ଭୁବନେଶ୍ବର, ଫେବ୍ରୁଆରି ୨୦ (ଲୋକାଲ ୱାୟାର): ସାତକୋଶିଆ ଅଭୟାରଣ୍ୟର ବଡ଼ମୂଳ ଜୈବ ପର୍ଯ୍ୟଟନ ପ୍ରକଳ୍ପ ଗତ ବର୍ଷକ ମଧ୍ୟରେ ଏକ କୋଟି ଟଙ୍କାର ଆୟ କରିଥିବା ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।
ଚଳିତ ମାସ ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପ୍ରକଳ୍ପ ଏହି ଆୟ କରିଥିବା କୁହାଯାଇଛି।
୨୦୧୬ରେ ବନ ବିଭାଗ ସାତକୋଶିଆରେ ଏହି ଜୈବ ପର୍ଯ୍ୟଟନ ପ୍ରକଳ୍ପର ଶୁଭାରମ୍ଭ କରିଥିଲା।
ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମହାନଦୀ କୂଳରେ ମାତ୍ର ତିନିଟି ଟେଣ୍ଟ ସହ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ଏବଂ ୨୦୧୯ ସୁଦ୍ଧା ୧୯ଟି ରହଣୀସ୍ଥଳ ପ୍ରକଳ୍ପ ବର୍ଷ ଭିତରେ ଏକ କୋଟି ଟଙ୍କା ଆୟ କରିଥିଲା।
ଏଥିସହିତ ଏଥିରେ ଆଖପାଖ ୩୪ ଖଣ୍ଡ ଗାଁଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ହୋଇ ରୋଜଗାରକ୍ଷମ ହୋଇପାରିଥିଲେ।
୨୦୧୮-୧୯ ଆର୍ଥିକ ବର୍ଷରେ ଏଠାକୁ ୪୪୫୦ ଜଣ ପର୍ଯ୍ୟଟକ ଆସି ରହିଥିବାବେଳେ ୧ କୋଟି ୩୦ ଲକ୍ଷ ଟଙ୍କା ଆୟ ହୋଇଥିଲା।
୨୦୧୯ ଏପ୍ରିଲରୁ ୨୦୨୦ ଫେବ୍ରୁଆରୀ ଦ୍ବିତୀୟ ସପ୍ତାହ ମଧ୍ୟରେ ଏଠାକୁ ୪ ହଜାର ୫ ଶହ ପର୍ଯ୍ୟଟକ ଆସିସାରିଥିବାବେଳେ ଆୟ ଏକ କୋଟିରେ ପହଞ୍ଚିସାରିଛି।
ସବୁଠାରୁ ବଡ଼କଥା ହେଲା, ଏହାଦ୍ବାରା ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦା ଆର୍ଥିକ ସ୍ବାବଲମ୍ବୀ ହୋଇପାରିଛନ୍ତି।
ଏହି ପ୍ରକଳ୍ପରୁ ଏଥିସହିତ ଜଡ଼ିତ ପ୍ରତି ପରିବାର ଗତବର୍ଷ ମାସିକ ପ୍ରାୟ ୨ ଲକ୍ଷ ଟଙ୍କା ଲେଖାଏଁ ରୋଜଗାର କରିଥିବା ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ) ଏଚ୍.ଏସ୍. ଉପାଧ୍ୟାୟ କହିଛନ୍ତି।
ଅନ୍ୟପକ୍ଷରେ ବଡ଼ମୂଳ ଭଳି ରାଜ୍ୟର ଶିମିଳିପାଳ, ଦେବ୍ରିଗଡ଼, ଦାରିଙ୍ଗବାଡ଼ି, ଭିତରକନିକା ଓ ଚନ୍ଦକା ଜୈବ ପର୍ଯ୍ୟଟନ ପ୍ରକଳ୍ପର ଆୟ ମଧ୍ୟ ବହୁଗଣିତ ହୋଇଥିବା ଇକୋ-ଟୁରିଜିମର ଡି.ସି.ଏଫ୍. ଅଂଶୁପ୍ରଜ୍ଞା ଦାସ କହିଛନ୍ତି।
ଲୋକାଲ୍ ଓ୍ବାୟାର୍
Leave a Reply