ଯାଜପୁର, ଫେବ୍ରୁଆରୀ ୪ (ଲୋକାଲ ୱାୟାର): ରେଶମ ବୁଣାକାରଙ୍କ ଗାଁ ଭାବେ ପରିଚିତି ପାଇଥିବା ଯାଜପୁର ଜିଲ୍ଲାର ଗୋପାଳପୁର ଗାଁର ବିକାଶ ଉଦ୍ୟମ ତ୍ୱରାନ୍ୱିତ ହୋଇଛି ।
ବୁଧବାର ଜିଲ୍ଲାପାଳଙ୍କ ସମେତ ବୟନଶିଳ୍ପ ବିଭାଗ, ଓରମାସର ବରିଷ୍ଠ ଅଧିକାରୀମାନେ ଗୋପାଳପୁର ଗସ୍ତ କରି ଶୀଘ୍ର ଗାଁରେ କ୍ରାଫ୍ଟ କ୍ଲଷ୍ଟର ସ୍ଥାପନ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।
ଗୋପାଳପୁର ଗାଁରେ ଏସଏଫଆରଟିଆଇ (ପରମ୍ପରାଗତ ଉଦ୍ୟୋଗ ପୁନରୁଦ୍ଧାର ପାଇଁ ପାଣ୍ଠି ଯୋଜନା) ଓ ଅନ୍ୟ ଯୋଜନାରେ ହସ୍ତତନ୍ତ କ୍ଲଷ୍ଟର ବିକଶିତ ହେବ ।
ଏମଏସଏମଇ ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଯୋଜନାରେ ଗୋଷ୍ଠୀ ବିକାଶକୁ ପ୍ରୋତ୍ସାହିତ କରାଯାଉଛି ।
ସବାଇ ଘାସ, ଟେରାକୋଟା, ବାଉଁଶ, ବେତ କାରିଗରଙ୍କୁ ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ସହାୟତା ପ୍ରଦାନ କରାଯିବ ।
ଏଥିପାଇଁ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରାଯାଉଛି ବୋଲି ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି ।
ବୁଣାକାରଙ୍କ ଉତ୍ପାଦନ, ଲାଭ ବୃଦ୍ଧି ସହ ନିରନ୍ତର ରୋଜଗାର ସୃଷ୍ଟି କରି ଅର୍ଥନୈତିକ ଶୃଙ୍ଖଳରେ ସାମିଲ କରିବା ଏହି ପ୍ରକଳ୍ପର ଲକ୍ଷ୍ୟ ।
ପ୍ରକଳ୍ପରେ ସାଧାରଣ ସୁବିଧା କେନ୍ଦ୍ର, ରିଲିଂ କେନ୍ଦ୍ର, ତାଲିମ କେନ୍ଦ୍ର, ଜାତୀୟ ରାଜପଥ ନିକଟରେ ସମନ୍ୱିତ ବିକ୍ରୟ କେନ୍ଦ୍ର ସ୍ଥାପିତ ହେବ ।
ଏହାଦ୍ୱାରା ହସ୍ତତନ୍ତ କ୍ଷେତ୍ରର ପୁନରୁଦ୍ଧାର ସହ କୁଶଳୀ ବୁଣାକାରଙ୍କ ଆର୍ଥିକ ଅବସ୍ଥା ସୁଧୁରିବ ।
ପର୍ଯ୍ୟଟକମାନେ ଶାଢ଼ୀ, ଧୋତି, ବେଡସିଟ ଆଦିର ପ୍ରସ୍ତୁତି ଦେଖିବା ସହ ପ୍ରତ୍ୟକ୍ଷ ଭାବେ ବୁଣାକାରଙ୍କ ଠାରୁ କିଣିପାରିବେ ବୋଲି ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ପାଢ଼ୀ କହିଛନ୍ତି ।
ଗୋପାଳପୁର ଗାଁରେ ଉତ୍ପାଦିତ ରେଶମ ସାମଗ୍ରୀଗୁଡ଼ିକ ବେଶ ଚାହିଦା ରହିଛି । ପ୍ରାୟ ୧ ଶହ ପରିବାର ରେଶମ ବୁଣି ଜୀବିକା ନିର୍ବାହ କରିଥାନ୍ତି ।
ହେଲେ ପରିଶ୍ରମ ତୁଳନାରେ ପାରିଶ୍ରମିକ ମିଳୁନଥିବାରୁ ବହୁ ଲୋକ ପେସା ଛାଡ଼ି ସାରିଲେଣି ।
ହେଲେ ସରକାର ହସ୍ତତନ୍ତର ପୁନରୁଦ୍ଧାର ପାଇଁ ପଦକ୍ଷେପ ନେଉଥିବାରୁ ଆମେ ଖୁସି ବୋଲି ଗୋପାଳପୁର ବାଲୁଙ୍କେଶ୍ୱର ବୁଣାକାର ସମବାୟ ସମିତିର ସଭାପତି ନରେନ୍ଦ୍ର ବେହେରା କହିଛନ୍ତି ।
ଲୋକାଲ ୱାୟାର
Leave a Reply