ଭୁବନେଶ୍ୱର, ଜାନୁଆରୀ ୭(ଲୋକାଲ ୱାୟାର): ଏ ସମାଜର ତାଡ଼ନା ସହି ନ ପାରି ଦିନେ ନିଜେ ଶବ ହେବାକୁ ବାହାରିଥିଲେ ସେ ।
ଅଚିହ୍ନା ହୋଇ ସମସ୍ତଙ୍କ ନଜର ଅଢ଼ୁଆଳରେ ଲୁଚିଯିବାକୁ ପ୍ରୟାସ କରିଥିଲେ । ହେଲେ ଆଜି ସେ ଶହ ଶହ ଅଚିହ୍ନା ଶବଙ୍କ ମୁକ୍ତିର ସାଥୀ ।
ସେମାନଙ୍କୁ ପରିଚୟ ଦେବାର ଆଶ୍ରା । ଏଇଥିପାଇଁ ତ ଅଚିହ୍ନା ଶବ ଦେଖିଲେ ଅଟକିଯାଆନ୍ତି । ନିଜେ ଶବକୁ ଆଣି ହିନ୍ଦୁ ପରମ୍ପରାରେ ସକ୍ରାର କରନ୍ତି ।
ପୁରୁଷ ପ୍ରଧାନ ସମାଜର ସମସ୍ତ ଲକ୍ଷ୍ମରେଖାକୁ ଟପିଯାଇ ଯେତେବେଳେ ସେ ବାହାରିଥିଲେ ଏମିତି ଶବ ଦାହ ଅଭିଯାନରେ ସେତେବେଳେ ତାଙ୍କୁ ଖାଲି ତାତ୍ସଲ୍ୟ ସହିବାକୁ ପଡ଼ିନଥିଲା; ପେଟ ପୋଷିବା ପାଇଁ ସେ କରୁଥିବା କାମ ବି ତାଙ୍କ ହାତରୁ ଛଡ଼ାଇ ନିଆଯାଇଥିଲା ।
ଏମିତି ଜଣେ ମହିଳା ହେଲେ ଋତୁରାଣୀ ସେନାପତି । ନିଜ ଘର ବାଲେଶ୍ୱର ହୋଇଥିଲେ ବି ରହୁଛନ୍ତି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ।
ଅନ୍ୟ ଝିଅମାନଙ୍କ ଭଳି ସେ ବି ସ୍ୱପ୍ନ ଦେଖିଥିଲେ । ବିବାହ କରିବେ, ସ୍ୱାମୀ, ପରିବାର, ପିଲାମାନଙ୍କ ସହ ସମୟ କାଟିବେ ।
ପକ୍କା ଗୃହିଣୀଟିଏ ହେବାର ସମସ୍ତ କର୍ତ୍ତବ୍ୟକୁ ପାଳନ କରିବେ । ହେଲେ ଋତୁରାଣୀଙ୍କ ଭାଗ୍ୟରେ ସେ ସୁଖ ନଥିଲା । ଆଜିକୁ ୧୮ ବର୍ଷ ତଳର ଘଟଣା । ୧୯୯୭ ମସିହା ଫେବ୍ରୁୁଆରୀ ମାସ ।
ପ୍ରେମ କରି ଘର ଛାଡ଼ି ପଳାଇ ଆସିଥିଲେ ଋତୁ । ସ୍ୱାମୀଙ୍କ ସହ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଘରଭଡ଼ା ଖଣ୍ଡେ ନେଇ ରହିଲେ । ଏହାରି ଭିତରେ ସେ ଅନ୍ତଃସତ୍ତ୍ୱା ହେଲେ ।
ଯେବେ ବଡ଼ଝିଅ ପ୍ରିୟଙ୍କା ଜନ୍ମ ହେଲା । ତା’ର ଏକୋଇଶିଆ ଦିନ ଋତୁ ଜାଣିବାକୁ ପାଇଲେ ଯେ ସ୍ୱାମୀଙ୍କର ଆଉ କାହା ସହ ଶାରୀରିକ ସମ୍ପର୍କ ଅଛି ।
ସ୍ୱାମୀ ମଦ ପିଅନ୍ତି, ଏକଥା ତାଙ୍କୁ ଜଣା ଥିଲା । ହେଲେ ଅନ୍ୟ ଜଣେ ମହିଳା ସହ ସମ୍ପର୍କ?? ଅନ୍ୟ ମହିଳାଙ୍କ ଭଳି ଏକଥାକୁ ହଜମ କରିବା ଋତୁଙ୍କ ପାଇଁ କଷ୍ଟଦାୟକ ହୋଇ ପଡ଼ିଲା ।
