ଜଗତସିଂହପୁର, ଜାନୁଆରୀ ୩ (ଲୋକାଲ ୱାୟାର): ୟଜଗତସିଂହପୁର ଜିଲ୍ଲାର ଅନେକ ନଦୀ ଶୁଖିଯିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ଜୀବିକା ଓ ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଛି ।
ତେବେ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଉନାହାନ୍ତି ।
ଜିଲ୍ଲାର ଜୀବନରେଖା ଭାବେ ପରିଚିତ ମହାନଦୀ, ଦେବୀ, ଚିତ୍ରୋତ୍ପଳା, ପାଇକା ନଦୀରେ ବର୍ଷା ଋତୁରେ ଦୁଇ ତିନି ମାସ ଜଳ ପ୍ରବାହିତ ହୁଏ ।
ଅନ୍ୟ ସମୟରେ ନଦୀର ଜଳସ୍ତର ହ୍ରାସ ପାଉଥିବାରୁ ଚାଷବାସ ପ୍ରଭାବିତ ହେବା ସହ ପାନୀୟ ଜଳ ସଙ୍କଟ ସୃଷ୍ଟି ହେଉଛି ।
ବନ୍ଧ, ଜଳଭଣ୍ଡାର, ଜବରଦଖଲ, ପଙ୍କ, ଗତିପଥ ପୋତି ହେବା ଭଳି କାରଣ ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଛି ।
ହଂସୁଆ, ଅଳକା, ଧନୁଆ, ଗୋବରୀ, ବୁଢା, ବାଲିଆ ଆଦି ନଦୀ ସମ୍ପୂର୍ଣ୍ଣ ଶୁଖି ଯାଇଥିବାରୁ ଚାଷୀ ଓ ମତ୍ସ୍ୟଜୀବୀ ପ୍ରଭାବିତ ହେଉଛନ୍ତି ।
୨୦୧୮ରେ ଅଳକା ନଦୀର ପୁନରୁଦ୍ଧାର ପାଇଁ ସମାଜସେବୀ ରତ୍ନାକର ନାୟକଙ୍କ ନେତୃତ୍ୱରେ ଦାବି କରାଯାଇଥିଲା ।
କେନ୍ଦ୍ରୀୟ ଅନ୍ତର୍ଦେଶୀୟ ମତ୍ସ୍ୟ ଗବେଷଣା ପ୍ରତିଷ୍ଠାନ (ସିଆଇଏଫଆରଆଇ), କୋଲକାତାରୁ ଏକ ୬ ଜଣିଆ ଟିମ ଆସି ନଦୀ ପୁନରୁଦ୍ଧାର ପାଇଁ ବୈଷୟିକ ରିପୋର୍ଟ ପ୍ରସ୍ତୁତ କରିଥିଲେ ।
ହେଲେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିକଟରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ ହୋଇନାହିଁ ।
ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ ମଧ୍ୟ ନଦୀ ସଂଯୋଗ ମାଧ୍ୟମରେ ମୃତ ନଦୀଗୁଡ଼ିକର ପୁନରୁଦ୍ଧାର ପ୍ରସ୍ତାବ ଦେଇଥିଲେ ।
ସେହିପରି ଲକଡାଉନ ବେଳେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ଏମଜିଏନଆଇଇଜିଏସ ପାଣ୍ଠି ବିନିଯୋଗ କରି ମୃତ ନଦୀଗୁଡ଼ିକର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆ ଯାଇଥିଲେ ବି ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ ।
ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ବିଭାଗ ମିଶନ ମୋଡରେ କାମ କରୁଥିବା ବେଳେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ନହେବା ଓ ନଦୀ ପୁନରୁଦ୍ଧାର ପାଇଁ ଡିପିଆର ପ୍ରସ୍ତୁତ ହୋଇ ନଥିବାରୁ ଜଗତସିଂହପୁର ଜିଲ୍ଲାରେ ମତ୍ସ୍ୟଚାଷ ପ୍ରଭାବିତ ହୋଇଛି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ଦାସ କହିଛନ୍ତି ।
ଲୋକାଲ ୱାୟାର
Leave a Reply