କେନ୍ଦ୍ରାପଡ଼ା, ମାର୍ଚ୍ଚ ୧୫ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ସହରର ବଡ଼ହାଟ ଗଳିରେ ରହିଛି ଶହେ ବର୍ଷ ପୁରୁଣା ବାଦ୍ୟଯନ୍ତ୍ର ଦୋକାନ ନିରଞ୍ଜନ ମ୍ୟୁଜିକ ହାଉସ । ୧୯୨୧ରେ କେନ୍ଦ୍ରାପଡ଼ା ସହରର ନନ୍ଦିପୁର ଗାଁର ଭୀମସେନ ନାୟକ ମଢ଼ିଆଳ ବଜାରରେ ଏହି ଦୋକାନଟି କରିଥିଲେ ।
୧୯୮୦ ବେଳକୁ ବଡହାଟ ଗଳିକୁ ଦୋକାନଟି ଉଠି ଆସିଥିଲା । ଏହି ପ୍ରାଚୀନ ବାଦ୍ୟଯନ୍ତ୍ର ଦୋକାନ ଏବେ ପରିବାରର ଚତୁର୍ଥ ପୀଢି ଦ୍ୱାରା ପରିଚାଳିତ ହେଉଛି ।
ବ୍ୟବସାୟ ଅଭାବରୁ ଅଧିକାଂଶ ବାଦ୍ୟଯନ୍ତ୍ର ଦୋକାନ ବନ୍ଦ ହୋଇ ସାରିଥିବା ବେଳେ ଏହି ପୁରୁଣା ଦୋକାନଟି ଆଜି ବି ନିଜ ଅସ୍ଥିତ୍ୱ ବଜାୟ ରଖିଛି ।
ଅଣଜେଜେ ଭୀମସେନ ନାୟକ କନିକା ରାଜାଙ୍କ ଦରବାରରେ ସଂଗୀତଜ୍ଞ ଥିଲେ । ସେ କୋଲକାତାରୁ ବାଦ୍ୟଯନ୍ତ୍ର ମରାମତି କାମ ଶିଖିଥିଲେ ।
୧୯୨୧ରେ ସେ ବାଦ୍ୟଯନ୍ତ୍ର ଦୋକାନ ଆରମ୍ଭ କରିଥିଲେ । ତାଙ୍କ ମୃତ୍ୟୁ ପରେ ଜେଜେବାପା ମଧୁସୂଦନ ନାୟକ ଦୋକାନ ଚଳାଇଥିଲେ ।
ଜେଜେବାପାଙ୍କ ଠାରୁ କାମ ଶିଖି ବାପା ନିରଞ୍ଜନ ନାୟକ ଦୋକାନ ଚଳାଉଥିଲେ । ଏବେ ଆମେ ଦୁଇ ଭାଇ ଦୋକାନ ଚଳାଉଛୁ ବୋଲି କହନ୍ତି ଚତୁର୍ଥ ପୀଢିର ମନୋଜ ନାୟକ ଓ ସାନ ଭାଇ ଦିଲ୍ଲୀପ ।
ବାଦ୍ୟଯନ୍ତ୍ର ମରାମତିରେ ଅସାଧାରଣ ଦକ୍ଷତା ଥିବା ଦିଲ୍ଲୀପ ଓ ମନୋଜଙ୍କୁ ସଂଗୀତଜ୍ଞ, ଗାୟକମାନେ ବେଶ ସମ୍ମାନ ଦେଇଥାନ୍ତି ।
ବାଦ୍ୟଯନ୍ତ୍ର ଯେତେ ପୁରୁଣା ହୋଇଥାଉନା କାହିଁକି ଦିଲ୍ଲୀପଙ୍କ ଯାଦୁକରୀ ଅଙ୍ଗୁଳିର ସ୍ପର୍ଶରେ ତାହା ମୂର୍ଛନା ସୃଷ୍ଟି କରିଥାଏ ।