ଋତୁ କହନ୍ତି, କ’ଣ କରିଥାନ୍ତି । ପ୍ରେମ କରି ବାହାହୋଇ ଆସିଥିଲି । ତେଣୁ ପରିବାର ଲୋକଙ୍କ ପାଖକୁ ଫେରି ପାରୁନଥିଲି । ଆଉ କାହାକୁ ବି ସ୍ୱାମୀଙ୍କ ଏପରି ଅଭ୍ୟାସ କଥା କହି ପାରୁନଥିଲି ।
କାରଣ ଯାହାର ଯାହାବି ଭୁଲ୍ ଥାଉ ନା କାହିଁକି ଏ ସମାଜ ସବୁବେଳେ ଜଣେ ମହିଳାକୁ ହିଁ କାଠଗଡ଼ାରେ ଆଣି ଛିଡ଼ା କରାଇ ଦିଏ ।
ପୁରୁଷଟି ଯେମିତି ସତରେ ଭୁଲ୍ କରିବାର ଅଧିକାର ନେଇ ଏ ପୃଥିବୀରେ ଜନ୍ମ ନେଇଛି । ଆଉ ନାରୀଟିଏ ଏସବୁ ସହିବାର… ।
ମୋ ସହ ବି ସେମିତି ହେଉଥିଲା । ସମସ୍ତେ ଆଗରେ ସହାନୁଭୂତି ଦେଖେଇଲେ ବି ପଛରେ କହୁଥିଲେ ସ୍ୱାମୀକୁ ସମ୍ଭାଳି ପାରୁନି, ତାକୁ ଖୁସି କରି ପାରୁନି ବୋଲି ସ୍ୱାମୀ ବାର ଆଡ଼େ ଯାଉଛି । ହେଲେ ବାସ୍ତବରେ ତା’ର ପ୍ରକୃତି ହିଁ ସେମିତି ।
ମଦ ପିଇବ, ଗଞ୍ଜେଇ ଖାଇବ, ନିଶାରେ ଚୂର୍ ହୋଇ ରହିବ । ଆଉ ପର ସ୍ତ୍ରୀ, ଝିଅ ବୋହୂଙ୍କ ସହ ସମ୍ପର୍କ ରଖିବ ।
ପ୍ରଥମେ ପ୍ରଥମେ ଏକଥାକୁ ଗ୍ରହଣ କରି ପାରୁନଥିଲି । ହେଲେ ଧୀରେ ଧୀରେ ଏସବୁ ଦେହସୁହା ହୋଇଗଲା । ଏମିତିରେ ସାନ ଝିଅ ସାଇପ୍ରିୟା ଜନ୍ମ ।
ସ୍ୱାମୀଙ୍କୁ ନିମାପଡ଼ା ବ୍ୟାଙ୍କରେ ଚାକିରିଟିଏ ମିଳିଗଲା । ଭାବିଲି ଈଶ୍ୱର ଏଣିକି ସବୁ ସୁଧାରି ଦେବେ । ଅଭାବ ଅସୁବିଧା ଦୂରହେବ ।
ହେଲେ ସବୁ ଯେମିତି ବଦଳିଗଲା । ୨୦୧୧ ମସିହା କଥା । ସ୍ୱାମୀ ଚାକିରିର କାର୍ଯ୍ୟବ୍ୟସ୍ତତାର ଆଳ ଦେଖାଇ ସେଠାକାର ଜଣେ ମହିଳାଙ୍କ ସହ ଘର ଭଡ଼ା ନେଇ ରହିଲେ । ଆଉ ମୁଁ ଏଠାରେ ମୋ ପିଲାମାନଙ୍କ ସହ ।
ସପ୍ତାହରେ ଥରେ ଆସୁଥିଲେ ଆମ ପାଖକୁ । ଆଉ ସେତିକିରେ ବି ମାରପିଟ୍, ଫିଙ୍ଗା ଫୋପଡ଼ା କରନ୍ତି ।
ନ ଥକିବା ଯାଏଁ ମୋତେ ବାଡ଼ାନ୍ତି । ମୁଁ ଯେତେ କହିଲେ ବି ଆମ ମା’ ଝିଅକୁ ତାଙ୍କ ପାଖକୁ ନିଅନ୍ତିନି ।
