ୍କୁ ଶହେ ଟଙ୍କା ପାରିଶ୍ରମିକ ଦିଆଯାଇଥାଏ । ରାଜଧାନୀରେ ମୁଖ୍ୟତଃ ଭିଡ଼ ଅଞ୍ଚଳ ରସୁଲଗଡ଼, ଜୟଦେବ ବିହାର, ରୁପାଲି ଛକ ଆଦି ଅଞ୍ଚଳରେ ସେମାନେ ଟ୍ରାଫିକ୍ ପୁଲିସକୁ ସହାୟତା କରୁଛନ୍ତି ।
୨୦୧୭ ମେ ମାସରେ କଟକ ସହରର ମଧୁପାଟଣା ଛକରେ ଦୁଇ ଜଣ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର ସୁଜାତା ପଣ୍ଡା ଓ ରଶ୍ମିତା ବେହେରା ରାସ୍ତାରୁ ୧ ଲକ୍ଷ ଟଙ୍କା ପାଇ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିବାରୁ ସେମାନଙ୍କ କର୍ତ୍ତବ୍ୟପରାୟଣତା ପାଇଁ ପୁରସ୍କୃତ ହୋଇଥିଲେ ।
ଏହି ଷ୍ଟୁଡେଣ୍ଟ ସ୍ୱେଚ୍ଛାସେବୀ ମାନେ ଟ୍ରାଫିକ୍ ପୁଲିସଙ୍କୁ ଟ୍ରାଫିକ୍ ପରିଚାଳନାରେ ଆବଶ୍ୟକ ସହାୟତା କରିପାରୁଛନ୍ତି । ଏଥିସହ ସେମାନେ ଯୁବପିଢ଼ି, ବିଶେଷ କରି କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଟ୍ରାଫିିକ୍ ନିୟମ ବାବଦରେ ସଚେତନତା ସୃଷ୍ଟି କରିପାରୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ।
ଲୋକାଲ ୱାୟାର
Leave a Reply