ଭୁବନେଶ୍ୱର, ମେ ୨୭(ଲୋକାଲ ୱାୟାର): କୋଭିଡ୍ ଆକ୍ରାନ୍ତ ହୋଇ କଟକର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ସକାଳ ପ୍ରାୟ ୭ଟାରେ ବିଶିଷ୍ଟ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ୫୫ ବର୍ଷ ବୟସରେ ଦେହାନ୍ତ ହୋଇଛି ।

ଜନ୍ମମାଟି କୋରାପୁଟର ଜୟପୁର ସହରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଘରେ ପତ୍ନୀ ସାଗରିକା ଖୋସଲା ଓ ଝିଅ ଶ୍ରୁତି ଖୋସଲା ଅଛନ୍ତି ।

୬ ମାସ ତଳେ ତାଙ୍କ ସାନ ଭାଇଙ୍କ ଦେହାନ୍ତ ହୋଇଥିବା ଅଭିନେତା ଶ୍ରୀତମ୍ ଦାସ କହିଛନ୍ତି ।

ଶ୍ରୀ ଖୋସଲା ଜୟପୁରଠାରେ ୧୯୬୬ ଅକ୍ଟୋବର ୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ପିଲା ବେଳୁ ସଙ୍ଗୀତ ଓ ଅଭିନୟ ପ୍ରତି ଦୁର୍ବଳତା ଥିଲା । ସ୍କୁଲରେ ଗୀତ ଗାଉଥିବା ବେଳେ କଲେଜରେ ପଢ଼ିବା ବେଳେ ଅଭିନୟ କରୁଥିଲେ । ଅର୍କେଷ୍ଟ୍ରା ଓ ଡ୍ରାମାରେ ଭାଗ ନେଉଥିଲେ । ପରେ ହିନ୍ଦୁସ୍ଥାନ କ୍ଲାସିକାଲ୍ ୱେଷ୍ଟର୍ଣ୍ଣରେ ପାଠ ପଢ଼ି ଗୀଟାରିଷ୍ଟ ଏବଂ ମାଣ୍ଡୋଲିନ୍ ବାଦକ ଭାବେ ସଙ୍ଗୀତରେ ଯାତ୍ରା ଆରମ୍ଭ କରିଥିଲେ । ସଙ୍ଗୀତ ପରିଚାଳକ ବା ଆରେଞ୍ଜର୍ ଭାବେ ସବୁ ଆଗଧାଡ଼ିର ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ ।

ଆକାଶବାଣୀ କଟକ କେନ୍ଦ୍ରରେ ବାଦ୍ୟକାର ଭାବେ କାମ କରିବା ସହ ବିଭିନ୍ନ କ୍ୟାସେଟ୍ କମ୍ପାନି ପାଇଁ ଗୀତ ତିଆରି କରିଥିଲେ । ୨୦୦୨ ମସିହାରେ ନିର୍ଦ୍ଦେଶକ ବବି ଇସଲାମ୍ ତାଙ୍କୁ ସିନେମା ଚଳଚ୍ଚିତ୍ର ‘ରଙ୍ଗ ନମ୍ବର’ରେ ସୁଯୋଗ ଦେଇଥିଲେ । ସିନେମାଟି ସୁପରହିଟ୍ ହୋଇଥିଲା । ଏହାପରେ ସେ ସଫଳତାର ସହ ଆଗେଇ ଚାଲିଥିଲେ ।

ଶତା%ଧକ ସୁପରହିଟ୍ ଆଲବମ୍ ଗୀତ ସହ ୨୨ରୁ ଊର୍ଦ୍ଧ୍ୱ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଆଲବମ୍ ଜଗତରେ ଅନେକ ହିଟ୍ ଗୀତ ଦେଇ ସୁନାମ ଅର୍ଜନ କରିଥିଲେ । ୨ ହଜାରରୁ ଅଧିକ ଗୀତରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସଫଳତା ପାଇଛନ୍ତି । ୩ଟି ସୋଲୋ ଆଲବମରେ ଗୀତ ଗାଇଥିଲେ । ଗୀତ ଲେଖିବା, ସଙ୍ଗୀତ ନିର୍ଦ୍ଦେଶନା, ପରିଚାଳନା ଏବଂ ଗାୟକ ଭାବରେ ନିଜକୁ ପ୍ରତିଷ୍ଠା କରିଥିଲେ । ଓଡ଼ିଆ ଗୀତ ସହିତ ବେଙ୍ଗଲି, ଛତିଶଗଡ଼, ଭୋଜପୁରୀ ଗୀତ ମଧ୍ୟ ପ୍ରସ୍ତୁତ କରିଥିଲେ ।

ସୁମା ରିୟଲ ମିଡ଼ିଆର ପ୍ରଥମ ଚଳଚ୍ଚିତ୍ର ‘ଫେରିଆ-କମ୍ ବ୍ୟାକ୍‌’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ।

ତାଙ୍କର ହିଟ୍ ଗୀତ ମଧ୍ୟରେ, ଡେଉଁଛି ମୋ’ ବାଆଁ ଆଖି, ହେ ସମୟ ପିଲା ଦିନ ମୋ’ ଦିଅ ଫେରେଇ, ସାଗରେ ତରଙ୍ଗ ପରି ଅଥୟ ଅଧିର, କେମିତି ପଚାରିବି ତମେ କେମିତି ଅଛ ଭୁଲି ଯାଇଛନା ମନେ ରଖିଛ, ହାଏ ତୋ ଓଠ ଛୁଆଁ, ଝୁମୁରୁ ଝୁମୁରୁ ବାଜୁଛି ଲୋ ରାଧା ପାଉଁଜି କୁଞ୍ଜ ବନରେ, ସଖା ହେ ସଖା ହେ, ହେ ବନ୍ଧୁ ବିଦାୟ, ଆଖି ସେ ତ ଆଖି, ପ୍ରେମର ପ୍ରଥମ ଚିଠି, ଜାଇଫୁଲ ଲୋ ଜାଇ ଫୁଲ, ଏମିତି ରଙ୍ଗ ଦେ ଲୋ ଫୁଲ ଏମିତି ରଙ୍ଗ ଦେ, ତତେ ମୋ’ ରାଣ ଦେଲି ବାଇ ଚଢ଼େଇ, ବୟସ ରାଜପଥରେ ଆଦି ଅନ୍ୟତମ ।

କରୋନା ସମୟରେ ଏକ ସଚେତନତାଧର୍ମୀ ଗୀତ ରଚନା କରି ନିଜେ ଗାଇଥିଲେ । ଗୀତଟି ଥିଲା ‘ଡେଥ୍ ଟିକେଟ୍ ଇଜ୍ କନଫର୍ମଡ୍‌’ । ସଟଡାଉନ୍ ଏବଂ ଲକଡାଉନ୍ ସମୟରେ ହୋଇଥିବା ଏହି ଗୀତ ଥିଲା ତାଙ୍କ ଜୀବନର ଶେଷ ଗୀତ । ଏହାଛଡ଼ା ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାର ୫ଟି ଚଳଚ୍ଚିତ୍ର ରିଲିଜ୍ ଅପେକ୍ଷାରେ ରହିଛି ।

ଲୋକାଲ ୱାୟାର