ଥରେ ନିମାପଡ଼ାରୁ ମୋତେ ଜଣେ ଫୋନ୍ କରି ସ୍ୱାମୀଙ୍କ ବିଷୟରେ କହିଲେ । ଆଗରୁ ଜାଣିଥିଲି ଯେ ମୋ ସ୍ୱାମୀ ପର ସ୍ତ୍ରୀଙ୍କ ସହ ସମ୍ପର୍କ ରଖନ୍ତି । ହେଲେ କାହାକୁ ଆଣି ପାଖରେ ରଖିବେ ଏକଥାଟାକୁ ସହଜରେ ବିଶ୍ୱାସ କରି ପାରିଲିନି ।
ସତ ଜାଣିବା ପାଇଁ ନିମାପଡ଼ା ଗଲି । ଆଉ ସେଠି ଯାହା ଦେଖିଲି ଆଖିକୁ ବିଶ୍ୱାସ କରି ପାରିଲିନି ।
ଏକଥାର ପ୍ରତିବାଦ କରିବାରୁ ମତେ ନିସ୍ତୁକ ମାଡ଼ ମାରିଲେ । ଭୁବନେଶ୍ୱର ଫେରି ଆସିଲି । ପିଲାମାନେ ଛୋଟ ଛୋଟ ହୋଇଥାନ୍ତି । ବାପ ଘର ବାଲେଶ୍ୱର ଗଲି ।
ଆଉ ସ୍ୱାମୀଙ୍କ ପାଖକୁ ନ ଫେରିବାର ନିଷ୍ପତ୍ତି ବାବଦରେ କହିଲି । ବାପା କିନ୍ତୁ ମୋତେ ଏ କଥାରେ ସମର୍ଥନ କଲେନି । କହିଲେ ସେ ପୁରୁଷ ପିଲା ।
ଚାକିରି କରିଛି । ସେ ଗୋଟେ ରଖୁ କି ୧୦ଟା, ତୋତେ ତ ପୋଷିବ । ତୋ ବୋଝ ଆମେ ନେଇ ପାରିବୁନି । ମୁଁ ଅବସର ନେଇ ସାରିଲିଣି । ତୋତେ ପୋଷିବାକୁ ମୋ ପାଖେ ପଇସା ନାହିଁ । ନ ଫେରିଲେ କେମିତି ହେବ ।
ଝିଅମାନଙ୍କ ବାହାଘର କେମିତି କରିବୁ? ଦେଖିବାକୁ ଗଲେ ଏକଥାଟା ଅତି ସାଧାରଣ କଥା । ପ୍ରାୟତଃ ସବୁ ଘର ମାନଙ୍କରେ ହୁଏ ।
ହେଲେ ମୋ ପ୍ରତି ସ୍ୱାମୀ, ସଉତୁଣୀ, ସାହିପଡ଼ିଶାଙ୍କ ଟାହି ଟାପରାର ନିର୍ଯାତନା ଏତେ ବଢ଼ିଯାଇଥିଲା ଯେ ମୁଁ ଆଉ ସେଥିରୁ ମୁକୁଳି ପାରୁନଥିଲି ।
ବାପ ଘରୁ ପଳାଇ ଆସିଲି । ଆଉ ଦିନେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଲି । ଅପରାହ୍ନରେ ଲିଙ୍ଗରାଜ ଷ୍ଟେସନ ଠାରୁ ଅଳ୍ପ ଦୂରରେ ଥିବା ଏକ ନିଛାଟିଆ ଜାଗା ସରକନ୍ତରାକୁ ଗଲି ।
ମାନସିକ ଭାବେ ପ୍ରସ୍ତୁତ ହୋଇ ସାରିଥାଏ ଆଜି ଜୀବନ ହାରି ଦେବି । ହେଲେ ପାରିଲିନି । ପ୍ରଦୀପ ସେବା ଟ୍ରଷ୍ଟର ମୁଖ୍ୟ ପ୍ରଦୀପ ପୃଷ୍ଟି ସାର୍ ବାଧା ଦେଲେ ।
ବୁଝାସୁଝା କରି ଘରକୁ ଆଣିଲେ । ପରିବାର ପାଖକୁ ଫେରି ଯିବାକୁ ବୁଝାଇଲେ । ହେଲେ ମୋର ଏକା ଜିଦ୍ ଥିଲା ମୁଁ ଘରୁ ପାଦ କାଢ଼ିଛି ମାନେ ଆଉ ଫେରିବିନି ।
ଏମିତିରେ ସେ ମୋତେ କାରଗିଲ୍ ବସ୍ତିରେ ଏକ ଘର ଭଡ଼ା ନେଇ ରହିବାର ବନେ୍ଦାବସ୍ତ କରିଦେଲେ ।
