ଭୁବନେଶ୍ୱର, ଡିସେମ୍ବର ୨(ଲୋକାଲ ୱାୟାର): କୋଭିଡ ଯୋଗୁଁ ରାଜ୍ୟର ସବୁ ଅଙ୍ଗନୱାଡି କେନ୍ଦ୍ରଗୁଡିକ ବନ୍ଦ ରହିଥିବାରୁ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କୁ ସୃଜନାତ୍ମକ ବିକାଶ ପାଇଁ ଘରେ ଘରେ ପହଞ୍ଚିବ ଅରୁଣିମା କ୍ୟାଲେଣ୍ଡର ।
ଡିସେମ୍ବର ମାସ ପାଇଁ ଶିକ୍ଷଣୀୟ ରଙ୍ଗୀନ ଚିତ୍ର ସମ୍ବଳିତ କ୍ୟାଲେଣ୍ଡର ସବୁ ଜିଲ୍ଲା ଆଇସିଡିଏସ୍ ପ୍ରକଳ୍ପକୁ ପଠାଯିବାକୁ ଥିବା ବେଳେ ଏବର୍ଷର ଥିମ୍ ରହିଛି ‘ଯାନବାହାନ’ ।
ଯାହାକି ନୂଆ ଅରୁଣିମା ପୁସ୍ତକର ଷଷ୍ଠ ମାସର ବିଷୟବସ୍ତୁ । ଏଥିରେ ସ୍ଥଳପଥ, ଜଳପଥ, ଆକାଶପଥ ଚାଲୁଥିବା ଯାନବାହାନ ସମ୍ବନ୍ଧିତ ଧାରଣା ଓ ଟ୍ରାଫିକ ନିୟମ ଆଦିି ବାବଦରେ ତଥ୍ୟ ପ୍ରଦାନ କରାଯାଇଛି ।
‘ଘରେ ଘରେ ଅରୁଣିମା’ କ୍ୟାଲେଣ୍ଡରରେ କୋଭିଡ-୧୯ ମହାମାରୀ ସମୟରେ ନିଜର ତଥା ଅନ୍ୟମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ହାତଧୂଆ ଅଭ୍ୟାସ, ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷା, ଅନ୍ୟାନ୍ୟ ସୁ-ଅଭ୍ୟାସ ସହ ଯାନବାହାନ ସମ୍ପର୍କିତ ଜ୍ଞାନ ପ୍ରଦାନ କରାଯାଇଛି ।
ବିଭିନ୍ନ ଯାନବାହାନର ବ୍ୟବହାର, ଟ୍ରାଫିକ ସିଗନାଲ୍, ରାସ୍ତାରେ ଚାଲିବାର ନିୟମ ଆଦି ସମ୍ବନ୍ଧରେ ଗୀତ, ଗପ, ଖେଳ, ଚିତ୍ର, ଅଭିନୟ ଓ ସଙ୍ଗୀତ ମାଧ୍ୟମରେ ଶିକ୍ଷାଦାନ କଲେ ଏହା ବିଶେଷ କୌତୁହଳପ୍ରଦ ହେବ ।
ବାପା-ମା’ ଓ ଅଭିଭାବକମାନେ ଘରେ କିପରି ଉତ୍ତମ ଦାୟିତ୍ୱବୋଧତାର ସହିତ ଏକ ଆନନ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଶିଶୁକୁ ଶିକ୍ଷା ପ୍ରଦାନ କରିପାରିବେ ତାହା ଘରେ ଘରେ ଅରୁଣିମା କ୍ୟାଲେଣ୍ଡରରେ ପ୍ରଦତ୍ତ ହୋଇଛି ।
ଗତ ନଭେମ୍ବର ଶେଷ ସପ୍ତାହରେ ସମସ୍ତ ଆଇସିଡିଏସ୍ ପ୍ରକଳ୍ପକୁ ଏହି କ୍ୟାଲେଣ୍ଡର ପ୍ରେରଣ କରାଯାଇଛି ।
ଯେଉଁ ଅଭିଭାବକଙ୍କ ପାଖେ ଆଣ୍ଡ୍ରଏଡ ଫୋନ୍ ଓ ଇଣ୍ଟରନେଟ ସୁବିଧା ଅଛି, ସେମାନଙ୍କୁ ହ୍ୱାଟସଆପ୍ ମାଧ୍ୟମରେ ଘରେ ଘରେ ଅରୁଣିମା ଅକ୍ଟୋବର ମାସର କ୍ୟାଲେଣ୍ଡର ପ୍ରେରଣ କରାଯାଇଛି ।
ଏହାସହ ସେମାନଙ୍କୁ ୟୁ-ଟୁ୍ୟବ ଲିଙ୍କ୍ ପ୍ରଦାନ କରାଯାଇଛି । ଯେଉଁମାନଙ୍କ ପାଖେ ୟୁଟୁ୍ୟବ୍ ଲିଙ୍କ୍ ନାହିଁ ସେମାନଙ୍କୁ ଏଲ-୩ କାଗଜରେ ଛପା ଯାଇଥିବା ଅରୁଣିମାର ରଙ୍ଗୀନ କ୍ୟାଲେଣ୍ଡର ଅଙ୍ଗନବାଡ଼ି କର୍ମୀମାନେ ଘରେ ପହଞ୍ଚି ପ୍ରଦାନ କରୁଛନ୍ତି ।
ଲୋକାଲ ୱାୟାର
Leave a Reply