ଭୁବନେଶ୍ୱର, ଅକ୍ଟୋବର ୮(ଲୋକାଲ ୱାୟାର): ଗୋଟିଏ ପଟେ କରୋନା; ଆଉ ଅନ୍ୟ ପଟେ ବନ୍ୟା । ଏଥିପାଇଁଁ ରାଜଧାନୀର ପରିବା ବଜାରରୁ ଏବେ ପ୍ରାୟ ସବୁ ପ୍ରକାର ପରିବା ଗାଏବ ।
ଆଉ ଯଦିବା କିଛି ସ୍ଥାନରେ ଏହା ମିଳୁଛି ତାହାର ଦାମ୍ ଆକାଶ ଛୁଆଁ । ଏଭଳି ସ୍ଥିତିରେ ବି କିନ୍ତୁ ଭୁବନେଶ୍ୱର ବଜାରରେ ମିଳୁଛି ‘ଏକ୍ସୋଟିକ୍ ଭେଜିଟେବୁଲ୍ ‘ବା ନୂଆ ନୂଆ ଭେରାଇଟିର ପରିବା ।
ଯାହାକି ଖାଦ୍ୟପ୍ରେମୀ, ଫୁଡ୍ ବ୍ଲଗର୍ ଓ ହୋମ୍ ସେଫମାନଙ୍କୁ ଆମୋଦିତ କରୁଛି ।
ଡିଏଭି ପବ୍ଲିକ୍ ସ୍କୁଲ ନିକଟ ବାପ-ପୁଅ ପରିବା ଦୋକାନରେ ମିଳୁଛି ଏହିସବୁ ଭେରାଇଟିର ପରିବା ।
ଏ ବାବଦରେ ଆଜି ସୋସିଆଲ୍ ମିଡିଆ ଏକ୍ସପର୍ଟ ଅମରଜ୍ୟୋତି ଓ ପ୍ରଶାସନିକ ଅଧିକାରୀ ରାଜେଶ ପ୍ରଭାକର ପାଟିଲ୍ ଟ୍ୱିଟ୍ କରି ଜଣାଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ବାପ-ପୁଅ ପରିବା ଦୋକାନରେ ୩୦ରୁ ଅଧିକ ନୂଆ ଧରଣର ପରିବା ମିଳୁଛି । ଯାହାକି ବିଶେଷ କରି ବାଙ୍ଗାଲୋରୁ ଆମଦାନୀ ହେଉଛି ।
ଏସବୁ ଭିତରେ ରେଡ କ୍ୟାବେଜ୍, ସବୁଜ କ୍ୟାପସିକମ୍, ଚାଇନିଜ୍ କ୍ୟାବେଜ୍, ହଳଦୀଆ ଓ ନାଲି କ୍ୟାପସିକମ୍, ସିମଲାମିର୍ଚ୍ଚ୍, ବ୍ରୋକଲି, ପାର୍ସଲେ, ସେଲେରୀ ଚେରୀ ଟୋମାଟୋ,ଲେଟୁ୍ୟସ୍ ଆଇସବର୍ଗ, ୟେଲୋ ଯୁଚିନୀ ଆଦି ରହିଛି ।
ଗ୍ରୀନ୍, କ୍ୟାପସିକମର ଦାମ୍ ୬୦ଟଙ୍କା ଥିବା ବେଳେ ୟେଲୋ ଓ ରେଡ୍ କ୍ୟାପସିକମର ଦାମ୍ ୧୫୦ ଟଙ୍କା ଥିବା ବେଳେ , ବେବି କର୍ଣ୍ଣର ଦାମ୍ କିଲୋପ୍ରତି ୯୦ରୁ ୧୦୦ ଟଙ୍କା ରହୁଛି । ସେହିପରି ସେଲେରୀର ଦାମ୍ କିଲୋପ୍ରତି ୩୦୦ ଟଙ୍କା, ଲେଟୁ୍ୟସ୍ ଆଇସବର୍ଗର ଦାମ୍ କିଲୋପ୍ରତି ୨୯୯ ଟଙ୍କା ଆଦି ରହିଛି ।
ଏ ବାବଦରେ ଫୁଡ ବ୍ଲଗର ଅଭିନାଶ ପଟ୍ଟନାୟକ କହିଛନ୍ତି ଓଡ଼ିଶାରେ ଆଗରୁ ଲେଟୁ୍ୟସ୍ ମିଳୁନଥିଲା । ଏହା ଗ୍ରୀନ୍ ସାଲାଡ ପ୍ରେମୀଙ୍କର ସବୁଠାରୁ ପସନ୍ଦର ।
ଏବେ ଓଡ଼ିଶାରେ ଏହା ମିଳୁଛି ଶୁଣି ଖୁବ୍ ଖୁସି ଲାଗୁଛି । ଏ ବାବଦରେ ସଂଗ୍ରାମ ପଟ୍ଟନାୟକ କହିଛନ୍ତି ଓଡ଼ିଶାର ଫୁଟପାଥ୍ ବିକାଳିମାନଙ୍କ ପାଖରେ ବେଳେ ବେଳେ ଏମିତି ଅନେକ ଜିନିଷ ଆମେ ଦେଖୁ ଯାହାକି ବଡ଼ ବଡ଼ ସୁପରମାର୍କେଟରେ ବି ମିଳିବା କଷ୍ଟକର । ଏସବୁ ଦେଖିଲେ ଆମକୁ ଖୁବ୍ ଆଶ୍ଚର୍ଯ୍ୟ ବି ଲାଗେ ।
ଲୋକାଲ ୱାୟାର
Leave a Reply