ଭୁବନେଶ୍ୱର,ମାର୍ଚ୍ଚ ୩୦(ଲୋକାଲ ୱାୟାର): କରୋନା ଭାଇରସର ସଂକ୍ରମଣ ରୋକିବାକୁ ଏବେ ସମଗ୍ର ଦେଶ ଲକ୍ ଡାଉନରେ ।
ନେତା, ଜନତା ସମସ୍ତେ ଘର ମଧ୍ୟରେ ଅଟକି ରହିଛି । ବିଜେପି ସାଂସଦ ଜୁଏଲ୍ ଓରାମ ବି ଲକ୍ ଡାଉନ ନିମୟକୁ ପାଳନ କରି ଦିଲ୍ଲୀସ୍ଥିତ ବାସଭବନରୁ ବାହାରୁ ନାହାନ୍ତି ।
ଆସନ୍ତୁ ଦେଖିବା ଲକ୍ ଡାଉନରେ କେମିଟି କଟୁଛି ତାଙ୍କ ସମୟ ।
ସାଂସଦ ଶ୍ରୀ ଓରାମ ଏବେ ଭୋର୍ ୪ଟାରୁ ଉଠି ନିତ୍ୟକର୍ମ ସାରିବା ପରେ ଖବର କାଗଜ ପଢ଼ୁଛନ୍ତି ।
କିନ୍ତୁ ଏହା ଇ-ପେପରରେ । ଘରକୁ ଏବେ ତାଙ୍କର ଖବରକାଗଜ ଆସୁନାହିଁ ।
ତେଣୁ ସେ ଇଣ୍ଟରନେଟରେ ଜାତୀୟ, ଆଞ୍ଚଳିକ ଇ-ପେପର ପଢ଼ୁଛନ୍ତି । ଏହା ପରେ ଆରମ୍ଭ କରୁଛନ୍ତି ବ୍ୟାୟାମ ।
ଟ୍ରେଡ୍ ମିଲ୍ ବା ସାଇକେଲିଂ ମେସିନରେ ଏକ ଘଣ୍ଟା ପର୍ଯ୍ୟନ୍ତ
ବ୍ୟାୟାମ କରୁଛନ୍ତି ।
ପରେ ନିଜ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନେତା ଓ କର୍ମୀମାନଙ୍କ ସହ ଫୋନ୍ ରେ ଆଲୋଚନା କରୁଛନ୍ତି ।
ସମସ୍ତଙ୍କୁ ଲକ୍ ଡାଉନ ପାଳନ କରିବାକୁ, ହାତ ସାନିଟାଇଜ କରିବାକୁ ଏବଂ ଘରୁ ନ ବାହାରିବାକୁ ପରାମର୍ଶ ଦେଉଛନ୍ତି ।
ସୁନ୍ଦରଗଡ଼ରେ ସେ ଏକ କରୋନା କଣ୍ଟ୍ରୋଲ ରୁମ୍ କରିଛନ୍ତି । ତାଙ୍କ ଦଳର ନେତା ଓ କର୍ମୀମାନେ ଏହାରି ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ଲୋକମାନଙ୍କୁ ଲକ୍ ଡାଉନକୁ ପାଳନ କରିବାକୁ ପରାମର୍ଶ ଦିଆଯାଉଛି ।
କାହାରି କିଛି ଅସୁବିଧା ଥିଲେ ତାହାକୁ ପ୍ରଶାସନିକ ଅଧିକାରୀମାନଙ୍କ ସହାୟତାରେ ସମାଧାନ କରାଯାଉଛି ।
ବିଶେଷ କରି ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବହୁ ଟ୍ରକ ଡ୍ରାଇଭରଙ୍କୁ ପରାମର୍ଶ ଦିଆଯାଉଛି ।
ଅପରାହ୍ଣରେ ସେ ବାସଭବନ ପରିସରରେ ଥିବା ବଗିଚାରେ କୋଡ଼ି, କୋଦାଳ ଧରି କାମ କରୁଛନ୍ତି ।
ସେ ଚାଷୀ ଘରର ପିଲା ହୋଇଥିବାରୁ ଚାଷବାସ ତାଙ୍କୁ ଭଲ ଲାଗେ । ତେଣୁ ଏବେ ବାଡ଼ିରେ ଯଥେଷ୍ଟ ସମୟ ସେ ବଗିଚା କରିବାରେ ଦେଉଛନ୍ତି ।
୨୪ ତାରିଖରେ ସେ ଭୁବନେଶ୍ୱର ଆସିବାକୁ ଟିକେଟ କରିଥିଲେ ମଧ୍ୟ ତାହାକୁ ବାତିଲ କରିଥିଲେ ।
ଭୁବନେଶ୍ୱରେ ଥିବା ଭାଇଙ୍କ ପରିବାର ଏବଂ ସୁନ୍ଦରଗଡ଼ରେ ଥିବା ପରିବାର ସଦସ୍ୟମାନଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କ ସହ ସିକୁ୍ୟରିଟି ଗାର୍ଡ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ନେଇ ମୋଟ ୧୫ ଜଣ ଥିବା ଶ୍ରୀ ଓରାମ କହିଛନ୍ତି ।
ତେବେ ସମସ୍ତେ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି, ହାତ ସାନିଟାଇଜ କରୁଛନ୍ତି ।
ବାସଭବନର ଦୁଇଟି ଯାକ ଫାଟକ ଲକ୍ କରାଯାଇଛି । କାହାରିକୁ ଭିତରକୁ ଆସିବାକୁ ଦିଆଯାଉନାହିଁ ।
ଏପରିକି ସାମ୍ବାଦିକମାନଙ୍କୁ ମଧ୍ୟ ଫୋନ୍ ଯୋଗ କଥା ହେବାକୁ ଶ୍ରୀ ଓରାମ ଅନୁରୋଧ କରିଛନ୍ତି ।
ଶ୍ରୀ ଓରାମ କହିଛନ୍ତି, ଲକ୍ ଡାଉନରେ ଥିଲେ ମଧ୍ୟ ନିଜକୁ ସେ ଲକ୍ ଡାଉନରେ ଥିବା ଭଳି ଅନୁଭବ କରୁନାହାନ୍ତି, ବରଂ ଖୁସିରେ ଅଛନ୍ତି ।
ଲୋକାଲ ୱାୟାର
Leave a Reply