କୋରାପୁଟ, ଜାନୁଆରୀ ୧୦(ଲୋକାଲ ୱାୟାର): କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚିକାମ୍ବୋ ହାଇସ୍କୁଲର ଜନୈକ ବିଜ୍ଞାନ ଶିକ୍ଷକଙ୍କ ଆତ୍ମହତ୍ୟା ଘଟଣାରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ଶୁକ୍ରବାର ପୁଲିସ ସୂଚନା ଦେଇଛି ।
ଗତ ବର୍ଷ ଡିସେମ୍ବର ୮ ତାରିଖରେ ଡିଇଓ ପ୍ରମୋଦ ପଣ୍ଡାଙ୍କ ଘରେ ଚିତ୍ତରଂଜନ ପଣ୍ଡା ଆତ୍ମହତ୍ୟା କରିଥିଲେ ।
ସେ ତାଙ୍କ ସୁଇସାଇଡ ନୋଟରେ ଡିଇଓ ଓ ଅନ୍ୟ ୭ ଜଣଙ୍କୁ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରିଥିଲେ ।
ପୁଲିସ ଏହି ମାମଲାର ତଦନ୍ତ କରି ଗତ ମାସ ୨୧ ତାରିଖରେ ଜନୈକ ବ୍ୟବସାୟୀ ଅଭିମନ୍ୟୁ ପ୍ରଧାନ ଓ ସମୀର ପାତ୍ରଙ୍କ ଗିରଫ କରିଥିଲା ।
ତେବେ ଫେରାର ଥିବା ଡିଇଓ ପ୍ରମୋଦ ପଣ୍ଡାଙ୍କୁ ମୋବାଇଲ ଫୋନ୍ ଟ୍ରାକିଂ କରି କଟକରୁ ଏବଂ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅନିଲ ସାଗରଙ୍କୁ ମଧ୍ୟ ଶୁକ୍ରବାର ଗିରଫ କରାଯାଇଥିବା କହିଛନ୍ତି ସ୍ଥାନୀୟ ସିଡିପିଓ ବଳଭଦ୍ର ଦୀପ ।
ଅନ୍ୟ ଅଭିଯୁକ୍ତମାନଙ୍କୁ ଶୀଘ୍ର ଗିରଫ କରିବାକୁ ସ୍ୱତନ୍ତ୍ର ପୁଲିସ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ସେ କହିଛନ୍ତି ।
ଶିକ୍ଷକ ଚିତ୍ତରଂଜନଙ୍କୁ ବଦଳି କରିଦେବାର ପ୍ରଲୋଭନ ଦେଖାଇ ଡିଇଓ ନିଜ ଘରେ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଇବା ସହ ଆସୁଥିଲେ । ଏପରିକି ତାଙ୍କ ଠାରୁ ଟଙ୍କା ନେଇ ଫେରାଉ ନଥିଲେ ।
ତେଣୁ ଚିତ୍ତରଞ୍ଜନ ମାନସିକ ଚାପରେ ରହିଥିଲେ । ଏହା ଚିତ୍ତରଂଜନ ତାଙ୍କ ଡାଇରୀରେ ଲେଖିଛନ୍ତି ।
ମୃତ ଶିକ୍ଷକଙ୍କ ପତ୍ନୀ ମମତା ପାତ୍ର ମଧ୍ୟ ସ୍ୱାମୀଙ୍କ ମୃତ୍ୟୁ ପାଇଁ ଉଭୟ ଡିଇଓ ଏବଂ ଅନିଲଙ୍କ ନାଁରେ ଅଭିଯୋଗ ଆଣିଥିଲେ ।
ଲୋକାଲ ୱାୟାର
Leave a Reply