ବ୍ରହ୍ମପୁର, ଜାନୁଆରୀ ୪(ଲୋକାଲ ୱାୟାର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ବ୍ରହ୍ମପୁର ରାମଲିଙ୍ଗେଶ୍ୱର ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଲୋକାର୍ପିତ କରିବା ସହ ଏହାକୁ ରୂପାନ୍ତରର ଅନନ୍ୟ ଉଦାହରଣ ଭାବେ ଉପସ୍ଥାପିତ କରାଯାଇଛି ।
ଦୀର୍ଘଦିନ ଧରି ଅବ୍ୟବହୃତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ପଡ଼ି ରହିଥିବା ରାମଲିଙ୍ଗେଶ୍ୱର ଜଳାଶୟ ଆଜି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ହୋଇପାରିଛି ।
ଚିତ୍ତାକର୍ଷକ ଆତସବାଜୀ, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ ଓ ଏକ ସଙ୍ଗୀତମୟ ପରିବେଶ ମଧ୍ୟରେ ଏହାର ଆଜି ଲୋକାର୍ପଣ ହୋଇଛି ।
ଆଠ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବେ ପରିଚିତ ।
ଅବ୍ୟବହୃତ ହୋଇ ପଡ଼ି ରହିଥିବା ଏହି ଜଳାଶୟର ପୁନରୁଦ୍ଧାର କାମ ୧୨ କୋଟି ଟଙ୍କା ବ୍ୟୟରେ ୨୦୧୭ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ଆରମ୍ଭ ହୋଇଥିଲା ।
ପୁଷ୍କରିଣୀର ମଧ୍ୟସ୍ଥଳରେ ଭଗବାନ ଶଙ୍କରଙ୍କର ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଏକ ସୁଦୃଶ୍ୟ ପ୍ରତିଭୂର୍ତ୍ତି ଶୋଭା ପାଉଛି ଏବଂ ଚତୁଃପାଶ୍ୱର୍ରେ ଉଦ୍ୟାନ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି ।
ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପୁଷ୍କରିଣୀର ଐତୀହ୍ୟ କହିବା ସହ ଏହାକୁ ପରିଷ୍କାର ରଖିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଥିଲେ ।
କୋଭିଡ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ସେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ପ୍ରଶଂସା କରିଥିଲେ ।
ବହ୍ମପୁରରେ ଏକ ଷ୍ଟାଡିୟମ କାର୍ଯ୍ୟ ଚାଲିଥିବା ବେଳେ ୪୨ କୋଟି ଟଙ୍କା ବ୍ୟୟରେ ବର୍ଜ୍ୟ ପରିଚାଳନା କେନ୍ଦ୍ର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବା ସେ କହିଥିଲେ ।
ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ରିଙ୍ଗ ରୋଡ କାମ ମଧ୍ୟ ଚାଲିଥିବା ସେ କହିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସାଂସଦ ଚନ୍ଦ୍ରଶେଖର ସାହୁ, ୫-ଟି ସଚିବ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply