ଭୁବନେଶ୍ୱର, ଜୁନ୍ ୨୩(ଲୋକାଲ ୱାୟାର): ‘ମିସ୍ତ୍ରୀ’ । ଶବ୍ଦରେ ହିଁ ରହିଛି ପୁରୁଷ ଅଧିକାରର କଥା ।
ସତେ ଯେମିତି ଏହି ଶବ୍ଦ ସହ ପୁରୁଷଟି ଜନ୍ମରୁ ଯୋଡ଼ି ହୋଇ ରହିଛି । ସାଧାରଣ ଭାବେ ଲୋକଙ୍କ ଧାରଣା ପୁରୁଷଟି ହିଁ କଠିନ ପରିଶ୍ରମ କରିପାରିବ ।
ନିଜର ଦକ୍ଷତା ବଳରେ ମିସ୍ତ୍ରୀର ଆଖ୍ୟା ପାଇପାରିବ । ଇଟା ସିମେଣ୍ଟ ଯୋଡ଼ି ବଡ଼ ବଡ଼ ବିଲଡିଂ କରି ପାରିବ ।
ମାର୍ବଲ, ଟାଇଲ୍ ଲଗେଇ ଘରକୁ ସୁନ୍ଦର ରୂପ ଦେଇ ପାରିବ । ପୁଣି ଭାଡ଼ିରେ ବସି ଆପାର୍ଟମେଣ୍ଟ ସବୁ ରଙ୍ଗ କରିପାରିବ ।
ପୁରୁଷ ପ୍ରଧାନ ସମାଜର ଏଭଳି ଅସ୍ୱୀକୃତ ମାନସିକତାକୁ କିନ୍ତୁ ଭୁଲ୍ ପ୍ରମାଣିତ କରି ପାରିଛନ୍ତି ଭୁବନେଶ୍ୱର ସାଲିଆ ସାହିର ମହିଳା ସଞ୍ଜୁ ସାଫୁଆ ।
୧୯୮୮ରେ ସ୍ୱାମୀ ତାଙ୍କୁ ଛାଡ଼ି ଅନ୍ୟତ୍ର ବାହା ହୋଇଗଲା ପରେ ଘରର ସମସ୍ତ ଦାୟିତ୍ୱ ପଡ଼ିଲା ସଞ୍ଜୁଙ୍କ କାନ୍ଧରେ ।
ତିନି ପ୍ରାଣୀ କୁଟୁମ୍ବଙ୍କ ପେଟ ପାଇଁ ଘରୁ ପାଦ କାଢ଼ିଲେ । ମୁଣ୍ଡରେ କପଡ଼ା, ହାତରେ ବ୍ରସ୍ ଧରି ବାହାରିଲେ ରଙ୍ଗ କାମରେ ।
ଦିନକୁ ମାତ୍ର ୨୦ ଟଙ୍କା ହିସାବରେ ପୁରୁଷ ମିସ୍ତ୍ରୀଙ୍କ ଅଧୀନରେ ରହି ହେଲପର କାମ କଲେ ।
ଯେତେବେଳେ ଯିଏ ରଙ୍ଗ ବ୍ରସ୍ ଛାଡ଼ି ଦେଇ ଯାଏ; ସଞ୍ଜୁ ତାକୁ ଧରି କାନ୍ଥ ରଙ୍ଗୀନ କରି ଚାଲନ୍ତି ।
ଏମିତି କରୁ କରୁ ମାତ୍ର କେଇ ମାସରେ ଭଲ କରି ରଙ୍ଗ କାମ ଶିଖିଗଲେ ସେ । ବଡ଼ ବଡ଼ ଆପାର୍ଟମେଣ୍ଟରେ କାମ କଲେ ।
ନିଜ ଅଧୀନରେ ତାଙ୍କ ଭଳି ମହିଳାଙ୍କୁ ରଖିଲେ । ସେମାନଙ୍କୁ କାମ ଶିଖେଇଲେ,ଆଉ ନିଜେ ବି କାମ କଲେ ।
