ଭୁବନେଶ୍ୱର, ଡିସେମ୍ବର ୧୪(ଲୋକାଲ ୱାୟାର): ଶ୍ରୀମନ୍ଦିର ଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିବାକୁ ରାଜ୍ୟ କ୍ୟାବିନେଟରେ ଆଜି ଅଧ୍ୟାଦେଶକୁ ଅନୁମୋଦନ ଦିଆଯାଇଛି ।
ଏବେ ବିଧାନସଭାର ଅଧିବେଶନ ନଥିବାରୁ ସ୍ୱତନ୍ତ୍ର ଆଇନ ପ୍ରଣୟନ ସକାଶେ ଅଧ୍ୟାଦେଶ ଅଣାଯାଇଛି ।
ଏଣିକି ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ-୨୦୨୦ ଅନୁଯାୟୀ ହେବ ।
ଏ ପର୍ଯ୍ୟନ୍ତ ଏହା ଓଡ଼ିଶା ହିନ୍ଦୁ ଧର୍ମୀୟ ଦେବୋତ୍ତର ଆଇନ- ୧୯୫୧ ଦ୍ୱାରା ପରିଚାଳିତ ହେଉଥିଲା ।
ସ୍ୱତନ୍ତ୍ର ଆଇନ ଦ୍ୱାରା ମନ୍ଦିରର ପୂଜାନୀତି ଓ ପରିଚାଳନା ସୁଚାରୁ ରୂପେ ହୋଇପାରିବା ସହ ସମ୍ପତ୍ତିର ଉଚିତ ରକ୍ଷଣାବେକ୍ଷଣ ହୋଇପାରିବ ।
ପୂର୍ବରୁ ମନ୍ଦିର ଟ୍ରଷ୍ଟ ସୀମିତ କ୍ଷମତା ଯୋଗୁ ଏସବୁର ଉଚିତ ପରିଚାଳନା କରିବାରେ ବିଫଳ ହେଉଥିଲା ।
ଅଧ୍ୟାଦେଶ ଫଳରେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ୧୫ ଜଣିଆ କମିଟି ଗଠନ କରାଯିବ ।
ମନ୍ଦିରର ସେବାପୂଜା ଓ ନୀତି ସହିତ ଅନ୍ୟାନ୍ୟ ଆବଶ୍ୟକ କାର୍ଯ୍ୟ ଏହି କମିଟି ଦ୍ୱାରା ପରିଚାଳିତ ହେବ ।
ମନ୍ଦିର ଭିତରେ ଏବଂ ବାହାରେ ଥିବା ଠାକୁରଙ୍କ ସ୍ଥାବର/ଅସ୍ଥାବର ସମ୍ପତ୍ତି ଓ ମଠର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଏହି କମିଟି ଉପରେ ନ୍ୟସ୍ତ କରାଯିବ ।
ଶ୍ରୀଲିଙ୍ଗରାଜ ମନ୍ଦିରର ଦୈନନ୍ଦିନ ବ୍ୟାପାର ବୁଝିବାକୁୁ ଏବେ ଜଣେ ପ୍ରଶାସକଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ।
ମନ୍ଦିରର ବଜେଟ ପ୍ରସ୍ତୁତ କରାଯିବ, ଅଡିଟ ହେବ ଏବଂ ଏହାର ତଦାରଖ ମଧ୍ୟ କରାଯିବ ।
ମନ୍ଦିର ଜମିରୁ ଜବରଦଖଲକାରୀଙ୍କୁ ମଧ୍ୟ ଉଚ୍ଛେଦ କରାଯିବ ।
ଲୋକାଲ ୱାୟାର
Leave a Reply