ବାଲେଶ୍ଵର, ଫେବ୍ରୁଆରୀ ୪ (ଲୋକାଲ ୱାୟାର): ବାଲେଶ୍ଵର ଜିଲ୍ଲାରେ ବସ୍ତା ବ୍ଲକ ଅନ୍ତର୍ଗତ ନୂତନ ଜ୍ଞାନକୌଶଳରେ କୃଷି ଯନ୍ତ୍ର ତିଆରି କରି ଜଣେ ସପ୍ତମ ଶ୍ରେଣୀ ଛାତ୍ର ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ନିମନ୍ତ୍ରିତ ହୋଇଥିବା ଚର୍ଚ୍ଚା ସୃଷ୍ଟି କରିଛି ।
ସ୍ଥାନୀୟ ମଧୁପୁରସ୍ଥିତ ଉପେନ୍ଦ୍ର ନାଥ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ର ବିପ୍ଳବ କୁମାର ଘୋଷ ମାତ୍ର ୧୨ ବର୍ଷ ବୟସରେ ଏକକାଳୀନ ଛଅଟି କାମ କରୁଥିବା କୃଷି ଯନ୍ତ୍ର ଉଦ୍ଭାବନ କରିଛନ୍ତି ।
ବାପା ସୁଶାନ୍ତ ବାରିକଙ୍କ ସହ ଚାଷ ଜମିକୁ ଯାଇ ସେଠାରେ ତାଙ୍କ ପରିଶ୍ରମ ତୁଳନାରେ କମ୍ ଉତ୍ପାଦନ ହେଉଥିବା ଦେଖି ବିପ୍ଲବ ଏହି ଯନ୍ତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଯେଉଁଥିରେ ଏକ ସାଙ୍ଗରେ ଲଙ୍ଗଳ କରିବା, ମହି ଦେବା, ବିହନ ଏବଂ ସାର ବୁଣିବା, ଔଷଧ ଛିଞ୍ଚନ କରିବା ଓ ପାଣି ସ୍ପ୍ରେ କରିବା କାର୍ଯ୍ୟ ହୋଇପାରିବ ।
ମେସିନଟିକୁ ତିଆରି କରିବାକୁ ମାତ୍ର ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏହା କେବଳ ସୌରଶକ୍ତି ମାଧ୍ୟମରେ ଚାଲୁଛି ।
ତେବେ ଯନ୍ତ୍ରଟିର ନିର୍ମାଣ ପାଇଁ ସେ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀମାନଙ୍କ ସହାୟତା ନେଇଥିବା କହିଛନ୍ତି ।
ସେହି ମେସିନକୁ ପ୍ରଦର୍ଶନ କରି ବିଜ୍ଞାନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ବିପ୍ଲବ ମନୋନୀତ ହୋଇଛନ୍ତି ।
ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ଦିଲ୍ଲୀରେ ଜାତୀୟସ୍ତରୀୟ ପ୍ରଦର୍ଶନୀରେ ଭାଗ ନେବା ସହ ରାଷ୍ଟ୍ରପତିଙ୍କ ଟି-ପାର୍ଟିରେ ସେ ଯୋଗ ଦେବେ ।
ସେଠାରେ ମନୋନୀତ ହେଲେ ସେ ଆସନ୍ତା ବର୍ଷ ଜାପାନରେ ହେବାକୁ ଥିବା ପ୍ରଦର୍ଶନୀରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।
ଭବିଷ୍ୟତରେ ସେ ଜଣେ କୃଷି ବୈଜ୍ଞାନିକ ହୋଇ ନୂଆ ନୂଆ କୃଷି ଯନ୍ତ୍ରପାତି ନିର୍ମାଣ କରିବେ ଓ କୃଷକମାନଙ୍କୁ ସହଯୋଗ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।
ଲୋକାଲ ୱାୟାର
Leave a Reply