ଭୁବନେଶ୍ୱର, ଅକ୍ଟୋବର ୧୬ (ଲୋକାଲ ୱାୟାର): ଚଳିତ ବର୍ଷ ଅଗଷ୍ଟ ତୁଳନାରେ ସେପ୍ଟେମ୍ବରରେ ମୋଟର ଯାନ ରାଜସ୍ୱ ଆଦାୟ ବୃଦ୍ଧି ହୋଇଛି ବୋଲି ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ କୁହାଯାଇଛି ।
ଚଳିତ ବର୍ଷ ସେପ୍ଟେମ୍ବରରେ ୧୧୭ କୋଟି ଆଦାୟ ହୋଇଥିବା ବେଳେ ଅଗଷ୍ଟରେ ୮୯.୫ କୋଟି ଟଙ୍କା ଆଦାୟ ହୋଇଥିଲା ।
ମାସକ ମଧ୍ୟରେ ରାଜସ୍ୱ ୩୧ ପ୍ରତିଶତ ବୃଦ୍ଧି ପାଇଥିଲା ।
ତେବେ ସେପ୍ଟେମ୍ବର, ୨୦୧୯ରେ ୧୨୬ କୋଟି ରାଜସ୍ୱ ଆଦାୟ ହୋଇଥିଲା । ଲକଡାଉନ ପ୍ରତିବନ୍ଧକ ହଟିବା ପରେ ଜୁନ ୨୦୨୦ ପର ଠାରୁ ପ୍ରତି ମାସରେ ମୋଟର ଯାନ ରାଜସ୍ୱ ଆଦାୟ ବଢୁଛି ।
ଜୁନ ୨୦୨୦ରେ ଜୁନ ୨୦୧୯ ତୁଳନାରେ ୧୫ ପ୍ରତିଶତ କମ୍ ରାଜସ୍ୱ ସଂଗ୍ରହ ହୋଇଥିଲା । ଜୁଲାଇରେ ୧୮ ଓ ଅଗଷ୍ଟରେ ୨୦ ପ୍ରତିଶତ କମିଥିଲା । ସେପ୍ଟେମ୍ବର ୨୦୨୦ରେ ଆଦାୟ ରାଜସ୍ୱ ସେପ୍ଟେମ୍ବର ୨୦୧୯ ତୁଳନାରେ ମାତ୍ର ୭ ପ୍ରତିଶତ କମ୍ ରହିଛି ।
ନୂଆ ଗାଡି ବିକ୍ରି ଓ ବିଶେଷତଃ ଖଣି କ୍ଷେତ୍ରରେ ଆର୍ଥିକ ଗତିବିଧି ବଢ଼ିଥିବାରୁ ରାଜସ୍ୱ ଆଦାୟ ବଢିଛି ।
ଏପ୍ରିଲରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ୫୦୧ କୋଟି ହୋଇଥିବା ବେଳେ ୨୦୧୯ରେ ଏହି ସମୟ ମଧ୍ୟରେ ୭୮୭ କୋଟି ଆଦାୟ ହୋଇଥିଲା ବୋଲି ବିଭାଗ ତରଫରୁ କୁହାଯାଇଛି ।
ଲୋକାଲ ୱାୟାର
Leave a Reply