ପିଲାବେଳୁ ବାପାଙ୍କ ଠାରୁ ହାରମୋନିୟମ, ତବଲା, ବୀଣା, ତାନପୁରା ଭଳି ପାରମ୍ପରିକ ବାଦ୍ୟଯନ୍ତ୍ର ମରାମତି ଶିଖିଥିଲେ ଦିଲ୍ଲୀପ ।
ଗତ ତିନି ଦଶନ୍ଧି ମଧ୍ୟରେ ହାରମୋନିୟମ ବିକ୍ରି ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି । ଇଲେକ୍ଟ୍ରୋନିକ କିବୋର୍ଡ, ଇଂରାଜୀ ଓ ଆଧୁନିକ ସଂଗୀତର ଚାହିଦା ବଢିଥିବାରୁ ପାରମ୍ପରିକ ବାଦ୍ୟଯନ୍ତ୍ରଗୁଡିକର ଗୁରୁତ୍ୱ ହ୍ରାସ ପାଉଛି ।
ପୂର୍ବରୁ ମାସକୁ ୪୦ରୁ ୫୦ଟି ହାରମୋନିୟମ ବିକ୍ରି ହେଉଥିଲା ଏବେ ମାସକୁ ୧୦-୧୫ଟି ବିକ୍ରି ହେଉଛି ।
ସଂଗୀତ ଓ ବାଦ୍ୟଯନ୍ତ୍ର ପ୍ରତି ଭଲ ପାଇବା ଥିବାରୁ ଆମେ ଏହି ପେଶାରେ ରହିଛୁ ବୋଲି କହନ୍ତି ଦିଲ୍ଲୀପ । ବାପାଙ୍କ ବେଳେ ଦୋକାନରେ ୬ ଜଣ କାରିଗର ଥିଲେ । ଏବେ ଆମେ ଦୁଇ ଭାଇ ମରାମତି କରୁଛୁ ।
ପାରମ୍ପରିକ ବାଦ୍ୟଯନ୍ତ୍ରକୁ ଲୋକେ ଦିନେ ଭୁଲିଯିବେ ଭାବିଲା ବେଳକୁ ଡର ଲାଗୁଛି । ଆଜିର ଚାହିଦାକୁ ଦେଖି ଆମେ ଭାଓଲିନ, ଗିଟାର, ଡ୍ରମ, ସାକ୍ସୋଫୋନ, ବାସ ଓ ଡିଜେ ଉପକରଣ ବିକ୍ରି କରୁଛୁ ବୋଲି କହନ୍ତି ଦିଲ୍ଲୀପ ନାୟକ ।
ଭିକାରୀ ବଳ, ବାଳକୃଷ୍ଣ ଦାଶ, ଅକ୍ଷୟ ମହାନ୍ତିଙ୍କ ଭଳି ବହୁ ପ୍ରସିଦ୍ଧ ସଂଗୀତଜ୍ଞ ଓ ଗାୟକ ଆମ ଦୋକାନରୁ ବାଦ୍ୟଯନ୍ତ୍ର କିଣିଥିଲେ ଓ ମରାମତି କରିଥିଲେ ।
କେନ୍ଦ୍ରାପଡା ଜିଲ୍ଲାର ଏକମାତ୍ର ବାଦ୍ୟଯନ୍ତ୍ର ଦୋକାନ ହୋଇଥିବାରୁ ବହୁ ସଂଗୀତ ସ୍କୁଲ, ମନ୍ଦିର, ସଂଗୀତ ପ୍ରେମୀ, ସଂଗୀତଜ୍ଞ ଓ ବ୍ୟାଣ୍ଡ ପାର୍ଟି ମାଲିକମାନେ ବାଦ୍ୟଯନ୍ତ୍ର କିଣିବା ପାଇଁ ଆମ ଦୋକାନ ଉପରେ ନିର୍ଭରଶୀଳ ବୋଲି ଦିଲ୍ଲୀପ କହିଛନ୍ତି ।
ଲୋକାଲ ୱାୟାର
Leave a Reply