ମୁଁ ମୋ ଦୁଇ ଝିଅଙ୍କୁ ସେଠିକି ନେଇ ଆସିଲି । ପର ଘରେ ବାସନ ମାଜି, ଦୁଇ ଜଣଙ୍କ ଘରେ ରୋଷେଇ କରି ପିଲାମାନଙ୍କୁ ମଣିଷ କରିବା ଆରମ୍ଭ କଲି ।
ମାତ୍ର ୩ରୁ ୪ ହଜାର ଟଙ୍କା ରୋଜଗାର କରୁଥାଏ ।
ଏଥିରେ ଘରଭଡ଼ା, ପିଲାଙ୍କ ପଢ଼ା ଖର୍ଚ୍ଚ ସବୁ ସମ୍ଭାଳିବା ଏକାକି ମୋ ପାଇଁ ବହୁତ କଷ୍ଟ ଦାୟକ ହୋଇପଡୁଥିଲା । ହେଲେ ବି ଭାଙ୍ଗି ପଡୁନଥିଲି ।
ସବୁ କାମ ସାରି, ପିଲାଙ୍କ ଭଲ ମନ୍ଦ ବୁଝି, ପ୍ରଦୀପ ସାରଙ୍କୁ ତାଙ୍କ କାମରେ ସାହାଯ୍ୟ କରିବାକୁ ଚେଷ୍ଟା କଲି ।
ହେଲେ ଏ ସୁଖ ବି ଈଶ୍ୱର ସହିଲେନି । ଯେହେତୁ ପ୍ରଦୀପ୍ ସାର୍ଙ୍କ ସହ ମିଶି ଟ୍ରଷ୍ଟ ସାହାଯ୍ୟରେ ମୁଁ ଶବ ସକ୍ରାର କରିବା କାମ କଲି; ତେଣୁ ମୋତେ ଆଉ କେହି କାମରେ ରଖିଲେନି ।
ଗୋଟା ଗୋଟା କରି ମୁଁ କାମ କରୁଥିବା ୪ ଜଣ ଯାକ ପରିବାର ମୋତେ ଘରୁ ବିଦା କରିଦେଲେ । ଏଣେ ଘରଭଡ଼ା, ପିଲାଙ୍କ ଖର୍ଚ୍ଚ ଏସବୁ ସମ୍ଭାଳିବା ମୋ ପାଇଁ କାଠିକର ହୋଇପଡ଼ିଲା ।
ଏକଥା ପ୍ରଦୀପ ସାର୍ ଜାଣିବା ପରେ କିଛି ପାରିଶ୍ରମିକ ବଦଳରେ ସେବା ଟ୍ରଷ୍ଟ ସମ୍ଭାଳିବାକୁ ମୋତେ ଦାୟିତ୍ୱ ଦେଲେ ।
ଟ୍ରଷ୍ଟର ଗୋଟେ ଘରେ ରହିବାକୁ ବି ଦେଲେ । ଆଉ ସେବେଠାରୁ ଏଇଠି ରହୁଛି । ଟ୍ରଷ୍ଟର ସମସ୍ତ କାମ କରୁଛି ।
ବଡ଼ ଝିଅ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢ଼ୁଛି । ଆଉ ସାନ ଅଷ୍ଟମ ଶ୍ରେଣୀରେ । ମୋ ଦୁଃଖ ସହି ନ ପାରି ବଡ଼ ଝିଅ ଏବେ ପଦାକୁ ପାଦ କାଢ଼ିଛି । ଗୋଟେ ପାର୍ଲରରେ ଯାଇ ପାର୍ଟ ଟାଇମ୍ କାମ କରୁଛି ।
ବ୍ୟାକ୍ ଷ୍ଟେଜ୍ ଡ୍ୟାନ୍ସର ଭାବେ ବି କାମ କରୁଛି । ସେଥିରୁ ଯାହା ଦୁଇ ପଇସା ମିଳୁଛି, ସେଥିରେ ଆମେ ମା’ ଛୁଆ ଚଳି ଯାଉଛୁ ।
ମୋତେ କେବଳ ସ୍ୱାମୀ ନିଜଠାରୁ ଅଲଗା କରି ଦେଇ ନାହାନ୍ତି । ମୋ ବାପ ଘର ଲୋକ ବି ମୋ ସହ ସମ୍ପର୍କ କାଟି ଦେଇଛନ୍ତି ।
ଯେତେବେଳେ ସ୍ୱାମୀ ମୋର ନୁହେଁ ତେବେ ଶାଶୂଘରକୁ କାହିଁକି ଆଶା କରିବି ।
