କେନ୍ଦ୍ରାପଡା, ଏପ୍ରିଲ ୧୯(ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଆଖୁ ଏକ ଅର୍ଥକରୀ ଫସଲ ।
ଖରା ମାସରେ ହେଉଥିବା ଏହି ଚାଷ ଜିଲ୍ଲାର ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇଥାଏ । କିନ୍ତୁ ଲକ୍ ଡାଉନ୍ କାରଣରୁ ଆଖୁ ବ୍ୟବସାୟରେ ଯଥେଷ୍ଟ କ୍ଷତି ପହଞ୍ଚିଛି ।
ଗରଦପୁର ଅଞ୍ଚଳର ଆଖୁ ଚାଷୀ ଜଗନ୍ନାଥ ପ୍ରଧାନ କହିଛନ୍ତି ଗାଁର ଆଖୁ ମିଲ୍ ର ଦୂରତା ଢେର ଅଧିକ ଥିବା ବେଳେ ଚାଷୀମାନେ ଆଖୁ ଅମଳ ପରେ କିପରି ଚିନି କଲରେ ପହଞ୍ଚିିବେ ସେ ନେଇ ଚିନ୍ତା ପ୍ରକାଶ କରିଛନ୍ତି ।
ଗୋଟିଏ ପଟେ ଲକ୍ ଡାଉନ୍ ପାଇଁ ଯାନବାହାନ ଚଳାଚଳ ବନ୍ଦ ହୋଇ ପଡ଼ିଥିବା ବେଳେ ଏହା ପାଖାପାଖି ୩୦ ହଜାର ଆଖୁ ଚାଷୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରିଛି ।
ମାର୍କେଟ୍ ବନ୍ଦ ହେବା କାରଣରୁ ଆଜିକୁ ୨୪ ଦିନ ହେଲାଣି ଆଖି ଚାଷୀମାନଙ୍କଠାରୁ କୌଣସି ବ୍ୟବସାୟୀ ଆଖୁ ନେଇ ପାରୁନାହାନ୍ତି ।
ଫଳରେ ଏହା ଅନ୍ୟ ରାଜ୍ୟକୁ ଓ ରାଜ୍ୟ ଭିତରେ ଅନ୍ୟ ଜିଲ୍ଲାକୁ ଯାଇ ପାରୁନାହିଁ ।
ପ୍ରତିବର୍ଷ ଖରା ମାସରେ ଆଖୁର ରପ୍ତାନୀ ଯଥେଷ୍ଟ ବେଶୀ ଥାଏ । ସାଧାରଣତଃ ଏହି ସମୟରେ ବ୍ୟବସାୟୀ ଓ ଚିନି କଳ ଗୁଡ଼ିକ ଚାଷୀମାନଙ୍କଠାରୁ ଆଖୁ କିଣିବା ଆରମ୍ଭ କରି ଦେଇଥାନ୍ତି ।
ହେଲେ ଲକ୍ ଡାଉନ୍ ଯୋଗୁଁ ଏବେ ସ୍ଥାନୀୟ ଅଞ୍ଚଳରେ ଆଖୁ ବ୍ୟବସାୟୀ ତଥା ଆଖୁ ରପ୍ତାନୀ ଏକ ସମସ୍ୟା ଭାବେ ଉଭା ହୋଇଛି ।
ଜିଲ୍ଲା କୃଷକ ସଭା ୟୁନିଟର ସଭାପତି ଉମେଶ ଚନ୍ଦ୍ର ସିଂ କହିଛନ୍ତି ଯଦି ଆଖୁ ଚାଷୀମାନେ ଶୀଘ୍ର ଆଖୁ ବିକ୍ରି ନ କରି ପାରିବେ ଓ ଏସବୁର ରପ୍ତାନୀ ହୋଇ ନପାରିବ ତେବେ ଆଖୁ ସବୁ ଶୁଖିଯିବ । ଯାହାକି ଆମ ଚାଷୀଙ୍କୁ ଢେର କ୍ଷତି ପହଞ୍ଚାଇବ ।
ସେ ଆହୁରି ମଧ୍ୟ କହିଛନ୍ତି ଚିନି କଳ ସବୁ ତୁରନ୍ତ ଖୋଲି ଆଖୁ ପେଡ଼ା ଆରମ୍ଭ କରାଯିବା ଦରକାର । ଏଥିପାଇଁ ଆମେ ନିକଟରେ କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଛୁ ।
ଜିଲ୍ଲାରେ ବନ୍ଦଥିବା ମିଲ୍ ଗୁଡ଼ିକୁ ଚାଷୁ କରିବାକୁ ଓ ଆଖୁ ରପ୍ତାନୀ କିପରି ସହଜରେ କରାଯାଇ ପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛୁ ।
ଲକ୍ ଡାଉନ୍କୁ ଆଜି ୨୪ ଦିନ ପୂରିବାକୁ ବସିଥିବା ବେଳେ ଜିଲ୍ଲାର ମାର୍ଶାଘାଇ, ଗରଦପୁର, ଡେରାବିଶ, ରାଜକନିକା, ରାଜନଗର ଏବଂ ମହାକାଳପଡ଼ା ବ୍ଲକ୍ର ଆଖୁଚାଷୀମାନଙ୍କଠାରେ ସମାନ ପରିସ୍ଥିତି ଦେଖା ଦେଇଛି ।
ଜଗନ୍ନାଥପୁର ଗାଁର ଶରତ ରାଉତ କହିଛନ୍ତି ଆମ ଆଖୁ ଚାଷୀମାନଙ୍କ ପାଇଁ ଖୁବ୍ କଷ୍ଟକର ସମୟ ଆସିଛି ।
ଲକ୍ ଡାଉନ୍ ପାଇଁ ଏହାର ବିକ୍ରିବଟା ସମ୍ଭବ ହୋଇ ପାରୁନି । ତେଣୁ ସରକାର ଆଖୁ ବ୍ୟବସାୟୀମାନଙ୍କୁ ଚାଷୀର ଘରୁ ଆସି ଆଖୁ ନେଇଯିବାକୁ ସରକାର ଅନୁମତି ଦିଅନ୍ତୁ ।
ଅନେକ ଆଖୁ ଚାଷୀ ବ୍ୟବସାୟୀ ଓ ଚିନି କଳ ମାଲିକମାନଙ୍କ ଠାରୁ ଆଗୁଆ ଋଣ ନେଇ ଚାଷ କରିଥିବା ବେଳେ ଏବେ ଆଖୁର ବିକ୍ରିବଟା ନ ହେବା ଚାଷୀଙ୍କୁ ଚିନ୍ତାରେ ପକାଇଛି ।
ଏ ବାବଦରେ ଆଖୁ ବ୍ୟବସାୟୀ ଅରକ୍ଷିତ ବେହେରା କହିଛନ୍ତି ଲକ୍ ଡାଉନ୍ ପାଇଁ ଚାଷୀମାନଙ୍କଠାରୁ ଆଖୁ ଆଣିବା ସମ୍ଭବ ହୋଇ ପାରୁନି ।
ଅନେକ ଗାଁରେ କରୋନା ଭୟରେ ବ୍ୟାରିକେଡ ଲଗାଯାଇଥିବାରୁ ଚାଷୀମାନଙ୍କ ପାଖକୁ ଯିବା ମଧ୍ୟ ସମ୍ଭବ ହୋଇ ପାରୁନି । ତେଣୁ ଆମେ ଇଚ୍ଛା କରି ମଧ୍ୟ ଆଖୁ ସଂଗ୍ରହ କରିପାରୁନୁ ।
ଲୋକାଲ ୱାୟାର
Leave a Reply