ଏମିତି ସମୟ ଆସିଲା ରଙ୍ଗମିସ୍ତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ସାଉଁଟିଲେ ସଞ୍ଜୁ ।
ବଡ଼ି ଭୋରରୁ ସନ୍ଧ୍ୟା ଯାଏଁ… । ଆଜିକୁ ୨୮ ବର୍ଷ ହୋଇଗଲାଣି । ଅବିରତ କାମ କରି ବି ଥକି ପଡ଼ି ନାହାନ୍ତି ୪୬ ବର୍ଷୀୟା ସଞ୍ଜୁ ।
ବରଂ ନିଜର ଦୃଢ଼ ମନୋବଳ ଯୋଗୁଁ ଅଧିକରୁ ଅଧିକ କାମ କରି ତାଙ୍କ ଭଳି ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରାଇ ପାରିଛନ୍ତି ।
ସଞ୍ଜୁ କୁହନ୍ତି କୌଣସି କାମ ପୁରୁଷ କି ମହିଳାଙ୍କ ନିର୍ଦ୍ଧାରିତ ହୋଇ ନଥାଏ । ଆମେ ହିଁ ସେସବୁ ତିଆରି କରିଛୁ ।
ପୁରୁଷ ଓ ମହିଳାଙ୍କ ପାଇଁ କାମ ବାଣ୍ଟିଛୁ । ସବୁବେଳେ ବେଶୀ ପାରିଶ୍ରମିକ ମିଳୁଥିବା କାମ ପୁରୁଷଙ୍କୁ ଦେଇଛୁ; ଆଉ କମ୍ ପାରିଶ୍ରମିକ ମିଳୁଥିବା କାମ ମହିଳାଙ୍କ ଭାଗ୍ୟରେ ଯୋଡ଼ି ଦେଇଛୁ ।
ହେଲେ ମୁଁ ଏସବୁକୁ କେବେ ଖାତିର କରିନି । ରଙ୍ଗ ମିସ୍ତ୍ରୀ ଭାବେ କାମ କଲା ବେଳେ ଘଣ୍ଟା ଘଣ୍ଟା ଭାଡ଼ିରେ ଝୁଲି ରହି କାନ୍ଥ ସବୁ ରଙ୍ଗ କରିଛି ।
ହେଲେ ସେଥିରେ ବେଶୀ ଟଙ୍କା ମିଳିଲାନି । ତେଣୁ ଏବେ ମାର୍ବଲ କାମ କରୁଛି । ମେସିନ୍ ଚଲାଇବା ଠାରୁ ଆରମ୍ଭ କରି କାନ୍ଥରେ ଟାଇଲ୍ ବସାଇବା, ଚଟାଣରେ ମାର୍ବଲ ବସାଇବା ସବୁ କାମ କରୁଛି ।
ଖାଲି ମହିଳା ନୁହେଁ ପୁରୁଷମାନେ ବି ମୋ ଅଧୀନରେ ରହି କାମ କରୁଛନ୍ତି । ଦିନେ ୫୦ ଟଙ୍କା ପାଇଁ ଲୋକଙ୍କ ପାଖରେ ହାତ ପାତୁଥିବା ସଞ୍ଜୁ ଆଜି ୫୦ ଜଣଙ୍କ ପେଟକୁ ଦାନା ଦେଇ ପାରୁଛି । ଏଇ କଥା ଭାବିଲେ ମୋ ଛାତି ଭିତରଟା କୁଣ୍ଢେମୋଟ ହୋଇଯାଏ ।
