ଭୁବନେଶ୍ୱର,ଫେବ୍ରୁଆରୀ ୯(ଲୋକାଲ ୱାୟାର): ରାଜ୍ୟର ଜନଜାତି ଜୀବନର ମହାକୁମ୍ଭ ରୂପେ ପରିଚିତ ଆଦିବାସୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଏକ ନମ୍ବର ୟୁନିଟ୍, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଉଦ୍ୟାପିତ ହୋଇଛି ।
ମହାମାରୀ କରୋନା ଜନିତ କଟକଣା ମଧ୍ୟରେ ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ ଆଶାନୁରୂପ ହୋଇଥିବା ବେଳେ ବିଭିନ୍ନ ଆଦିବାସୀ ବର୍ଗ ଦ୍ୱାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀର କାରବାର ଖୁବ୍ ଉତ୍ସାହଜନକ ଥିଲା ।
କଟକଣା ସତ୍ତ୍ୱେ ପ୍ରତିଦିନ ପୂର୍ବାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ମେଳା ପରିସରରେ ଦର୍ଶକଙ୍କ ପ୍ରବଳ ଗହଳି ଲକ୍ଷ୍ୟ କରାଯାଇଥିଲା ।
ଆଦିବାସୀ ମହିଳା ସଶକ୍ତିକରଣ ମନ୍ତ୍ରକୁ ପ୍ରଚାର ଓ ପ୍ରସାର କରିବା ଏଥର ମେଳାର ଅନ୍ୟତମ ମୁଖ୍ୟ ଆଭିମୁଖ୍ୟ ଥିଲା ।
କାରଣ ଅଧିକାଂଶ ସାମଗ୍ରୀ ପ୍ରଦର୍ଶନ ଓ ବିକ୍ରି କରିବାରେ ମହିଳାମାନେ ବିଶେଷ ସକ୍ରିୟ ଥିବାର ଦେଖା ଯାଇଥିଲା ।
ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଓ କୃଷିଜାତ ସାମଗ୍ରୀ ତଥା ସେମାନଙ୍କ ଦ୍ୱାରା ସଂଗୃହୀତ ବନଜାତ ପଦାର୍ଥ ଗୁଡିକର ବହୁଳ ପ୍ରଦର୍ଶନ ଓ ବିକ୍ରି ନିମନ୍ତେ ଏହି ମେଳା ଏକ ବଡ଼ ବଜାର ସୃଷ୍ଟି କରିପାରିଥିଲା ।
ଦର୍ଶକମାନେ ଖୁବ୍ ଆଗ୍ରହ ସହ ଏହି ସବୁ ସାମଗ୍ରୀ କ୍ରୟ କରିବାକୁ ଲମ୍ବାଧାଡି ଲଗାଇଥିଲେ ।
ପନ୍ଦର ଦିନ ଧରି ଚାଲିଥିବା ଆଦିବାସୀ ମେଳାରେ ଅଢ଼େଇ କୋଟି ଟଙ୍କାରୁ ଉଦ୍ଧ୍ୱର୍ କାରବାର ହୋଇଥିବାର ପ୍ରାଥମିକ ଅଟକଳରୁ ଜଣା ପଡ଼ିଛି ।
ବିଗତ ବର୍ଷ ଗୁଡିକର ଆଦିବାସୀ ମେଳା ଭଳି ଜନଜାତି ବର୍ଗର ଜୀବନ ଶୈଳୀ ଓ କଳା ପ୍ରାଣତାର ନିଖୁଣ ଚିତ୍ର ଏଥର ମଧ୍ୟ ମେଳାରେ ପ୍ରତିଫଳିତ ହୋଇଥିଲା ।
ସେମାନଙ୍କ ଜୀବନ-ଜୀବିକାର ଲଢ଼େଇ ସହିତ ରାଜ୍ୟର ସାମଗ୍ରିକ ବିକାଶ ଧାରାର କିଛିଟା ଝଲକ୍ ମେଳା ପରିସରରେ ଖୋଲିଥିବା ମଣ୍ଡପ ଗୁଡିକରେ ଦେଖିବାକୁ ମିଳିଥିଲା ।
ପନ୍ଦର ଦିନ ମଧ୍ୟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଲୋକ ମେଳା ପରିଦର୍ଶନ କରିଥିଲେ ।
ଆଦିବାସୀ ମେଳାରେ କାରବାର କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ହୋଇଥିବା ବିଭିନ୍ନ ଷ୍ଟଲ ଓ ସଂସ୍ଥାଗୁଡିକୁ ଆଜିର ଉଦ୍ୟାପନ ଉତ୍ସବରେ ପୁରସ୍କୃତ କରାଯାଇଥିଲା ।
ଉଦଯାପନ ଉସôବରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ମୋ’ ସ୍କୁଲ୍ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ନିଦେ୍ର୍ଦଶିକା ଗୁହା ପୁନମ୍ ତାପସ୍ କୁମାର ଓ ସଦସ୍ୟ ସଚିବ ତଥା ମେଳାର ନୋଡାଲ ଅଫିସର ପ୍ରଫେସର ଡଃ ଅଖିଳ ବିହାରୀ ଓତା ପ୍ରମୁଖ ଅତିଥି ରୂପେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ପ୍ରଫେସର ଓତାଙ୍କ ଦ୍ୱାରା ସଂପାଦିତ ଦୁଇଟି ଇଂରାଜୀ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଲୋକାଲ ୱାୟାର
Leave a Reply