ଭୁବନେଶ୍ୱର, ଜାନୁଆରୀ ୪(ଲୋକାଲ ୱାୟାର): ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶୀଘ୍ର ବିଦେଶୀଙ୍କ ଲାଗି ସ୍ୱତନ୍ତ୍ର ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ଶନିବାର ସୂଚନା ଦେଇଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ତଥା ବିଶ୍ୱବିଦ୍ୟାଳୟ କୁଳପତି ମନୋରଞ୍ଜନ ପାଣିଗ୍ରାହୀ ।
ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ସେ କହିଛନ୍ତି, ଏହା ଏକ ଅନନ୍ୟ ଓ ଅଦ୍ୱିତୀୟ ବିଶ୍ୱବିଦ୍ୟାଳୟ । ତାକୁ ଉକ୍ରର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରୟାସ କରି ଆସିଛି । ଆଗକୁ ବି ସେହି ଧାରା ଜାରି ରହିବ ।
ବହୁ ବିଦେଶୀ ପର୍ଯ୍ୟଟକ ବିଶ୍ୱବିଦ୍ୟାଳୟକୁ ପରିଦର୍ଶନରେ ଆସିବା ସହ ଏଠାରେ ଗବେଷଣା ଓ ଅଧ୍ୟୟନ କରିବାକୁ ଚାହୁଁଛନ୍ତି । ସେମାନଙ୍କୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ତଥା ସ୍ୱତନ୍ତ୍ର ବିଭାଗ ଖୋଲି ପାଠ୍ୟକ୍ରମ ପ୍ରଦାନ କରିବାକୁ ଯୋଜନା କରୁଛନ୍ତି ।
ଏଥିସହିତ ୩ଟି ଏକାଡେମିକ୍ ବ୍ଲକ୍ ଖୁବ୍ ଶୀଘ୍ର ଉଦଘାଟନ ହେବ । ବର୍ତ୍ତମାନ ତା’ର କାର୍ଯ୍ୟ ଚାଲୁ ରହିଛି । ବିଶ୍ୱବିଦ୍ୟାଳୟର ଏକ ସଭାକକ୍ଷ ନଥିବାରୁ କ୍ୟାମ୍ପସ୍ ପରିସରରେ ଏକ ବିରାଟ ସଭାକକ୍ଷ ନିର୍ମାଣ କରାଯିବ । ଆମ୍ଫି ଥିଏଟର ପ୍ରତିଷ୍ଠା ହେବ ।
ଆନ୍ଥ୍ରୋପୋଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ(ଏଏନଏସଆଇ)ର ଏକ କାର୍ଯ୍ୟାଳୟ କ୍ୟାମ୍ପସ୍ ପରିସରରେ କାର୍ଯ୍ୟ କରିବ । ଏଏନଏସଆଇ ପକ୍ଷରୁ କିଛି ଦିନ ତଳେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଥିଲେ । ସେମାନଙ୍କୁ କ୍ୟାମ୍ପସରେ ସ୍ଥାନ ଦେବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି ।
ଲୋକାଲ ୱାୟାର
Leave a Reply