ବ୍ରହ୍ମପୁର, ସେପ୍ଟେମ୍ବର ୦୭ (ଲୋକାଲ ୱାୟାର): ଏସିଡ୍ ଆକ୍ରମଣର ଶିକାର ମହିଳାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇଆଣିବା ତଥା ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବାକୁ ସାମାଜିକକର୍ମୀ ଓ ସଙ୍ଗଠନମାନେ ଦାବି କରିଛନ୍ତି।

ଏସିଡ ଆକ୍ରମଣର ଶିକାର ହେଉଥିବା ମହିଳାମାନେ ଏଥିରୁ ବର୍ତ୍ତିଗଲେ ବି ଜୀବନଧାରଣ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।

ସେମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ସବୁ ପ୍ରକାର ସହାୟତା ଯୋଗାଇଦେବା ଉପରେ ସାମାଜିକ କର୍ମୀମାନେ ଜୋର୍ ଦେଇଛନ୍ତି।

ଏଭଳି ପୀଡ଼ିତାଙ୍କ ପାଇଁ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ରହିଛି।

ହେଲେ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନଥିବା ସାମାଜିକକର୍ମୀମାନେ ଅଭିଯୋଗ କରିଛନ୍ତି।

ଏଭଳି ପୀଡ଼ିତାଙ୍କ ପାଇଁ ସରକାରୀ ସଂସ୍ଥା ଓ ବେସରକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଉଦ୍ୟମ କରିବା ଦରକାର ବୋଲି ସାମାଜିକକର୍ମୀ ନମ୍ରତା ଚଢ଼ା ମତ ଦେଇଛନ୍ତି।

ଗତ ୮ ବର୍ଷ ଭିତରେ ଓଡ଼ିଶାରେ ୭୦ଟି ଏସିଡ୍ ଆକ୍ରମଣ ମାମଲା ରୁଜୁ ହୋଇଛି।

ସେହିପରି ଦେଶରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ୫ ଶହ ପୀଡ଼ିତା ଅଛନ୍ତି।

ଏମାନଙ୍କ ପାଇଁ ଏସିଡ୍ ସର୍ଭାଇଭର୍ସ ଆଣ୍ଡ ଓମେନ୍ ଓ୍ବେଲଫେୟାର୍ ଫାଉଣ୍ଡେସନ୍ କାର୍ଯ୍ୟ କରୁଛି।

ଏଭଳି ଘୃଣ୍ୟ ଅପରାଧ ଭିଆଉଥିବା ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଟାନ ଦାବି କରିଛନ୍ତି ଏସିଡ୍ ସର୍ଭାଇଭର୍ସ ଆଣ୍ଡ ଓମେନ୍ ଓ୍ବେଲଫେୟାର୍ ଫାଉଣ୍ଡେସନ୍, ଓଡ଼ିଶା ଚାପ୍ଟରର ପ୍ରତିନିଧି ଟି.ଏନ୍.ପଣ୍ଡା।

ଲୋକାଲ ୱାୟାର