ବ୍ରହ୍ମପୁର, ଏପ୍ରିଲ ୨୫(ଲୋକାଲ ୱାୟାର): କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରାଯାଇଛି । ବିଭିନ୍ନ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସିଲ୍ କରି ଦିଆଯାଇଛି ।
ଏସବୁ ସତ୍ତ୍ୱେ ଆନ୍ଧ୍ର ଓ ଓଡ଼ିଶାର ୩୮ ଜଣ ମତ୍ସ୍ୟଜୀବୀ ବଙ୍ଗୋପସାଗର ଦେଇ ସମୁଦ୍ର ପଥରେ ଓଡ଼ିଶାରେ ଆସି ପହଞ୍ଚିଛନ୍ତି ।
ଏହି ମତ୍ସ୍ୟଜୀବୀମାନେ ଶନିବାର ରାତିରେ ଗଞ୍ଜାମ ଜିଲ୍ଲା ପଟି ସୋନପୁର ଅଞ୍ଜଳରେ ପହଞ୍ଚିଥିବା ସୂଚନା ମିଳିଛି ।
ଗତ ଏକ ମାସ ହେଲାଣି ଏମାନେ ଲକ୍ ଡାଉନ୍ ଯୋଗୁଁ ଚେନ୍ନାଇରେ ଫସି ରହିଥିଲେ ।
ସଡ଼କ ପଥରେ ପୁଲିସର କଡ଼ା ପହରା ଯୋଗୁଁ ନିଜ ଗାଁକୁ ଫେରିବା ସମ୍ଭବ ହୋଇନଥିବାରୁ ସମୁଦ୍ର ରାସ୍ତାରେ ଫେରିଥିବା ଏମାନେ ସ୍ୱୀକାର କରିଛନ୍ତି ।
ଏପ୍ରିଲ ୨୦ ତାରିଖରେ ମତ୍ସ୍ୟଜୀବୀମାନେ ଚେନା୍ନଇରୁ ନିଜର ଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି ୫ ଦିନ ଧରି ସମୁଦ୍ର ପଥରେ ଯାତ୍ରା କରିବା ପରେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକର ସୋନପୁରଠାରେ ପହଞ୍ଚି ପାରିଥିଲେ ।
ମତ୍ସ୍ୟଜୀବୀମାନେ ସମୁଦ୍ର ପଥରେ ପାଖାପାଖି ୧୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିବା ଜଣାଯାଇଛି ।
ତେବେ ମତ୍ସ୍ୟଜୀବୀମାନେ ସମୁଦ୍ର ତଟରେ ପହଞ୍ଚିିବା ପୂର୍ବରୁ ଜିଲ୍ଲା ପ୍ରଶାସନ, ପୁଲିସ, ବିଭାଗୀୟ ଅଧିକାରୀଙ୍କ ସମେତ ମତ୍ସ୍ୟଜୀବୀଙ୍କ ପରିବାର ଲୋକେ ସେଠାରେ ଅପେକ୍ଷା କରି ରହିଥିଲେ ।
ମତ୍ସ୍ୟଜୀବୀମାନେ ପହଞ୍ଚିବା ପରେ ସେମାନଙ୍କୁ ସାମାଜିକ ସଙ୍ଗରୋଧ ଗୃହକୁ ନିଆଯାଇଛି । ଆସନ୍ତା ୧୪ ଦିନ ଯାଏଁ ଏମାନେ କ୍ୱାରେଣ୍ଟାଇନରେ ରହିବେ ।
ଖୁବ୍ ଶୀଘ୍ର ଏମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ବୋଲି ଚିକିଟି ତହସିଲଦାର ହର ପ୍ରସାଦ ଭୋଇ ସୂଚନା ଦେଇଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଆସିଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ୭ ଜଣ ଆନ୍ଧ୍ରପ୍ରଦେଶ ଦନକୁରୁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟମାନେ ଚିକିଟି ବ୍ଲକ୍ ସୋନପୁର ଅଞ୍ଚଳର ।
ଦ୍ୱିତୀୟ ଥର ପାଇଁ ସମୁଦ୍ର ରାସ୍ତାରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମତ୍ସ୍ୟଜୀବୀମାନେ ଓଡ଼ିଶା ଆସିଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଏପ୍ରିଲ ୨୦ରେ ୨୭ ଜଣ ମତ୍ସ୍ୟଜୀବୀ ଇଚ୍ଛାପୁରମରେ ଆସି ପହଞ୍ଚିଥିଲେ ।
ସେଠାରେ ଆନ୍ଧ୍ରପ୍ରଦେଶ ସରକାର ସେମାନଙ୍କୁ ଅଟକାଇବା ସହ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖିଥିବା ଜଣାଯାଇଛି ।
ଦେଶସାରା ଲକ୍ ଡାଉନ୍ ଥିବା ବେଳେ ଏବେ ମତ୍ସ୍ୟଜୀବୀଙ୍କ ପାଖରେ କାମ ନାହିଁ । ଲକ୍ ଡାଉନ୍ ପୂର୍ବରୁ ସେମାନେ ଆୟ କରିଥିବା ଟଙ୍କା ବି ସରିବାକୁ ବସିଲାଣି ।
ତେଣୁ ଏବେ ଅନ୍ୟ ଉପାୟ ନ ପାଇ ସେମାନେ ଘର ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଲକ୍ ଡାଉନ୍ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଶହ ଶହ ମତ୍ସ୍ୟଜୀବୀ ତାମିଲନାଡୁ, କେରଳ, ଗୋଆର ବିଭିନ୍ ମାଛ ଫ୍ୟାକ୍ଟ୍ରିରେ କାମ କରିବାକୁ ଯାଇଛନ୍ତି ।
ଲୋକାଲ ୱାୟାର
Leave a Reply