କଟକ,ଡିସେମ୍ବର ୨୯(ଲୋକାଲ ୱାୟାର): ଓଡ଼ିଶା ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଳିଥିବା ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପ୍ରଥମ ଦିବସରେ ୩ ଟି ନୂତନ ରେକର୍ଡ ସୃଷ୍ଟି ହୋଇଥିବା ବେଳେ ଦ୍ବିତୀୟ ଦିନରେ ଆଉ ୫ଟି ନୂତନ କୀର୍ତ୍ତିମାନ ସ୍ଥାପନ ହୋଇଥିବା ଜଣେ କ୍ରଡା ଅଧିକାରୀ ରବିବାର ଦିନ ପ୍ରକାଶ କରିଛନ୍ତି ।
ରାଜ୍ୟ ଦୌଡ଼କୁଦର ୨୦ କିଲୋମିଟର ଚାଲିବାରେ ପ୍ରିୟଙ୍କା ୧ ଘଣ୍ଟା ୫୫:୩୨ ସେକେଣ୍ତରେ ସ୍ବର୍ଣ୍ଣ ପଦକ ପାଇଛନ୍ତି ।
ପୂର୍ବରୁ ୨୦୦୮ ମସିହାରେ ଅଡ଼ଶପୁରରେ ହୋଇଥିବା ପ୍ରତିଯୋଗିତାରେ ଶୁଭସ୍ମିତା ରଥ ୧ ଘଣ୍ଟା ୫୮:୪୬.୫ ସେକେଣ୍ତ ସମୟ ରେକର୍ଡ ସ୍ଥାପନ କରିଥିଲେ ।
ଏହାଛଡା ୧୪ ବର୍ଷରୁ କମ୍ ବାଳକ ଉଚ୍ଚଡିଆଁରେ ଜାନକୀକାନ୍ତ ନାୟକ ୧.୬୭ ମିଟର, ୧୮ ବର୍ଷରୁ କମ୍ ବାଳକ ୧୦ କିଲୋମିଟର ଚାଲିବାରେ ଗୋବିନ୍ଦ ପାଣ୍ତିଆ ୪୯:୨୭.୧ସେକେଣ୍ତ, ୧୬ ବର୍ଷରୁ କମ୍ ବାଳିକା ୩କିଲୋମିଟର ଚାଲିବାରେ ନିଶା ବାରିକ ୧୬:୧୪.୪ ସେକେଣ୍ତ ଓ ୧୦୦ ମିଟର ବାଧାଦୌଡ଼ରେ ସବିତା ଟପ୍ପୋ ୧୫.୦ ସେକେଣ୍ତରେ ନୂଆ ମିଟ୍ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ।
ପୁରୁଷ ୪୦୦ ମିଟର ଦୌଡ଼ରେ ବିଘ୍ନରାଜ ମିରିଡ଼ିଆ, ୧୫୦୦ ମିଟର ଦୌଡ଼ରେ ଭୀମସେନ ଜାନ୍କା, ୧୧୦ ମିଟର ବାଧାଦୌଡ଼ରେ ଅମିତ କୁମାର ମହନ୍ତ, ୨୦ହଜାର ମିଟର ଚାଲିବାରେ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଉଚ୍ଚଡିଆଁରେ ସ୍ବାଧିନ କୁମାର ମାଝୀ, ଟ୍ରିପଲ ଜମ୍ପରେ ସୁକଦେବ ମହାନ୍ତି, ସଟ୍ପୁଟରେ ରଞ୍ଜନ କୁମାର ସାହୁ, ଜାଭେଲିନ୍ରେ ଦୀପଙ୍କର ବେହେରା, ଡେକାଥଲନ୍ରେ ପ୍ରବୀଣ ଛେତ୍ରୀ ଓ ମହିଳା ୪୦୦ ମିଟର ଦୌଡ଼ରେ ଜଉନା ମୁର୍ମୁ, ୧୫୦୦ ମିଟର ଦୌଡ଼ରେ ନମିତା ପ୍ରଧାନ, ୧୦୦ ମିଟର ବାଧାଦୌଡ଼ରେ ଜସ୍ମିନ୍ କିସ୍କୁ, ଡିସ୍କସ୍ରେ ପାର୍ବତୀ ସେଠୀ ସ୍ବର୍ଣ୍ଣ ପଦକ ପାଇଛନ୍ତି ।
ଲୋକାଲ ୱାୟାର
Leave a Reply