ଭୁବନେଶ୍ୱର, ଡିସେମ୍ବର ୧୮ (ଲୋକାଲ ୱାୟାର): ସେ ରାସ୍ତାକଡ଼ ହେଉକି, ଜାତୀୟ ରାଜପଥ । ହାତ ପାହାନ୍ତାରେ ମିଳିଯାଉଛି ସେବା । ସେ ଗାଡି ଖରାପ ହେଉ କି ବହି ।
ପୁଣି ଖାଦ୍ୟ ହେଉ କି ପାର୍ଲର । ସ୍ମାର୍ଟ ସିଟିର ସ୍ମାର୍ଟ ଫର୍ମୁଲାକୁ ଆପଣେଇ ଚାଲୁଛି ବ୍ୟବସାୟ । ଯେଉଁଥିରେ ଉଭୟ ବ୍ୟବସାୟୀ ଗ୍ରାହକ ଖୁସ୍ ।
ଗ୍ୟାରେଜ୍ ଅନ୍ ହ୍ୱିଲ
ରାଜରାସ୍ତାରେ ହେଉ କି ଘରେ ଗାଡ଼ି ଖରାପ ହେଲେ ଏଣିକି ଆଉ ଠେଲି ଠେଲି ନେବାକୁ ହେବନି ପାଖ ଗ୍ୟାରେଜ୍ । ଗୋଟିଏ ଫୋନ୍ କଲ୍ ରେ ଘଟଣାସ୍ଥଳରେ ଆସି ପହଞ୍ଚିବ ଗ୍ୟାରେଜ୍ ।
ରାଜଧାନୀରେ ଏମିତି ସେବା ଯୋଗାଉଛନ୍ତି ଖୋର୍ଦ୍ଧାର ଲିଙ୍ଗରାଜ ସାହୁ । ଏ ବାବଦରେ ଲିଙ୍ଗରାଜ ଭାଇନା କହନ୍ତି ମୋ ଅଟୋରେ ରେଞ୍ଚିଠୁ ଆରମ୍ଭ କରି ସ୍କ୍ରୁ ଡାଇଭର, ପଂକଚର ଯାଏଁ ସବୁ ସଜାଡ଼ିବାର ବ୍ୟବସ୍ଥା ଅଛି ।
ପମ୍ପଚରଠୁ ଆରମ୍ଭ କରି ବୁଲେଟ୍ ଯାଏଁ ସବୁ ସୁବିଧା ମୋ ନିକଟରେ ଉପଲବ୍ଧ । ୧୫ରୁ ୧୬ ବର୍ଷ ହେଲାଣି ରାଜଧାନୀ ରାଜରାସ୍ତାରେ ଗଡୁଛି ମୋର ଏହି ଗ୍ୟାରେଜ୍ ଅଟୋ ।
ୟୁନିଟ୍-୮ସ୍ଥିତ ଡିଏଭି ସ୍କୁଲ ଆଗରେ ମୋ ଅଟୋ ଛିଡ଼ା ହୁଏ । ସକାଳୁ ସନ୍ଧ୍ୟା ଯାଏଁ ମୁଁ ଏଠାରେ ଛିଡ଼ା ହୋଇ ଲୋକଙ୍କୁ ଗ୍ୟାରେଜର ସବୁତକ ସୁବିଧା ଯୋଗାଇ ଦିଏ ।
ପୂର୍ବରୁ ଗଙ୍ଗନଗରରେ ମୋର ଏକ ଗ୍ୟାରେଜ୍ ଥିଲା । ରାସ୍ତା ସମ୍ପ୍ରସାରଣ ଯୋଗୁଁ ଗ୍ୟାରେଜକୁ ଭାଙ୍ଗି ଦିଆଗଲା । ସେବେଠାରୁ ମୁଁ ଏହି ଭ୍ରାମ୍ୟମାଣ ଗ୍ୟାରେଜ୍ ଆରମ୍ଭ କରିଛି ।
ଏହି ଭ୍ରାମ୍ୟମାଣ ସେବାରେ ସେ କେବଳ ଲୋକଙ୍କ ଗାଡ଼ି ସଜାଡୁନାହାଁନ୍ତି, ବରଂ ଡିଜି, ଜେନେରେଟର୍ ବି ସଜାଡୁଛନ୍ତି ।
