ଭୁବନେଶ୍ୱର, ଏପ୍ରିଲ ୨୨(ଲୋକାଲ ୱାୟାର): ରାଜ୍ୟ ବାହାରେ ଏବେ ଲକ ଡାଉନ ସ୍ଥିତିରେ ପ୍ରାୟ ସାଢ଼େ ୭ ଲକ୍ଷ ଓଡ଼ିଆ ଫସି ରହିଛନ୍ତି ଏବଂ ଆସନ୍ତା ଦିନରେ ସେମାନେ ସରକାରଙ୍କ ଦ୍ୱାରା ଖୋଲା ଯାଇଥିବା ପୋର୍ଟାଲରେ ନାମ ପଂଜିକରଣ କରିବା ପରେ ରାଜ୍ୟକୁ ଫେରିପାରିବେ ବୋଲି ବୁଦବାର କହିଛନ୍ତି ପଞ୍ଚାୟତିରାଜ ସଚିବ ଦେଓରଂଜନ କୁମାର ସିଂହ ।
ସେ କହିଛନ୍ତି, ସାଢ଼େ ୭ ଲକ୍ଷ ଓଡ଼ିଆରୁ ପ୍ରାୟ ୫ ଲକ୍ଷ ଏବେ ରାଜ୍ୟକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ବିଶେଷ କରି ଲକ୍ ଡାଉନ ହଟିବା ପରେ ଏମାନେ ଆସିବା ନିଶ୍ଚିତ ।
କିନ୍ତୁ ସେମାନଙ୍କ ମଧ୍ୟରେ କେହି କରୋନା ଆକ୍ରାନ୍ତ ଥାଇପାରନ୍ତି ଏବଂ ସେମାନେ ଗାଁକୁ ଫେରିବା ପରେ ସେମାନଙ୍କ ସଂସ୍ପର୍ଶରେ ଏହା ବ୍ୟାପିବାର ଆଶଙ୍କା ରହିଛି ।
ତେଣୁ ସରକାର ଆନ୍ତା ୨୪ ତାରିଖରେ ଏକ ପୋର୍ଟାଲ ଆରମ୍ଭ କରିବେ । ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକମାନେ ନିଜେ କିମ୍ବା କୌଣସି ସମ୍ପର୍କୀୟଙ୍କ ଜରିଆରେ ଏହି ପୋର୍ଟାଲରେ ନାମ ପଂଜିକରଣ କରିବା ବାଧ୍ୟତାମୂଳକ ହେବ ।
ସେମାନେ ଫେରି ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କୁ ବ୍ଲକ ଓ ପଞ୍ଚାୟତୱାରୀ ବିଭକ୍ତ କରି ଦାୟିତ୍ୱାଧୀନ ଅଧିକାରୀ ସ୍ୱତନ୍ତ୍ର ଗାଡ଼ିରେ ଗାଁକୁ ନେବେ ।
ପଞ୍ଚାୟତ ପାଇଁ ମୁତୟନ ଥିବା ନୋଡାଲ ଅଧିକାରୀ ଏବଂ ସରପଞ୍ଚ ଏହି ପଂଜିକୃତ ଲୋକମାନେ ଯେପରି ୧୪ ଦିନ ସରକାରୀ କ୍ୱାରେଣ୍ଟାଇନରେ ରହିବେ ତାର ବ୍ୟବସ୍ଥା କରିବେ ।
ଲୋକମାନଙ୍କ ରହିବା ଓ ଖାଇବା ମାଗଣା ହେବ । ୧୪ ଦିନରେ ଆବଶ୍ୟକ ପଡ଼ିଲେ ସେମାନଙ୍କ ନମୁନାର କୋଭିଡ ପରୀକ୍ଷା ହେବ ।
କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ପ୍ରତ୍ୟେକ ପଂଜିକୃତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହି ପ୍ରକ୍ରିୟାରେ ହିଁ କରୋନା ସଂକ୍ରମଣକୁ ରୋକିହେବ ବୋଲି ଶ୍ରୀ ସିଂହ କହିଛନ୍ତି ।
ଲୋକାଲ ୱାୟାର
Leave a Reply