୧୯୮୮ ମସିହା କଥା । ସଞ୍ଜୁଙ୍କ ହାତ ଛାଡ଼ି ଦେଲେ ସ୍ୱାମୀ ନାରାୟଣ । ବାପା ମାଙ୍କ କଥାରେ ଗାଁକୁ ଫେରିଯାଇ ନାରାୟଣ ଦ୍ୱିତୀୟ ବିବାହ କଲେ ।
ସେତେବେଳକୁ ତାଙ୍କ କୋଳରେ କୁନି ପୁଅ । ପୁଅକୁ କେବଳ ବାପାର ପରିଚୟ ଦେବା ପାଇଁ ସ୍ୱାମୀଙ୍କ ଏଭଳି ନିଷ୍ପତ୍ତିକୁ ମୁଣ୍ଡ ପାତି ସହିଗଲେ ସଞ୍ଜୁ । ନିଜ ସଉତୁଣୀକୁ ଭଉଣୀ ଭଳି ଦେଖିଲେ ।
ଏହାରି ଭିତରେ ଦ୍ୱିତୀୟ ସ୍ତ୍ରୀଙ୍କର ଝିଅ ଟିଏ ହୋଇଗଲା । ହେଲେ ହୃଦଘାତରେ ଆର ପାରିକୁ ଚାଲିଗଲେ ସଉତୁଣୀ ।
ସଞ୍ଜୁ ଭାବିଥିଲେ ଏବେ ସବୁ ସୁଧୁରିଯିବ । ଶାଶୂ ଶ୍ୱଶୁର ନିଜର ଭୁଲ୍ ବୁଝି ପାରିବେ ।
ସ୍ୱାମୀ, ଦୁଇ ଛୁଆ, ଶାଶୂ ଶ୍ୱଶୂରଙ୍କୁ ନେଇ ପୁଣି ସଂସାର ଚାଲିବ । ହେଲେ ସଞ୍ଜୁଙ୍କ ଏ ସ୍ୱପ୍ନ ବି ଭାଙ୍ଗିଗଲା ।
ତୃତୀୟ ବିବାହ କଲେ ନାରାୟଣ । ଏଥର ଘରେ ଅଶାନ୍ତି ଆରମ୍ଭ ହେଲା । କଥା କଥାରେ ମାର ପିଟ୍, ଧମକ୍ ଚମକ୍ ।
ବିରକ୍ତ ହୋଇଗଲେ ସଞ୍ଜୁ । ଘର ଛାଡ଼ିଦେଲେ । ଗାଁ ସହ ଏକ ପ୍ରକାର ସମ୍ପର୍କ ତୁଟାଇ ଦେଲେ ।
ଭୁବନେଶ୍ୱର ପଳାଇ ଆସି ପଥରବନ୍ଧ ଅଞ୍ଚଳରେ ରହିଲେ । କ’ଣ କରିବେ? କେମିତି ଚଳିବେ? ପୁଅକୁ କେମିତି ପାଠ ପଢ଼ାଇବେ? ଏମିତି ଚିନ୍ତାରେ ଶୁଖି କଣ୍ଟା ହୋଇଗଲେ । ଏକପ୍ରକାର ଖାଇବା ପିଇବା ଛାଡ଼ି ଦେଲେ ।
ଏସବୁ ଦେଖି ସଞ୍ଜୁଙ୍କ ମା’ ଆସି ତାଙ୍କ ସହ ପଥରବନ୍ଧରେ ରହିଲେ । ପର ଘରେ କାମ କରି ସଞ୍ଜୁ ଆଉ ପୁଅକୁ ପୋଷିଲେ ।
ବୁଢ଼ି ମା’ ପରିବାର ପୋଷିବା ଘଟଣା ସଞ୍ଜୁଙ୍କୁ ବେଶୀ କଷ୍ଟ ଦେଲା । ପୁଅ ଟିକେ ବଡ଼ ହେବା ପରେ ମା’ଙ୍କ କୋଳରେ ତାକୁ ଛାଡ଼ି ଘରୁ ପାଦ କାଢ଼ିଲେ ସଞ୍ଜୁ ।