କୌଣସି ଗୋଟିଏ ଜାଗାରେ ବସି ଗ୍ୟାରେଜ୍ କରିବା ଅପେକ୍ଷା ଭ୍ରାମ୍ୟମାଣ ଗ୍ୟାରେଜରେ ଭଲ ବ୍ୟବସାୟ ହେଉଛି । ଏହି ସେବାରେ ସେ ଲୋକଙ୍କ ଘରେ ଯାଇ ସେବା କରିପାରୁଥିବା କହିଛନ୍ତି ।
ସେହିପରି ରାସ୍ତାରେ ଗାଡି ପଂକଚର ହେଲେ ସେବା ଯୋଗାଉଛନ୍ତି ଉଦୟହରି ପାତ୍ର ।
ରାଜଧାନୀର ଯେକୌଣସି ସ୍ଥାନରେ ୨ ଚକିଆ, ତିନି ଚକିଆ ବା ୪ ଚକିଆ ଗାଡ଼ି ଖରାପ ହେଲେ ଗୋଟେ ଫୋନ୍ କଲରେ ଉଦୟ ଯାଇ ପହଞ୍ଚି ଯାଆନ୍ତି ଘଟଣାସ୍ଥଳରେ ।
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏମିତି ଏକ ଗାଡ଼ି ଧରି ବ୍ୟବସାୟ ଆରମ୍ଭ କରିଛନ୍ତି ଉଦୟହରି । ଗତ ଦୁଇ ବର୍ଷ ହେଲା ଉଦୟ ଏମିତି ଭ୍ରାମ୍ୟମାଣ ଗ୍ୟାରେଜ୍ ସେବା ଆରମ୍ଭ କରିଛନ୍ତି ।
ଏକ ଓମିନି ଗାଡ଼ିରେ ପଂକଚର୍ ମେସିନ୍ ରଖି ରାସ୍ତାରେ ଛିଡ଼ା ହୁଅନ୍ତି ଉଦୟ । ସେ କହନ୍ତି ଅନେକ ସମୟରେ ଲୋକେ ଗାଡ଼ି ଖରାପ ଯୋଗୁଁ ରାସ୍ତା କଡ଼ରେ ଅପେକ୍ଷା କରି କରି ବା ଗ୍ୟାରେଜ୍ ଖୋଜି ନୟାନ୍ତ ହୁଅନ୍ତି ।
ଗାଡି ପମ୍ପଚର ଯୋଗୁଁ ଲୋକେ ବେଶୀ ହଇରାଣ ହୁଅନ୍ତି । ତା ଛଡ଼ା ଲୋକେ ହାତ ପାଆନ୍ତାରେ ସେବା ପାଇବାକୁ ଚାହାନ୍ତି । ଏସବୁ ଦିଗକୁ ଅନୁଧ୍ୟାନ କଲା ପରେ ମୁଁ ମୋବାଇଲ୍ ଗ୍ୟାରେଜ୍ ଆରମ୍ଭ କରିବାକୁ ଚିନ୍ତା କଲି ।
ବହି ମିଳୁଛି ହାତ ପାହାନ୍ତାରେ:
ଖବର କାଗଜ ହେଉ କି ପାଠ୍ୟ ପୁସ୍ତକ ଅବା ପାଠ୍ୟ ଉପକରଣ । ସବୁ ମିଳୁଛି ମିନି ଟ୍ରକରେ ।
ଗତ କିଛି ବର୍ଷ ହେବ ଶୈଳଶ୍ରୀ ବିହାର ଅଞ୍ଚଳରେ ହର୍ଷବର୍ଦ୍ଧନ ରଥ ହାତପାଆନ୍ତାରେ ଲୋକଙ୍କୁ ଏଭଳି ସେବା ଯୋଗାଇ ଦେଉଛନ୍ତି । ହର୍ଷବର୍ଦ୍ଧନ କୁହନ୍ତି, ପ୍ରଥମେ ମୋର ଏକ ଛୋଟ ବହି ଦୋକାନ ଥିଲା ।
