ବ୍ରହ୍ମପୁର, ଫେବ୍ରୁଆରୀ ୨୦ (ଲୋକାଲ ୱାୟାର): ମହାଶିବରାତ୍ରୀର ଅବ୍ୟବହିତ ପୂର୍ବରୁ ରେଶମ ସହର ବ୍ରହ୍ମପୁରରେ କେତକୀ ଫୁଲର ଚାହିଦା ବୃଦ୍ଧି ପାଇଛି ।
ଭକ୍ତମାନେ ଏହି କଣ୍ଟାଜାତୀୟ ଫୁଲକୁ ଭଗବାନ ଶିବଙ୍କୁ ଅର୍ପଣ କରିବାକୁ ବେଶ ପସନ୍ଦ କରିଥାନ୍ତି ।
ତେଣୁ ଭକ୍ତମାନେ ଏହି ଫୁଲ କିଣିବା ପାଇଁ ସହରର ବିଭିନ୍ନ ଅଞ୍ଚଳରେ ଭିଡ଼ ଜମାଇଛନ୍ତି । ସାମୟିକ ବ୍ୟବସାୟୀମାନେ ଲୋକେ ଏହି ଫୁଲ ବିକ୍ରି କରି ବେଶ ଲାଭ ପାଉଛନ୍ତି ।
କେତକୀ ଫୁଲର ଗୁଣବତ୍ତାକୁ ଦେଖି ଏହା ଗୋଟା ପ୍ରତି ୩୫୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି ।
ହିନ୍ଦୁ ପୁରାଣ ଅନୁଯାୟୀ କେବଳ ମହାଶିବରାତ୍ରୀ ଦିନ ହିଁ ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରାଯାଇଥାଏ ।
ଶିବରାତ୍ରୀ ଦିନ କେତକୀ ଫୁଲ ଅର୍ପଣ କଲେ ମନସ୍କାମନା ପୂରଣ ହୁଏ ବୋଲି ଭକ୍ତ ମାନଙ୍କର ଧାରଣା ରହିଛି ।
ଗତ କିଛି ବର୍ଷ ହେଲା ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ କେତକୀ ଫୁଲ ଅର୍ପଣ କରି ଆସୁଛି ।
ଅନ୍ୟବର୍ଷ ତୁଳନାରେ ଏବର୍ଷ ଦାମ ବଢ଼ିଥିଲେ ବି କେତକୀ ଅର୍ପଣ କରିବେ ବୋଲି କହନ୍ତି ଗାନ୍ଧିନଗରର ନିରୁପମା ସାହୁ ।
ଉପକୂଳବର୍ତ୍ତୀ ଗଞ୍ଜାମ ଜିଲ୍ଲାରେ କିଆ ଫୁଲ ମିଳୁଥିଲେ ମଧ୍ୟ କେତକୀ ସହଜଲଭ୍ୟ ନୁହେଁ । ବହୁତ ଖୋଜାଖୋଜି ପରେ ଏହି ଫୁଲ ସଂଗ୍ରହ କରୁଛୁ ବୋଲି କୁହନ୍ତି କନିସିର ସାମୟିକ ବ୍ୟବସାୟୀ ବି.କାମରାଜୁ ।
ନିଜ ଅଞ୍ଚଳରୁ ୫୦ଟି କେତକୀ ଫୁଲ ସଂଗ୍ରହ ପାଇଁ ତାଙ୍କୁ ଏକ ସପ୍ତାହ ଲାଗିଥିଲା ବୋଲି ସେ କହିଛନ୍ତି ।
କେତକୀ ଓ କିଆ ସାଧାରଣତଃ ଚଳିତ ଋତୁରେ ଫୁଟିଥାଏ । ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଅନ୍ୟ କିଛି ରାଜ୍ୟରେ ଏହି ଫୁଲ ଫୁଟେ ।
ଲୋକାଲ ୱାୟାର
Leave a Reply