ଭୁବନେଶ୍ୱର, ଏପ୍ରିଲ ୨୨(ଲୋକାଲ ୱାୟାର): କରୋନା ମୁକାବିଲା ପାଇଁ ରାଜ୍ୟର ୬୭୯୮ ପଞ୍ଚାୟତର ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସିଂରେ ଆଲୋଚନା କରିବା ସହ ଲକ୍ ଡାଉନ ନିୟମ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ, ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ ସ୍ତରରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିଲେ ।
ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ପୁରା ଭରସା ରହିଛି ।
ସେମାନେ ଯଦି କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପଦକ୍ଷେପକୁ କଡ଼ାକଡ଼ି ଭାବେ ଅନୁପାଳନ କରିବେ, ତେବେ ଗାଁରେ କରୋନା ପଶିପାରିବ ନାହିଁ ।
ସରପଞ୍ଚମାନଙ୍କୁ ଭଲ କାମ ଜାରି ରଖିବାକୁ ପରାମର୍ଶ ଦେଇ ପୁରା ସରକାର ଓ ସରକାରୀ କଳ ସେମାନଙ୍କ ସହିିତ ଏଥିପାଇଁ ସବୁବେଳେ ରହିଛି ବୋଲି ସେ କହିଥିଲେ ।
ଏହି ରୋଗର ମେଡିସିନ୍ ଏ ପର୍ଯ୍ୟନ୍ତ ଆସିନାହିଁ । ତେଣୁ ସାମାଜିକ ଦୂରତ୍ୱ ଓ ସଚେତନତା ଦ୍ୱାରା ହିଁ ଏହାକୁ ରୋକିପାରିବା ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ସଦର ବ୍ଲକ, କେନ୍ଦ୍ରାପଡ଼ା ସଦର ବ୍ଲକ, ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ, ସମ୍ବଲପୁରର ଧନକରଡ଼ା ବ୍ଲକ, ବରଗଡ଼, ବାଲେଶ୍ୱର, ଜୟପୁର, ପାରଳାଖେମୁଣ୍ଡି ଆଦି ବିଭିନ୍ନ ସ୍ଥାନର ସରପଞ୍ଚମାନଙ୍କ ସହ ଆଲୋଚନା କରିଥିଲେ ।
ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବାସ୍ତବ ପଦକ୍ଷେପ ପ୍ରଶଂସନୀୟ ।
ମୁଖ୍ୟମନ୍ତ୍ରୀଙ୍କ ନୂତନ ପଦକ୍ଷେପ ଯୋଗୁ ଗ୍ରାମାଞ୍ଚଳରେ ସରପଞ୍ଚମାନେ ହିଁ ଆଗଧାଡ଼ିର କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରିବେ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପଞ୍ଚାୟତ ଉପରେ ସରକାରଙ୍କ ପୂର୍ଣ୍ଣ ଭରସା ରହିଛି ଏବଂ ସେମାନେ ସରକାରଙ୍କ ଭରସାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବେ ବୋଲି ଆଶା ପ୍ରକାଶ କରିଥିଲେ ।
୫-ଟି ସଚିବ ଭି.କେ. ପାଣ୍ଡିଆନ ସରପଞ୍ଚମାନଙ୍କ ସହ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ଲାଗି କେତେକ ସୁଚିନ୍ତିତ ତଥା ବାସ୍ତବବାଦୀ ପରାମର୍ଶ ଦେଇଥିଲେ ।
ପୂର୍ବରୁ ପଞ୍ଚାୟତିରାଜ ସଚିବ ଡି.କେ. ସିଂହ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ ପାଇଁ କିପରି ବ୍ୟବସ୍ଥା କରାଯିବ ତାହା କହିଥିଲେ ।
ଆଗାମୀ ଦିନରେ ରାଜ୍ୟ ବାହାରୁ ୫ ଲକ୍ଷ ଓଡ଼ିଆ ନିଜ ନିଜ ଗାଁକୁ ଫେରିବେ । ରାଜ୍ୟ ସରକାର ଏଥିପାଇଁ ଏପ୍ରିଲ ୨୪ ତାରିଖରେ ଏକ ପୋର୍ଟାଲ ଖୋଲିବେ ।
ଆସୁଥିବା ଲୋକମାନେ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ତଥ୍ୟ ଯେପରି ଏହି ପୋର୍ଟାଲରେ ପଂଜିକୃତ ହେବ ତାହାର ତଦାରଖ ଦାୟିତ୍ୱ ସରପଞ୍ଚମାନଙ୍କର ।
ସବୁ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସର ରହିବା ସହ ବିଡିଓମାନେ ପ୍ରତ୍ୟେକ ପଞ୍ଚାୟତରେ ତଦାରଖ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ସେ କହିଥିଲେ ।
ଲୋକାଲ ୱାୟାର
Leave a Reply