ସେଦିନର ସେ ଭୟଙ୍କର ମୃତୁ୍ୟ ଯନ୍ତାରୁ ଉଦ୍ଧାର ପାଇଥିବା ଋତୁରାଣୀ ଆଜି ନିଜେ ପାଲଟିଛନ୍ତି ସମାଜ ସେବୀ । ନିଜର ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ତାଙ୍କୁ ଆଜି ଏଇ ପରିଚିତି ଦେଇଛି ।
ବିନା ପାରିଶ୍ରମିକରେ ପ୍ରଦୀପ ସେବା ଟ୍ରଷ୍ଟର ସହାୟତାରେ ସେ ୪ବର୍ଷ ଭିତରେ ୧ହଜାରରୁ ଅଧିକ ଶବକୁ ଉଦ୍ଧାର କରିବା ସହ ୫୦ରୁ ଅଧିକ ଶବଦାହ କରି ସ୍ୱେଚ୍ଛାସେବୀ ସଙ୍ଗଠନ, ସାଧାରଣ ଜନତା, ପୁଲିସ୍ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ପାରିଛନ୍ତି ।
ସାଧାରଣ ଭାବେ ଟ୍ରେନ୍ ଲାଇନରେ କଟିଥିବା ଲୋକଙ୍କୁ ସାଧାରଣ ଲୋକେ ଦେଖିପାରୁନଥିବା ବେଳେ ଋତୁ କିନ୍ତୁ ସେସବୁ ଶବ ଉଠାଇବା ଓ ଶବସକ୍ରାର କରିବା କାମ କରୁଛନ୍ତି ।
ସମାଜରେ ଯେଉଁ କାର୍ଯ୍ୟ କରିବାକୁ ପୁରୁଷମାନେ ମଧ୍ୟ କୁଣ୍ଠାବୋଧ କରିଥାନ୍ତି,ସେଭଳି ଏକ ମହତ କାର୍ଯ୍ୟକୁ ଋତୁ ଆଦରି ନେଇଛନ୍ତି ।
ଯଦିଓ ଏଥିପାଇଁ ତାଙ୍କୁ କୌଣସି ସରକାରୀ ସହାୟତା କିମ୍ବା ପ୍ରୋତ୍ସାହନ ମିଳିନାହିଁ ହେଲେ ଏଥିପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନ ଓ ସ୍ୱୀକୃତି ମିଳିଛି ।
ଋତୁରାଣୀ କୁହନ୍ତି, ସ୍ୱାମୀଙ୍କ ନିର୍ଯାତନାର ଶିକାର ହୋଇ ଦିନେ ମୁଁ ଜୀବନ ହାରିବାକୁ ଟ୍ରେନ୍ ଲାଇନକୁ ଯାଇଥିଲି ।
ଯଦି ମୁଁ ଆତ୍ମହତ୍ୟା କରିଥାନ୍ତି ମୋର ବି କେହି ଜଣେ ଶବ ଉଠାଇଥାନ୍ତା । ହେଲେ ଆଜି କାହାରି କଥାକୁ କର୍ଣ୍ଣପାତ ନ କରି ମୁଁ ମୋ ଜୀବନରେ ଆଗେଇ ଚାଲିଛି ।
ଏଥିପାଇଁ ଅଧିକାଂଶ ପାଖ ପଡ଼ୋଶୀ ମଧ୍ୟ ମୋ ସହ କଥାବାର୍ତ୍ତା କରନ୍ତି ନାହିଁ । ତଥାପି ସମାଜସେବାରେ ନିଜକୁ ବ୍ରତୀ କରିବା ଉଦେ୍ଦଶ୍ୟରେ ମୁଁ ଏହି କାର୍ଯ୍ୟରେ ନିୟୋଜିତ ହୋଇଛି ।
ଏତିକି କହିବି ନାରୀମାନେ ନିର୍ଯାତନାର ଶିକାର ହୋଇ ନିଜ ଜୀବନ ନ ହାରି ସଂଗ୍ରାମ କରିବା ଦରକାର ।
ଲୋକାଲ ୱାୟାର
Leave a Reply