ବଲାଙ୍ଗୀର, ଏପ୍ରିଲ୍ ୦୫ (ଲୋକାଲ ୱାୟାର) ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରା ଓ ତାଙ୍କର ଜଣେ ସହଯୋଗୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଶୁକ୍ରବାର ପୁଲିସ କହିଛି ।

ଦୁର୍ଘଟଣାରେ ଅନ୍ୟ ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀମାନେ ଭୁବନେଶ୍ୱରରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏକ ସ୍କର୍ପିଓରେ କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଆସୁଥିବା ବେଳେ ଖାରି ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥିଲା ।

ଅନ୍ୟପକ୍ଷରେ ଏହା ଦୁର୍ଘଟଣା ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁସାରେ ରାଜନୀତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଛି । ତେଣୁ ଘଟଣାର ସିବିଆଇ ତଦନ୍ତ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ସେପଟେ ପୁଲସ୍ ଘଟଣାର ତଦନ୍ତ କରୁଛି ।

ଲୋକାଲ ୱାୟାର