ପର ଘରେ ବାସନ ମାଜିଲେ । ପୁଅକୁ ସ୍କୁଲରେ ନାମ ଲେଖାଇଲେ । ହେଲେ ଏସବୁ ତାଙ୍କର ଆବଶ୍ୟକତାକୁ ମେଣ୍ଟାଇ ପାରିଲା ନାହିଁ ।
ତେଣୁ ସେ ହାତରେ ବ୍ରସ୍ ଓ ରଙ୍ଗ ଡବା ଧରି ରଙ୍ଗମିସ୍ତ୍ରୀ ହେଲେ । ଆଉ ଶେଷରେ ମେସିନ୍ ଓ କରଣି ଧରି ମାର୍ବଲ ମିସ୍ତ୍ରୀ ହେଲେ ।
ଏକାକି ମହିଳା ହୋଇବି ସେ ଆଜି ଘରର ଯାବତୀୟ କାମ ସାଙ୍ଗକୁ ବାହାର କାମ କରି ସମସ୍ତଙ୍କ ପେଟ ପୋଷି ପାରୁଛନ୍ତି ।
ସଞ୍ଜୁ କୁହନ୍ତି, ଯେତେବେଳେ ପ୍ରଥମେ ରଙ୍ଗ କାମ ଶିଖିଲି, ସେତେବେଳେ କାମ ପାଇବା ପାଇଁ ବାର ଦୁଆର ହୋଇଛି ।
ଝିଅ ପିଲାଟା, କି କାମ କରିବ ବୋଲି ଅନେକ ଲୋକ ମୋତେ ତଡ଼ି ଦେଇଛନ୍ତି । କାମ ପାଇଁ ସାଇକେଲ ଚଲାଇବା ଶିଖିଲି । ମାଇଲ ମାଇଲ ବାଟ କାମ ଆଶାରେ ସାଇକେଲରେ ଘରୁ ବାହାରୁଥିଲି ।
ରାସ୍ତାରେ ଗଲାବେଳେ ବି ଲୋକେ ବହୁତ କଥା କହୁଥିଲେ । ଛି’ ଛା କରୁଥିଲେ ।
ଶାଢ଼ି ପିନ୍ଧି ତିରିଲା ପିଲାଟା ସାଇକେଲ ଚଲାଉଛି କହି ଲୋକେ ଟାହି ଟାପରା ବି କରୁଥିଲେ ।
ପ୍ରଥମେ ପ୍ରଥମେ ଏକଥାରେ ମନ ଦୁଃଖ ହେଉଥିଲା । ହେଲେ ପରେ ଏସବୁକୁ ମୁଁ ଅଣ ଦେଖା କଲି । ବିହାରୀ ମିସ୍ତ୍ରୀଙ୍କ ସହ ମିଶି କାମ କଲି ।
ସେମାନଙ୍କଠୁ ଲୁନା ଶିଖିଲି । ଆଉ ଏବେ ନିଜେ ସ୍କୁଟି ଚଳାଇ କାମକୁ ଯାଉଛି । ଧୈର୍ଯ୍ୟ, ସହନଶୀଳତା ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି ।
ବାସ୍ତବିକ ସଞ୍ଜୁଙ୍କ ଏକାଗ୍ରତା, ନିଷ୍ଠା ଏବଂ କର୍ତ୍ତବ୍ୟ-ନିଷ୍ଠ କର୍ମ ତତ୍ପରତାକୁ ଦେଖିଲେ ଯେ କେହି ବି ସଲାମ୍ କରିବ ।
ଅନ୍ୟମାନଙ୍କୁ ପ୍ରେରିତ କଲା ଭଳି ସଞ୍ଜୁଙ୍କ ଏ କାହାଣୀ ନିଶ୍ଚିତ ଭାବେ ପ୍ରଶଂସନୀୟ ।
ଲୋକାଲ ୱାୟାର
Leave a Reply