ଭୁବନେଶ୍ୱର, ଏପ୍ରିଲ ୧୪(ଲୋକାଲ ୱାୟାର): ଓଡ଼ିଆ ନୂଆବର୍ଷ, ମହାବିଷୁବ ତଥା ପଣା ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଅବସରରେ ଆଜି ଉତ୍ସବ ମୁଖର ଓଡ଼ିଶାର ପୁରପଲ୍ଲୀ ।

କୋଭିଡ୍ କଟକଣା ପାଇଁ ପୂଜା ଓ ପଣାର ଆସର ଜମିିନଥିଲେ କ’ଣ ହେଲା ଘରେ ଘରେ ଏହି ପର୍ବକୁ ପାଳନ କରିଛନ୍ତି ଓଡ଼ିଶାବାସୀ ।

ଆଉ ସୋସିଆଲ୍ ମିଡିଆରେ ଖାଣ୍ଟି ଓଡ଼ିଆର ପରିଚୟ ଦେଇ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଆ ସେଲିବ୍ରିଟିମାନେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଏ ବର୍ଷ ଆପଣମାନଙ୍କ ପାଇଁ ସୁଖ, ଶାନ୍ତି ଏବଂ ସମୃଦ୍ଧିର ବର୍ଷ ହେଉ ।

ସବୁଠି ସେହି ଗୋଟିଏ ଗୁଞ୍ଜରଣ ‘ଜୟ ଓଡ଼ିଆ, ଜୟ ଓଡ଼ିଶା’ । ଅଭିନେତା ସ୍ୱରାଜ ବାରିକ ନୂଆ ପୋଷାକ ସହ ହାତରେ ମିଠା ଧରି କହିଛନ୍ତି, ନବବର୍ଷ ପାଇଁ ମିଠା ଆଣିଥିଲି ରଖିବେନି ।

ଅଭିନେତ୍ରୀ ଜୀନା ମୁଁ ଓଡ଼ିଆ ଲେଖାଥିବା ଏକ ଟିସାର୍ଟ ପିନ୍ଧି ଆଜିର ଉଦେ୍ଦଶ୍ୟକୁ ପ୍ରତିପାଦିତ କରିଛନ୍ତି ।

ସେହିପରି ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ପାଞ୍ଜି ପୂଜା, ପଣା ଓ ଚଉରାରେ ଘଡ଼ି ବନ୍ଧାର ଫଟୋକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଆ ଜାତି ଯା ମାତି ।

ନାୟିକା ଏଲିନା ଓଡ଼ିଶୀ ମୁଦ୍ରାରେ ପୂରା ପ୍ରସ୍ତୁତି ସହ ଫଟୋକୁ ପୋଷ୍ଟ କରିଥିଲାବେଳେ ଅଭିନେତ୍ରୀ ଅରୁନ୍ଧତୀ ଦେବୀକା ଚଉରା ମୂଳେ ପୂଜା କରୁଥିବାର ଏବଂ ଅଭିନେତା ଶୁଭାଶିଷ ଶର୍ମା ପଣା ପ୍ରସ୍ତୁତି ପାଇଁ ଏକ ପିତଳ ପାତ୍ରରେ ସବୁ ସାମଗ୍ରୀ ନେଇ ଯାଉଥିବାର ଫେଟୋକୁ ପୋଷ୍ଟ କରିଛନ୍ତି ।

ବାକି ଓଲିଉଡ କୁଇନ୍ ବର୍ଷା, ଅଭିନେତା ବବି ମିଶ୍ର, ନାୟକ ଜ୍ୟୋତି ପ୍ରମୁଖ ଭିଡିଓ ବାର୍ତ୍ତା ରଖିଛନ୍ତି ।

ଏମାନଙ୍କ ବ୍ୟତୀତ ଗାୟିକା ଅନ୍ତରା, ଅଭିନେତ୍ରୀ ଛନ୍ଦିତା, ଶୀତଲ ଓ ଶିବାନୀ ଶାଢ଼ୀ ପିନ୍ଧି ନୂଆବର୍ଷକୁ ଅତି ଉତ୍ସୁକତାର ସହ ପାଳନ କରିଛନ୍ତି ।

ସେହିପରି ଶ୍ରୀତମ୍ ଦାସ, ଆକାଶ ଦାସ ନାୟକ, ଅଦେ୍ର୍ଧନ୍ଦୁ, ରାଜେଶଙ୍କ ଭଳି ଅଭିନେତା ଓ ନିହାରିକା, କୁକିଜ୍, ସସ୍ମିତା, ତମନ୍ନାଙ୍କ ଭଳି ଅଭିନେତ୍ରୀମାନେ ମଧ୍ୟ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ।

ଗାୟିକା ସୁସ୍ମିତା ଦାସ କହିଛନ୍ତି, ସୁନ୍ଦର ମୋ ଓଡ଼ିଶା ଭୂଇଁ, ପ୍ରାଚୀନ ତା’ ପରମ୍ପରା ।

ନିକଟରେ ବାହା ହୋଇ ଚର୍ଚ୍ଚାରେ ଥିବା ସବ୍ୟାର୍ଚ୍ଚିତା ବି ନୂଆ ବର୍ଷ ଶୁଭେଚ୍ଛା ଜଣାଇଛନ୍ତି ।

ସସ୍ମିତା ପିୟାଲି ସାହୁ ନିଜ ପରିବାର ସହ ଏକ ଫଟୋକୁ ସୋସିଆଲ୍ ମିଡିଆରେ ଛାଡ଼ି ନୂଆବର୍ଷରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

ଲୋକାଲ ୱାୟାର