ଭୁବନେଶ୍ୱର, ଫେବ୍ରୁଆରୀ ୨୪(ଲୋକାଲ ୱାୟାର): ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଦୁଇଦିନିଆ ଓଡ଼ିଶୀ ସଙ୍ଗୀତ ଉତ୍ସବ ଏବଂ କର୍ମଶାଳା ଉଦଘାଟିତ ହୋଇଯାଇଛି ।

ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବଂ ସମ୍ବଲପୁର କଳା ପରିଷଦ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରେକ୍ଷାଳୟ ‘ତପସ୍ୱିନୀ’ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଉଦଘାଟନୀ ଉତ୍ସବରେ ସାଂସଦ ସୁରେଶ ଚନ୍ଦ୍ର ପୂଜାରୀ ମୁଖ୍ୟ ଅତିଥି, ଅନ୍ୟ ଅତିଥି ଭାବେ ସୁକାନ୍ତ ତ୍ରିପାଠୀ, ନନ୍ଦିନୀ ମୁଣ୍ଡାରୀ, ଦେବେନ୍ଦ୍ର ସାମନ୍ତରାୟ, ସୁଶାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମଟି ସ୍ୱଭାବ କବିଙ୍କ ପ୍ରତି ଉତ୍ସର୍ଗୀକୃତ ହୋଇଥିଲା । ତାଙ୍କ ରଚିତ ଜଣାଣ ‘ଜୟ ଜଗଦୀଶ ଜୟ ସମ୍ପଦିଶ’ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଏହାକୁ ପରିବେଷଣ କରିଥିଲେ ଡ. ସଙ୍ଗୀତା ଗୋସାଇଁ । ପ୍ରଥମ ପର୍ଯ୍ୟାୟରେ ଗାୟନ ପ୍ରସ୍ତୁତ କରିଥିଲେ ପୁରୀର ଅଚୁ୍ୟତ ମହାରଣା, ସମ୍ବଲପୁରର ନମିତା ଆଚାର୍ଯ୍ୟ, ମୋତିଲାଲ୍ ଦୋରା, କେନ୍ଦ୍ରାପଡ଼ାର ରାଜେନ୍ଦ୍ର ସ୍ୱାଇଁ ଏବଂ ଦଳଗତ ଗାୟନ ପ୍ରସ୍ତୁତ କରିଥିଲେ ସମ୍ବଲପୁର କଳାପରିଷଦର କଳାକାରମାନେ ।

ଶେଷରେ ଏକକ ମର୍ଦ୍ଦଳ ବାଦନ ପ୍ରସ୍ତୁତ କରିଥିଲେ ଗୁରୁ ସଚ୍ଚିଦାନନ୍ଦ ଦାସ । କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଦେଇଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ର ମୁଖ୍ୟ ନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ।

ପୂର୍ବାହ୍ନରେ ସ୍ୱୀକାର ପକ୍ଷରୁ ଆୟୋଜିତ ସଂଚାର କର୍ମଶାଳାରେ ମୁଖ୍ୟ ନିର୍ବାହୀଙ୍କ ସହିତ ଗବେଷଣା କେନ୍ଦ୍ରର ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ ।

ଲୋକାଲ ୱାୟାର