ଭୁବନେଶ୍ୱର, ଅଗଷ୍ଟ ୨୦(ଲୋକାଲ ୱାୟାର): ଟ୍ୱିନ ସିଟି କଟକ-ଭୁବନେଶ୍ୱରରେ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ହେବ କି ନାହିଁ ସେ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ହିଁ ନିଷ୍ପତ୍ତି ନେବେ ବୋଲି ରାଜ୍ୟ ହାଇକୋର୍ଟ ଗୁରୁବାର ଏକ ମାମଲାର ଶୁଣାଣି କରି କହିଛନ୍ତି ।
ବର୍ତ୍ତମାନ କରୋନା ସଂକ୍ରମଣ ଲାଗି ରହିଥିବାରୁ ଟ୍ୱିନସିଟିରେ ସର୍ବସାଧାରଣ ସ୍ଥାନ କିମ୍ବା କୌଣସି ମଣ୍ଡପରେ ଗଣେଶ ପୂଜା ହୋଇପାରିବ ନାହିଁ ବୋଲି ନିକଟରେ କମିଶନରେଟ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା ।
ତେବେ ଏଥିରେ ଅସନ୍ତୋଷ ପ୍ରକାଶ କରି କଟକର ବୁଢ଼ା ଗଣେଶ ପୂଜା କମିଟି ହାଇକୋର୍ଟ ଯାଇଥିଲେ ।
ଦେଶର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ମଧ୍ୟରେ ବହୁ ଧର୍ମୀୟ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏପରିକି ପୁରୀରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ହୋଇପାରିଛି ।
ତେଣୁ କଟକଣା ମଧ୍ୟରେ ଗଣେଶ ପୂଜା କରିବାକୁ ଅନୁମତି ଦେବାକୁ ଜନସ୍ୱାର୍ଥ ମାମଲାରେ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଥିଲା ।
ଶୁଣାଣି ଅବସରରେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ ଗଣେଶ ପୂଜା ଏକ ପରମ୍ପରା ଓ ବିଶ୍ୱାସରେ ପରିଣତ ହୋଇଛି ।
ବିଗତ ଶହେରୁ ଅଧିକ ବର୍ଷ ଧରି କେତେକ ମଣ୍ଡପରେ ଏହି ପୂଜା ହେଉଥିବାରୁ ଏହା ପୀଠରେ ପରିଣତ ହୋଇଛି ।
ହଜାର ହଜାର ଲୋକ ଏଥିପାଇଁ ମାନସିକ ମଧ୍ୟ ରଖିଥାନ୍ତି । ତେଣୁ ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବା ଲାଗି ପୂଜା ସକାଶେ ଅନୁମତି ଦିଆଯାଉ ।
କିନ୍ତୁ କୋର୍ଟ ତାଙ୍କ ରୟରେ ସ୍ପଷ୍ଟ କହିଥିଲେ, ଏବେ କରୋନା ସଂକ୍ରମଣ ଲାଗି ରହିଛି ।
ତେଣୁ ପୂଜା ହୋଇପାରିବ କି ନାହିଁ ସେ ନିଷ୍ପତ୍ତି କେବଳ ପ୍ରଶାସନ ହିଁ ନେବ । ଆବେଦନକାରୀ ପ୍ରଶାସନ ସହ ଏ ସମ୍ପର୍କରେ ଆଲୋଚନା କରିବାକୁ କୋର୍ଟ କହିଛନ୍ତି ।
ସେହିପରି ରାଜ୍ୟରେ ଜଟଣୀର ଗଣେଶ ପୂଜା ମଧ୍ୟ ବହୁ ଖ୍ୟାତି ପାଇଛି । ଜଟଣୀର ବ୍ୟବସାୟୀ ସଂଘ ପୂଜା ପାଇଁ ଅନୁମତି ଦେବାକୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ପ୍ରଶାସନ ଅନୁମତି ଦେଇନାହିଁ ।
ଅପରପକ୍ଷରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରଶାସନ ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା ଉପରେ କଟକଣା ଲଗାଇ ସାରିଛି ।
ଲୋକାଲ ୱାୟାର
Leave a Reply