ସରକାରୀ ଜାଗାରେ ଥିବାରୁ ତାହା ବାରମ୍ବାର ଉଚ୍ଛେଦ ହେଲା । ଫଳରେ ଏକ କାରରେ ଏହି ବୁକଷ୍ଟୋର୍ ସେବା ଆରମ୍ଭ କରିଥିଲି । ବ୍ୟବସାୟ ଭଲ ହେବାରୁ ବଡ଼ ଗାଡ଼ି ଆଣି ବ୍ୟବସାୟ ଆରମ୍ଭ କଲି ।
ଏଠାରେ ଛୋଟ ପିଲାଙ୍କ ଠାରୁ ଅରେମ୍ଭ କରି ବଡ଼ ପିଲାଙ୍କ ପାଠ୍ୟ ପୁସ୍ତକ ରହୁଛି । ଇଂରାଜୀ, ଓଡ଼ିଆ ସବୁ ବହି ଏଠି ମିଳୁଛି । ସବୁ ଭାଷାର ଖବରକାଗଜ ଏବଂ ପାଠ୍ୟ ଉପକରଣ ବି ରଖିଛି ।
ଶୈଳଶ୍ରୀ ବିହାର ଛକରେ ଅଧିକାଂଶ ସମୟରେ ମୁଁ ବସିଥାଏ । ଯେତେବେଳେ ଆବା୍ୟକ ପଡ଼େ ମୁଁ ସେଠାରୁ ଅନ୍ୟତ୍ର ବି ଯାଏ ।
ଭ୍ରାମ୍ୟମାଣ ଚା’ ପାନ ଦୋକାନ:
ରାଜଧାନୀର ଯେଉଁଠି ଇଚ୍ଛା ସେଠି ପସରା ମେଲାନ୍ତି କାଳନ୍ଦି ଭାଇ । ଆଉ ଗ୍ରାହକଙ୍କୁ ସେମାନଙ୍କର ଇଚ୍ଛ ମୁତାବକ ଚା, ପାନ, ଚକୋଲେଟ ବିସ୍କୁଟ ଦେଇ ମନ ବି ଜିତନ୍ତି ।
ଅଟୋରେ ଚାଲେ କାଳନ୍ଦି ଭାଇନାଙ୍କ ଏହି ଚା ପାନ ଦୋକାନ । ଆଉ ତା ଭିତରେ ଭଳିକି ଭଳି ବିସ୍କୁଟ୍, ଚକୋଲେଟ୍, ଚା, ପାନ, ସିଗାରେଟ୍ ।
ସାଇନ୍ସ ପାର୍କ ବସ୍ତିରେ କାଳନ୍ଦି ଭାଇଙ୍କ ଘର । ପୂରା ନାମ କାଳନ୍ଦି ସାହୁ । ୨୦୧୮ରେ ଏକ ସଡ଼କ ଦୁର୍ଘଟଣାରେ ଆହତ ହେଲା ପରେ ସେ ଆଉ ଚଳାବୁଲା କରି ପାରୁନାହାନ୍ତି ।
ତେଣୁ ଅଟୋରେ ସେ ନିଜର ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । କାଳନ୍ଦି ସାହୁ କହନ୍ତି ଏବେ ଆଉ ରାତାରାତି ଦୋକାନ ଭାଙ୍ଗିବାର ଭୟ ନାହିଁ କି ଦୋକାନ ବନ୍ଦ କରିବାର ଚନ୍ତା ନାହିଁ ।
ନୋଟିସ୍ ମିଳିବା କ୍ଷଣି ଗାଡ଼ି ଧରି ଅନ୍ୟ ଜାଗାରେ ଆରମ୍ଭ ହୋଇଯିବ ବ୍ୟବସାୟ ।
ଲୋକାଲ ୱାୟାର
Leave a Reply