ଭୁବନେଶ୍ୱର, ଅଗଷ୍ଟ ୨୪(ଲୋକାଲ ୱାୟାର): ମେ ମାସ ୨୯ ତାରିଖରେ ରାଜଧାନୀରେ ହୋଇଥିବା ଏକ ହତ୍ୟା ମାମଲାରେ କମିଶନରେଟ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ବି ୨ ଜଣ ଫେରାର ଥିବା ସୋମବାର ବରିଷ୍ଠ ଅଧିକାରୀ କହିଛନ୍ତି ।
ମାମଲାରୁ ପ୍ରକାଶ, ମେ ୨୯ ତାରିଖରେ ରିଙ୍କୁ ସ୍ୱାଇଁ ନାମକ ଯୁବକ ବାଣୀବିହାରରେ ତାଙ୍କ ବନ୍ଧୁ ପ୍ରକାଶ ରେଡିଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ସେଠାରେ ରାଜଧାନୀର ସାଲିଆ ସାହିସ୍ଥିତ ସୁନାମୀ କ୍ଲବର କେତେକ ସଦସ୍ୟଙ୍କ ସହ ରିଙ୍କୁଙ୍କର କୌଣସି କାରଣରୁ ଉଚ୍ଚବାଚ ହୋଇଥିଲା ।
ପରେ ରାତିରେ ରିଙ୍କୁ ଘରକୁ ଫେରୁଥିବା ବେଳେ ବାଟରେ କେତେକ ଯୁବକ ତାଙ୍କୁ ଆକ୍ରମଣ କରିବା ସହ ବୋମାମାଡ଼ କରିଥିଲେ । ଗୁରୁତର ଆହତ ରିଙ୍କୁଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ରିଙ୍କୁଙ୍କ ପିତା କୃଷ୍ଣ ଚନ୍ଦ୍ର ସ୍ୱାଇଁ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ତଦନ୍ତ କରି ଘଟଣାରେ ସଂପୃକ୍ତ ସନାତନ ରେଡି ଓରଫ ସନିଆ ଓ ବିକ୍ରମ ରେଡି ଓରଫ ବିକିଙ୍କୁ ଜୁନ୍ ୨ ତାରିଖରେ ଗିରଫ କରିଥିଲା ।
ଅଧିକ ତଦନ୍ତ ଚାଲିଥିବା ବେଳେ ଗତକାଲି ଖୋର୍ଦ୍ଧାର ବରୁଣେଇ ପାହାଡ଼ ପାଖରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଏକ ଏୟାର ପିସ୍ତଲ ଓ ପଲସର୍ ବାଇକ୍ ଜବତ ହୋଇଛି ।
ଗିରଫ ଅଭିଯୁକ୍ତମାନେ ହେଲେ ସାଲିଆ ସାହିରେ ରହୁଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ବଳରାମ ବାରିକ, ବାଲିପଦରର ଗଣେଶ ବେହେରା, ଖଲ୍ଲିକୋଟର ଶୁଭରାଜ ମହାରଣା, କଟକ ଜିଲ୍ଲା ବାଙ୍କିର ସୌମ୍ୟରଞ୍ଜନ ମହାପାତ୍ର ଏବଂ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାର ଅଚ୍ୟୁତାନନ୍ଦ ଦାସ ।
ଏହି ମାମଲାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଚନ୍ଦନ ଦେହୁରୀ ଏବେ ଚୌଦ୍ୱାର ସର୍କଲ ଜେଲରେ ଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି ।
ଲୋକାଲ ୱାୟାର
Leave a Reply